ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସାମ୍ନାରେ ସମର୍ପଣ ମୁଦ୍ରାରେ ଠିଆ ହୋଇଥାନ୍ତି ଭକ୍ତ ମଣିଦାସ । ତାଙ୍କ ଚକ୍ଷୁରୁ ଲୋତକର ଧାର ବହିଯାଉଥାଏ । ନିଜ ଅନ୍ତରର କୋହ ପ୍ରକଟ କରି ପ୍ରକାଶ କରୁଥାନ୍ତି ନିଜର ମନକଥା । ଏ କ’ଣ କଲ ପ୍ରଭୁ ! ଏ ଅଧମ ସେବକର ଦୁଃଖ ବୁଝିବାକୁ ଜଣେ ହେଲେ ବି ସମ୍ପର୍କୀୟଙ୍କୁ ରଖିଲ ନାହିଁ । ତୁମର ଏ କି ଲୀଳା ? ସନ୍ତାନ,ସନ୍ତତି ଏପରିକି ସାତ ଜନମର ସାଥି ବୋଲାଉଥିବା ପତ୍ନୀକୁ ବି ତମ ବୈକୁଣ୍ଠ ଧାମକୁ ନେଇଗଲ ? ଏବେ ତୁମଛଡା ମୋର ଆଉ କିଏ ଅଛି ଯେ କାହା ପାଖକୁ ଯିବି? ଏଇଠି ରହି ତୁମର ଦର୍ଶନ କରୁଥିବି । ତୁମର ଭଜନ,ଜଣାଣ ଗାଇ ଦୁଃଖ ଭୁଲିଯିବି । ତୁମର ଏଇୟା ଇଚ୍ଛା ଯେ, ଖାଲି ତୁମର ମୁଖ ଚାହିଁ ବାକି ଜୀବନ ବିତେଇ ଦେବି ।
ଏଥର ମଣିଦାସ ଶ୍ରୀମନ୍ଦିର ବେଢାରୁ ଦୁଇଟି ସଢେଇ ଯୋଗାଡ଼ କଲେ । ଦୁଇ ଗୋଡରେ ଘୁଙ୍ଗୁର ବାନ୍ଧି, ସଢେଇ ବଜେଇ ଜଗନ୍ନାଥଙ୍କ ଆଗରେ ଭଜନ ଗାଇ ନାଚି ଚାଲିଲେ । ଜଗମୋହନରେ ପୁରାଣ ପଣ୍ଡା ପୁରାଣ ଗାନ କରୁଥିଲେ । ମଣିଦାସଙ୍କ ନାଚ,ଗୀତ,ବାଜାରେ ତାଙ୍କ ଗାୟନରେ ବିଘ୍ନ ସୃଷ୍ଟି ହେଲା । ସେ ମଣିଦାସଙ୍କୁ ବାରମ୍ବାର ଏସବୁ ବନ୍ଦ କରିବାକୁ କହିଲେ । ହେଲେ ମଣିଦାସ ତ ତଲ୍ଲୀନ ହୋଇ ବିଭୁ ପ୍ରେମରେ ବିଭୋର । ସେ ସେମିତି ସଢେଇ ବଜେଇ ନାଚି ଚାଲିଥାନ୍ତି । ଗୀତ ଗାଇ ଚାଲିଥାନ୍ତି । ଏଥର ପୁରାଣ ପଣ୍ଡାଙ୍କ ରାଗ ପଞ୍ଚମକୁ ଉଠିଗଲା । ସେ ମଣିଦାସଙ୍କୁ ମାଡ଼ ମାରି,ଧକ୍କା ଦେଇ ସେଠାରୁ ତଡିଦେଲେ । ମଣିଦାସ ମାଡ଼ ଖାଇ ମହାପ୍ରଭୁଙ୍କ ଆଡକୁ ବିନୟଭରା କରୁଣ ଚାହାଣୀରେ ଚାହିଁଲେ । କହିଲେ, ଶେଷରେ ପ୍ରଭୁ ତୁମେ ଏଇୟା କଲ! ମୋତେ ବାଡ଼େଇ ପିଟି ତୁମ ଚକାନୟନ ସାମ୍ନାରୁ ବିଦା କରିଦେଲ ! ହଉ, ହେଲା । ଆଉ ତୁମ ପାଖକୁ ଆସିବି ନାହିଁ କି କିଛି ବି କହିବି ନାହିଁ । ଏହା କହି ସେ ଗିନି ପରି ବଜାଉଥିବା ସଢେଇ ଦୁଇଟି ଫୋପାଡି ଦେଇ ଚାଲିଗଲେ । ଠାକୁରଙ୍କ ଉପରେ ଭୀଷଣ ଅଭିମାନ କରି ଅନ୍ନ ଜଳ ସ୍ପର୍ଶ କଲେ ନାହିଁ ଓ କେବଳ ଗୋଟିଏ ସ୍ଥାନରେ ପଡ଼ିରହିଲେ ।
ଦିନ ଯାଇ ରାତି ହେଲା । ରାତିରେ ଜଗନ୍ନାଥ ମହାପ୍ରଭୁ ତାଙ୍କର ଅତିପ୍ରିୟ ଭକ୍ତ ଗଜପତି ମହାରାଜଙ୍କୁ ସ୍ୱପ୍ନରେ ଦୃଶ୍ୟ ଦେଲେ । କହିଲେ, ମଣିଦାସ ମୋର ଅତିପ୍ରିୟ ଓ ଶ୍ରଦ୍ଧେୟ ଭକ୍ତ । ସେ ମୋ ସମ୍ମୁଖରେ ଗୀତ ଗାୟନ କରି ନୃତ୍ୟରତ ଥିଲା । ଏହା ମୁଁ ଖୁବ ଆନନ୍ଦର ସହିତ ଦେଖୁଥିଲି । ପୁରାଣ ପଣ୍ଡା ତାକୁ ମାରି ତଡିଦେଲେ । ମୋ ଆଗରେ ମନ ନଥାଇ,ଭକ୍ତି ନଥାଇ ପୁରାଣ ଖୋଲିବା ଦରକାର ନାହିଁ । ତୁମେ ମୋ ଭକ୍ତ ମଣିଦାସକୁ ସଢେଇ ବଜେଇ ନାଚ କରିବାକୁ ଅନୁମତି ଦିଅ । ଯେତେବେଳ ଯାଏଁ ତାର ମନହେବ ସେ ନାଚିବ । ତା’ ନାଚ ସରିଲେ ପୁରାଣ ପାଠ ହେବ, କିମ୍ବା ମୋ ଜଗମୋହନ ଛାଡି ଲକ୍ଷ୍ମୀଙ୍କ ଜଗମୋହନରେ ପୁରାଣ ପଣ୍ଡା ପୁରାଣ ପଢନ୍ତୁ ।
ମହାରାଜା ପ୍ରାତଃ ସମୟରେ ମଣିଦାସଙ୍କୁ ଖୋଜି ଖୋଜି ତାଙ୍କ ପାଖରେ ପହଁଚିଲେ । ତାଙ୍କୁ ମହାପ୍ରଭୁଙ୍କ ସ୍ଵପ୍ନାଦେଶ କଥା ବୁଝାଇ ଶ୍ରୀମନ୍ଦିରକୁ ପାଛୋଟି ଆଣିଲେ । ମଣିଦାସ ଭୋକ, ଶୋଷ, ପୀଡା ଦୁଃଖ ଭୁଲି ଜଗନ୍ନାଥଙ୍କୁ ଆପଣାର ମଣି ପୁଣି ସଢେଇ ଧରି ଭଜନ ଗାଇ ନାଚି ଉଠିଲେ । ସତରେ ଜଗନ୍ନାଥ ତା’ ଭଳି ଦୁଃଖୀର ଦୁଃଖ ବୁଝିଛନ୍ତି ! ଶ୍ରୀମନ୍ଦିର ଜଗମୋହନରେ ମଣିଦାସ ଆଜୀବନ ନାଚି ଚାଲିଥିଲେ । ସଢେଇ ବଜେଇ ଗାଇ ଚାଲିଥିଲେ ଭଜନ । ମହାପ୍ରଭୁ ବଡ ବଡ ଚକାନୟନରେ ଏହା ଦେଖି ରଙ୍ଗ ଅଧରରେ ହସି ଉଠୁଥିଲେ ।
କାହାଣୀ- ନିରଞ୍ଜନ ପତି