Wednesday, October 7, 2026
27.2 C
Odisha

    ମହାନଦୀରେ ଆସୁଛି ଛୋଟ ବନ୍ୟା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ୧୬ଟି ଫାଟକ ଦେଇ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ମହାନଦୀ ଫୁଲୁଥିବାରୁ ଏହାର ଅବବାହିକାରେ ଏକ ଛୋଟ ବନ୍ୟା ଆସିବାର ସମ୍ଭାବନା ରହିଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି। ଆସନ୍ତାକାଲି(ବୁଧବାର) ସନ୍ଧ୍ୟାରେ ମୁଣ୍ଡଳିରେ ପ୍ରାୟ ୬.୭୦ଲକ୍ଷ କ୍ୟୁସେକ୍ ବନ୍ୟାଜଳ ଛୁଇଁବ ବୋଲି ସେ କହିଛନ୍ତି।
    ହୀରାକୁଳ ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ଫୁଟ। ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୨୨.୯୩ ଫୁଟ୍‌ ଛୁଇଁଛି। ଉପରମୁଣ୍ଡରୁ ଜଳ ପ୍ରବାହ ବଢ଼ୁଥିବାରୁ ଜଳ ଭଣ୍ଡାରରର ୧୬ଟି ଫାଟକ ଦେଇ ଜଳ ନିଷ୍କାସନ ଜାରି ରହିଛି। ଉପରମୁଣ୍ଡରୁ ଜଳଭଣ୍ଡାରକୁ ୩.୧୧ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨.୮୯ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ମହାନଦୀ ଜଳସ୍ତର ବଢ଼ୁଥିବାରୁ ଖଇରମାଳରେ ୫.୯୦ଲକ୍ଷ କ୍ୟୁସେକ୍‌, ବରମୂଳରେ ୪.୪୮ଲକ୍ଷ କ୍ୟୁସେକ୍‌ ଏବଂ ମୁଣ୍ଡଳିରେ ୨.୪୦ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ କରୁଛି। କିନ୍ତୁ, ଦୁଇଦିନ ତଳେ ତେଲ ଅବବାହିକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ତେଲ ଫୁଲିବାରେ ଲାଗିଛି। ଏହାର ପାଣି ମହାନଦୀରେ ମିଶୁଛି। ହୀରାକୁଦ ଏବଂ ତେଲ ବନ୍ୟାପାଣି ମିଶିବା ଯିବା ଦ୍ବାରା ମୁଣ୍ଡଳି‌େ‌ର ୬.୭୦ଲକ୍ଷ କ୍ୟୁସେକ୍ ବନ୍ୟାଜଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଜଳସମ୍ପଦ ବିଭାଗ। ପ୍ରାୟ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ମହାନଦୀରେ ଅଧିକ ପାଣି ରହିବାର ସମ୍ଭାବନା ରହିଛି।
    ଚଳିତ ମୌସୁମି ଋତୁରେ ମୁଣ୍ଡଳିରେ ସାଢ଼େ ୬ଲକ୍ଷ କ୍ୟୁସେକ୍ ଉପରେ ବନ୍ୟାଜଳ ଦୁଇଥର ଛୁଇଁଛି। ଜଳ ଭଣ୍ଡାରରେ ଜଳସ୍ତର ମଧ୍ୟ ୬୨୩ ଫୁଟ୍‌ ଉପରେ ରହିଛି। ଜୁଲାଇ ୨୮ରେ ମୁଣ୍ଡଳିରେ ବନ୍ୟାଜଳ ୬.୭୦ଲକ୍ଷ କ୍ୟୁସେକ୍ ଏବଂ ଜୁଲାଇ ୩୦ରେ ୮.୯୦ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହ ହୋଇଥିଲା। ସେତେବେଳେ ବାଙ୍କୀର କିଛି ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆସନ୍ତାକାଲି ମୁଣ୍ଡଳିରେ ୬.୭୦ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହ ହେଲେ ବି ତଳିଆ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା କମ। ହେଲେ ବାଙ୍କି ଅଞ୍ଚଳର କେତେକ ଜାଗାରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରାଉତଙ୍କ ସୂଚନା ଦେଇଛନ୍ତି।
    ଦୁଇ ଦିନ ତଳେ କାଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଜପତି କୋରାପୁଟ ଏବଂ ମାଲକାନଗିରି ଜିଲାର କେତେକ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇଥିଲା। ବଂଶଧାରା ନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ ହଠାତ୍‌ ବନ୍ୟା (ଫ୍ଲାସ୍ ଫ୍ଲଡ୍)ଭଳି ସ୍ଥିତି ଦେଖାଦେଇଥିଲା। ହେଲେ ଏବେ ନଦୀରେ ପାଣି କମିବାରେ ଲାଗିଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷା ନଥିବାରୁ ସ୍ଥିତିରେ ଆହୁରି ସୁଧାର ଆସିପାରେ ବୋଲି କୁହାଯାଇଛି। ସେହିପରି, ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀରେ ବର୍ତ୍ତମାନ ବନ୍ୟା ସ୍ଥିତି ନଥିବା ସ୍ପଷ୍ଟ କରିଛନ୍ତି ଯନ୍ତ୍ରୀ ଶ୍ରୀ ରାଉତ। ଏହି ନଦୀଗୁଡ଼ିକରେ ବନ୍ୟା ବିପଦ ଟଳିଥିବା ବେଳେ ମହାନଦୀର ଜଳସ୍ତର ଉପରେ ଏବେ ନଜର ରହିଛି।
    ଜଳ ସମ୍ପଦ ବିଭାଗର ସନ୍ଧ୍ୟା ୬ଟା ବେଳର ତଥ୍ୟାନୁସାରେ ବୈତରଣୀ ଆଖୁଆପଦାରେ ବିପଦ ସଙ୍କେତ ନିକଟରେ ପ୍ରବାହ କରୁଛି। ଏଠାରେ ବିପଦ ସଙ୍କେତ ୧୮.୩୩ମିଟର ଥିବାବେଳେ ୧୭.୯୫ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ଆନନ୍ଦପୁରରେ ବିପଦ ସଙ୍କେତ ୩୮.୩୬ମିଟର ଥିବା ବେ‌େ‌ଳ ୩୩.୨୭ମିଟରରେ ପ୍ରବାହ କରୁଛି। ଏଠାରେ ବୈତରଣୀ ବନ୍ୟାଜଳ ସ୍ଥିର ରହିଛି। ଜେନାପୁରରେ ବିପଦ ସଙ୍କେତ ୨୩ ମିଟର ଥିବା ବେଳେ ବ୍ରାହ୍ମଣୀ ୨୧.୧୨ମିଟରରେ ପ୍ରବାହ କରୁଛି। ଏଠାରେ ବ୍ରାହ୍ମଣୀ ବଢ଼ୁଛି। ଇନ୍ଦୁପୁରରେ ବିପଦ ସଙ୍କେତ ୮.୨୩ ମିଟର ଥିବାବେଳେ ୭.୪୭ମିଟରରେ ବନ୍ୟାଜଳ ପ୍ରବାହ କରୁଛି। ଏଠାରେ ବ୍ରାହ୍ମଣୀ ଜଳସ୍ତର କମୁଛି। ମଥାନୀ‌େ‌ର ଜଳକା ବିପଦ ସଙ୍କେତ ୬.୫ ମିଟରରେ ସ୍ଥିର ରହିଛି। ସୁବର୍ଣ୍ଣରେଖା ଜାମଶୋଳାଘାଟରେ ଯଦିଓ ବିପଦ ସଙ୍କେତ ତଳେ ପ୍ରବାହ କରୁଛି, କିନ୍ତୁ କିଛି ଘଣ୍ଟା ହେଲା ବଢ଼ିବାରେ ଲାଗିଛି। ଏଠାରେ ବିପଦ ସଙ୍କେତ ୪୯.୧୬ମିଟର ଥିବା ବେଳେ ୪୬.୫୨ ମିଟରରେ ବନ୍ୟାଜଳ ପ୍ରବାହ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ