କାଇରୋ : ସୁଡାନର ଉତ୍ତର ଦାରଫୁର ଅଞ୍ଚଳର ଅଲ-ଫାଶେରରେ ଏକ ମସଜିଦ ଉପରେ ଅର୍ଦ୍ଧସାମରିକ ବାହିନୀର ଡ୍ରୋନ୍ ଆକ୍ରମଣ । ଏହି ଆକ୍ରମଣରେ ୪୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଫଳରେ ଘଟଣାସ୍ଥଳରେ ଚିତ୍କାର ସୃଷ୍ଟି ହୋଇଥିଲା । ଏପରି ଦୁର୍ଘଟଣା ଶୁକ୍ରବାର ଅର୍ଥାତ୍ ଆଜି ଦେଖିବାକୁ ମିଳିଛି । ଏହି ଆକ୍ରମଣ ଏକ ଅର୍ଦ୍ଧସାମରିକ ବାହିନୀ ରାପିଡ୍ ସପୋର୍ଟ ଫୋର୍ସ (RSF) ଦ୍ୱାରା କରାଯାଇଥିଲା ବୋଲି ସ୍ଥାନୀୟ ଡାକ୍ତରୀ ଗୋଷ୍ଠୀ ଦାବି କରିଛି । ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ସୂଚନାନୁଯାୟୀ, ଶୁକ୍ରବାର ସୁଡାନ୍ ଡକ୍ଟର୍ସ ନେଟୱାର୍କ “X” ରେ ଲେଖିଛନ୍ତି ଯେ, ମୃତକଙ୍କ ମଧ୍ୟରେ ବୃଦ୍ଧ ଶ୍ରଦ୍ଧାଳୁ ଏବଂ ପିଲାମାନେ ସାମିଲ ରହିଥିବା ଜଣାପଡିଛି । ନେଟୱାର୍କ ଏହାକୁ ନିର୍ଦ୍ଦୋଷ ନାଗରିକଙ୍କ ଉପରେ ଆକ୍ରମଣ କରିବା ବହୁତ ବଡ଼ ଅପରାଧ ବୋଲି କହିଥିଲେ । ଆହୁରି ମଧ୍ୟ କହିଛି ଯେ, ଏହା RSFର ଏହି ଆକ୍ରମଣ ମାନବୀୟ ଏବଂ ଧାର୍ମିକ ମୂଲ୍ୟବୋଧ ଏବଂ ଅନ୍ତର୍ଜାତୀୟ ଆଇନ ପ୍ରତି ଅବମାନନା” । ଯେଉଁ ଆକ୍ରମଣ ଖୁବ୍ ବିପଦଜନକ ଏବଂ ଭୟଙ୍କର ଥିଲା ।
ସେପଟେ ସୁଦାନୀ ସେନା ଏବଂ ଆରଏସଏଫ ମଧ୍ୟରେ ସଂଘର୍ଷ ଏପ୍ରିଲ ୨୦୨୩ରେ ଆରମ୍ଭ ହୋଇଥିଲା । ଯାହା ବର୍ତ୍ତମାନ ସୁଦ୍ଧା ଚାଲୁ ରହିଛି । ଏହି ଯୁଦ୍ଧରେ ଅତି କମରେ ୪୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଛି । ୧୨ ନିୟୁତ ଲୋକ ମଧ୍ୟ ବାସଚ୍ୟୁତ ହୋଇଛନ୍ତି ।
ଅନ୍ୟପଟେ ଗୁରୁବାର ଦିନ ପଶ୍ଚିମ ଏବଂ ଦକ୍ଷିଣ ଅଞ୍ଚଳରେ ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ସଂଘର୍ଷ କେନ୍ଦ୍ରିତ ଥିଲା । କିନ୍ତୁ ଶୁକ୍ରବାର ଦିନ ଅର୍ଦ୍ଧସାମରିକ ବାହିନୀ ମସଜିଦ ଉପରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଭୟଙ୍କର ବାତାବରଣ ଖେଳିଯାଇଥିଲା । ସ୍ଥାନୀୟ ବାସିନ୍ଦାମାନେ ଜୋରଦାର ବିସ୍ଫୋରଣ ଶୁଣିଥିଲେ ଏବଂ ଡ୍ରୋନ ଦେଖିଥିଲେ। ପ୍ରତିରୋଧ କମିଟି ଗୁରୁବାର ଏକ ବିବୃତ୍ତିରେ କହିଛି ଯେ RSF ବିସ୍ଥାପନ ଶିବିରରେ ରହୁଥିବା ମହିଳା, ବୃଦ୍ଧ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଥିଲା ।