ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହି ଜମି ହଡ଼ପ ଉଦ୍ୟମକୁ ବଡ଼ ଝଟ୍କା ଲାଗିଛି। ଶ୍ରୀଗୁଣ୍ଡିଚା ମନ୍ଦିରର ଶରଧା ବାଲି ନିକଟବର୍ତ୍ତୀ ମୂଲ୍ୟବାନ ଜମିକୁ ନେଇ ରାଜସ୍ୱ ପରିଷଦ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ରାୟ ପରେ ଜମିଟି ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମକୁ ଫେରିଛି।
ସୂଚନା ଅନୁଯାୟୀ, ଶ୍ରୀଗୁଣ୍ଡିଚା ମନ୍ଦିର ଶରଧା ବାଲି ନିକଟରେ ଥିବା ଏହି ମୂଲ୍ୟବାନ ଜମି ଅମୃତ ମଣୋହି ଭାବେ ରେକର୍ଡଭୁକ୍ତ ଥିଲା। ତେବେ ୨୦୦୨ ମସିହାରେ ଏହି ଜମିର ରେକର୍ଡକୁ ବ୍ୟକ୍ତିଗତ ନାମରେ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ଜମିର ମାଲିକାନାକୁ ନେଇ ବିବାଦ ଉପୁଜିଥିଲା।
ମାମଲାର ବିଚାର କରି ରାଜସ୍ୱ ପରିଷଦ ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ଆଇନ, ୧୯୫୮ର ଧାରା ୩୨ ଅନୁସାରେ ରାୟ ପ୍ରଦାନ କରିଛନ୍ତି। ରାୟରେ ଜମିର ରେକର୍ଡକୁ ସଂଶୋଧନ କରାଯାଇ ଏହାକୁ ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ କରାଯିବାର ପଥ ସ୍ପଷ୍ଟ ହୋଇଛି।
