ଭଦ୍ରକ : ଜେଜେମା ପାଇଁ ଫେରିଲା ନାତୁଣୀ । ଭଦ୍ରକରେ ବିକ୍ରି ଶିଶୁ ଦୁଇ ଦିନ ପରେ କଟକରୁ ଉଦ୍ଧାର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପୋଲିସ ସହାୟତାରେ କଟକରୁ ଶିଶୁକୁ ଉଦ୍ଧାର କରାଯାଇଛି ।
ଗତ ୧୨ ତାରିଖ ଦିନ ଭଣ୍ଡାରିପୋଖରୀ ବୟା ବନାପୁର ଗାଁର ସିପୁ ଦାସ ଓ ତାଙ୍କ ସ୍ତ୍ରୀ ନିଜର ଏକ ମାସର ଝିଅକୁ ୩୫ ହଜାର ଟଙ୍କାରେ କଟକରେ ଜଣେ ସମ୍ପର୍କୀୟଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଜେଜେ ମାଆ ସାବିତ୍ରୀ ଦାସ ଥାନାରେ ଜଣାଇବା ପରେ ପୋଲିସ ଗତକାଲି ତୁରନ୍ତ ସିପୁ ଦାସ ଓ ତାଙ୍କ ସ୍ତ୍ରୀ ଏବଂ ଶାଶୂଙ୍କୁ ଉଠାଇ ଆଣି ପଚରା ଉଚରା କରିଥିଲା । ସେମାନେ ଶିଶୁ ଜଣେ ସମ୍ପର୍କୀୟଙ୍କୁ ବିକି ଦେଇଥିବା ମାନିଥିଲେ ।
ଗତ କାଲି ସନ୍ଧ୍ୟାରେ ଭଣ୍ଡାରିପୋଖରୀ ଥାନା ପୋଲିସ ଟିମ କଟକ ଯାଇ ଶିଶୁ କନ୍ୟାକୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଆଣିଛି । ତାକୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ତେବେ ଧାର ଟଙ୍କା ଶୁଝିବା ପାଇଁ ବାପା ମାଆ ନିଜର ଏକ ମାସର ଶିଶୁ କନ୍ୟାକୁ ବିକ୍ରି କରିଥିବା ପୋଲିସ ଜାଣିବାକୁ ପାଇଛି ।

