Wednesday, October 7, 2026
23.2 C
Odisha

    ଭାରତୀୟ ବାୟୁସେନାରୁ ଅବସର ନେଲା ‘ମିଗ୍‌-୨୧’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦୀର୍ଘ ଛଅ ଦଶନ୍ଧି ଧରି ସେବା ଯୋଗାଇବା ପରେ ଭାରତୀୟ ବାୟୁସେନାର ଅନ୍ୟତମ ଲଢୁଆ ବିମାନ ମିଗ୍‌-୨୧ ବିଦାୟ ନେବାକୁ ଯାଉଛି। ଶୁକ୍ରବାର ଏହି ଉପଲକ୍ଷେ ଚଣ୍ଡିଗଡ ବାୟୁସେନା ଘାଟିରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ମିଗ୍‌-୨୧କୁ ଆନୁଷ୍ଠାନିକ ଭାବେ ବାୟୁସେନାରୁ ସେବା ନିବୃତ୍ତ କରାଯିବ। ୧୯୬୩ରେ ରୁଷ୍‌ରୁ କିଣାଯାଇଥିବା ମିଗ୍‌-୨୧ ବିମାନର ପ୍ରଥମ ସ୍କ୍ବାଡ୍ରନ ଚଣ୍ଡିଗଡରେ ସ୍ଥାପନ କରାଯାଇଥିଲା। ଅବସରପ୍ରାପ୍ତ ଏୟାର ଚିଫ୍‌ ମାର୍ଶାଲ ଦିଲବାଗ ସିଂହ ସେତେବେଳେ ଏହି ସ୍କ୍ବାଡ୍ରନର ନେତୃତ୍ବ ନେଇଥିଲେ।

    ଶୁକ୍ରବାର ଅନୁଷ୍ଠିତ ଏହି ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଏ.ପି.ସିଂହ ଓ ସ୍କ୍ବାଡ୍ରନ ଲିଡର ପ୍ରିୟା ଶର୍ମା ଶେଷଥର ପାଇଁ ମିଗ୍‌-୨୧ (ବାଇସନ) ଉଡାଇବେ ବୋଲି ଜଣାପଡିଛି। ବାୟୁସେନା ପକ୍ଷରୁ ପର୍ଯ୍ୟାୟକ୍ରମେ ମିଗ୍‌-୨୧ ସ୍କ୍ବାଡ୍ରନକୁ ହଟାଇ ଦିଆଯାଇଥିବାବେଳେ ବର୍ତ୍ତମାନ ଚଣ୍ଡିଗଡ଼ରେ କେବଳ ୨୩ ନମ୍ବର ସ୍କ୍ବାଡ୍ରନ (ମୋଟ ୬ଟି ମିଗ୍‌-୨୧ ବିମାନ) କାର୍ଯ୍ୟକ୍ଷମ ରହିଛି। ଅବତରଣ ପରେ ମିଗ୍‌-୨୧ ବିମାନକୁ ଜଳ ସଲାମି ଦିଆଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଷାଠିଏ ଦଶକରେ ଭାରତ ରୁଷ୍‌ ନିକଟରୁ ମିଗ୍‌-୨୧ ବିମାନ କିଣିବା ଆରମ୍ଭ କରିଥିଲା। ପର୍ଯ୍ୟାୟକ୍ରମେ ଭାରତୀୟ ବାୟୁସେନା ନିକଟରେ ମୋଟ ୮୭୦ ମିଗ୍‌-୨୧ ବିମାନ ସାମିଲ ହୋଇଥିଲା। ପାକିସ୍ତାନ ବିପକ୍ଷ ୧୯୬୫ ଓ ୧୯୭୧ ଯୁଦ୍ଧରେ ମିଗ୍‌-୨୧ ଯୁଦ୍ଧ ବିମାନ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲା। ଏପରିକି ୧୯୯୯ କାର୍ଗିଲ ଏବଂ ୨୦୧୯ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକରେ ମଧ୍ୟ ଏହି ବିମାନ ତାହାର ପରାକ୍ରମ ଦେଖାଇଥିଲା । ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ସମୟରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ମିଗ୍‌-୨୧ ବିମାନ ଉଡାଇ ପାକିସ୍ତାନର ଏକ ଏଫ୍‌-୧୬ ବିମାନକୁ ଖସାଇବାରେ ସଫଳ ହୋଇଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏସ ଜେନେରାଲ ଅନିଲ ଚୌହ୍ବାନ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଓ ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀ ମଧ୍ୟ ଉପସ୍ଥିତ ରହିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ