ନୂଆଦିଲ୍ଲୀ : କ୍ରିକେଟ୍ରେ ସମୟ ନଷ୍ଟ କରିବା ଉପରେ ଏଣିକି ଆହୁରି କଡ଼ା ହେବ ଆଇସିସି। ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ୍ ପାଇଁ ନୂଆ ନିୟମ ଜାରି କରିଛି ଆଇସିସି। ନୂଆ ନିୟମ ଅନୁଯାୟୀ, ବ୍ୟାଟର ନିର୍ଦ୍ଧାରିତ ସମୟ ମଧ୍ୟରେ ପରବର୍ତ୍ତୀ ବଲ୍ ଖେଳିବାକୁ ପ୍ରସ୍ତୁତ ନହେଲେ ଫିଲ୍ଡିଂ ଦଳକୁ ପେନାଲ୍ଟି ରନ୍ ମିଳିବ।ଆଇସିସିର ଏହି ନୂଆ ନିୟମ ୧ ଅକ୍ଟୋବର ୨୦୨୬ କିମ୍ବା ତା’ପରେ ଆରମ୍ଭ ହେଉଥିବା ଅନ୍ତର୍ଜାତୀୟ ସିରିଜ୍ରେ ଲାଗୁ ହେବ। ତେବେ ପୂର୍ବରୁ ଆରମ୍ଭ ହୋଇଥିବା ସିରିଜ୍ଗୁଡ଼ିକ ପୁରୁଣା ନିୟମ ଅନୁଯାୟୀ ଜାରି ରହିବ।
ନୂଆ ନିୟମ ଅନୁଯାୟୀ, ବ୍ୟାଟର ନିର୍ଦ୍ଧାରିତ ସମୟରେ ପରବର୍ତ୍ତୀ ବଲ୍ ଖେଳିବାରେ ବିଳମ୍ବ କଲେ ପ୍ରଥମ ଥର ପାଇଁ ଅମ୍ପାୟାର ଚେତାବନୀ ଦେବେ। ଦ୍ୱିତୀୟ ଥର ଏଭଳି ଘଟଣା ଘଟିଲେ ଶେଷ ଚେତାବନୀ ଦିଆଯିବ।କିନ୍ତୁ ତୃତୀୟ ଥର ଏବଂ ଏହା ପରେ ପ୍ରତ୍ୟେକ ଥର ସମୟ ନଷ୍ଟ କଲେ ଫିଲ୍ଡିଂ ଦଳକୁ ୫ଟି ପେନାଲ୍ଟି ରନ୍ ମିଳିବ। ଏହା ସହିତ ବାରମ୍ବାର ନିୟମ ଉଲ୍ଲଂଘନ କଲେ ଆଇସିସିର ଆଚରଣ ସଂହିତା ଅନୁଯାୟୀ ଅତିରିକ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ।ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ମ୍ୟାଚ୍ରେ ଅନାବଶ୍ୟକ ବିଳମ୍ବକୁ ରୋକିବା ଏବଂ ଖେଳର ଗତିକୁ ଠିକ୍ ରଖିବା ବୋଲି ଧରାଯାଉଛି।ଆଇସିସି ଟେଷ୍ଟ କ୍ରିକେଟ୍କୁ ନେଇ ମଧ୍ୟ ଏକ ନୂଆ ପରୀକ୍ଷଣ କରିବାକୁ ଯାଉଛି। ଦିନର ଟେଷ୍ଟ ମ୍ୟାଚ୍ରେ ଗୋଲାପୀ ବଲ୍ ବ୍ୟବହାର କରିବାର ଟ୍ରାଏଲ୍ କରାଯିବ। ଖରାପ ଆଲୋକ ଯୋଗୁଁ ମ୍ୟାଚ୍ ବନ୍ଦ ହୋଇ ଯେଉଁ ସମୟ ନଷ୍ଟ ହୁଏ, ତାହା କମାଇବା ଏହି ପରୀକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ।
ତେବେ ଟେଷ୍ଟ ଆରମ୍ଭ ପୂର୍ବରୁ ଉଭୟ ଦଳର ସହମତି ରହିବା ଆବଶ୍ୟକ। ଯଦି ଗୋଲାପୀ ବଲ୍ରେ ମ୍ୟାଚ୍ ଖେଳିବାକୁ ନିଷ୍ପତ୍ତି ହୁଏ, ତେବେ ସମଗ୍ର ମ୍ୟାଚ୍ରେ ସେହି ବଲ୍ ବ୍ୟବହାର କରାଯିବ।ଗୋଲାପୀ ବଲ୍ ବ୍ୟବହାର କରିବାର ନିଷ୍ପତ୍ତି ଥରେ ନିଆଯିବା ପରେ ମ୍ୟାଚ୍ ଆରମ୍ଭ ହେବା ପରେ ଏହାକୁ ବଦଳାଇବାର ସୁଯୋଗ ରହିବ ନାହିଁ। ଅର୍ଥାତ୍ ମ୍ୟାଚ୍ ମଝିରେ ଲାଲ୍ ବଲ୍ରୁ ଗୋଲାପୀ ବଲ୍ କିମ୍ବା ଗୋଲାପୀ ବଲ୍ରୁ ଲାଲ୍ ବଲ୍କୁ ପରିବର୍ତ୍ତନ କରାଯାଇପାରିବ ନାହିଁ।ଆଇସିସିର ଏହି ନୂଆ ପଦକ୍ଷେପ ଦ୍ୱାରା ଟେଷ୍ଟ କ୍ରିକେଟ୍ରେ ସମୟ ପରିଚାଳନା ଆହୁରି ଉନ୍ନତ ହେବା ସହ ଖରାପ ଆଲୋକ କାରଣରୁ ଖେଳ ବନ୍ଦ ହେବା ସମସ୍ୟା କମିବ ବୋଲି ଆଶା କରାଯାଉଛି।
