ମହାନ ସନ୍ଥ, ତପସ୍ଵୀ, ସନ୍ନ୍ୟାସୀ, ମହାପୁରୁଷ ଆଦିଶଙ୍କରାଚାର୍ଯ୍ୟଙ୍କର ଅନେକ ଜ୍ଞାନୀ ଗୁଣୀ ଶିଷ୍ୟ ଥିଲେ । ସେମାନଙ୍କ ମଧ୍ୟରେ ପଦ୍ମନାଭ ଓରଫ ସନନ୍ଦନ ନାମକ ଜନୈକ ଶିଷ୍ୟ ଥିଲେ । ସେ ପାଠ, ଶାସ୍ତ୍ର ଅଧ୍ୟୟନରେ ଦୁର୍ବଳ ଥିଲେ । ହେଲେ ଗୁରୁଙ୍କର ବାକ୍ୟ ପାଳନରେ ଅବା ଗୁରୁଙ୍କ ସେବା କରିବାରେ ଧୁରନ୍ଧର ଥିଲେ । ତାଙ୍କ ମତରେ ଗୁରୁ ହିଁ ବ୍ରହ୍ମା, ବିଷ୍ଣୁ, ମହେଶ୍ଵରଙ୍କଠାରୁ ଊର୍ଦ୍ଧ୍ଵରେ । ଗୁରୁଙ୍କ ଆଦେଶ ହିଁ ଶିରୋଧାର୍ଯ୍ୟ । ଗୁରୁ ସେବା ହିଁ ମହାନ ସେବା । ଗୁରୁ ବାକ୍ୟ ପାଳନ ହିଁ ମହାନ କର୍ତ୍ତବ୍ୟ । ସାଧନାରେ ସିଦ୍ଧି ପ୍ରାପ୍ତ ପରେ ସେ ପୁରୀ ଗୋବର୍ଦ୍ଧନ ମଠର ମହନ୍ତ ଥିଲେ । ପଞ୍ଚ ପଦିକା ତାଙ୍କ ଦ୍ୱାରା ରଚିତ ମହାନ ଗ୍ରନ୍ଥ । ଯେଉଁଥିରେ ସେ ଭଗବାନ ଆଦିଶଙ୍କରାଚାର୍ଯ୍ୟଙ୍କର ମୁଖ ନିସୃତ ବାଣୀ ବ୍ରହ୍ମସୂତ୍ର ଭାଷ୍ୟର ଭାଷା ସନ୍ନିବେଶିତ କରିଥିଲେ । ଶାସ୍ତ୍ରବିତମାନଙ୍କ ମତରେ ସେ ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀର ଭାରତୀୟ ଦର୍ଶନ ଶାସ୍ତ୍ରବିତ । ପିଲାଦିନେ ପଦ୍ମନାଭ ବହୁତ କଥା ଭୁଲି ଯାଉଥିବାରୁ ସାଥୀମାନେ ତାଙ୍କୁ ଭୁଲାପଦିଆ କହି ଥଟ୍ଟା କରନ୍ତି । ଗୁରୁ କିନ୍ତୁ ନୀରବ ରୁହନ୍ତି, କାରଣ ତାଙ୍କଠାରେ ଭଗବତ ସତ୍ତା ଓ ଅଲୌକିକ ପ୍ରତିଭା ଭରପୂର ଥିବାର ସେ ଅନୁଭବ କରୁଥିଲେ ।
ଦିନକର କଥା । ସେ ପଦ୍ମନାଭଙ୍କୁ କିଛି ବସ୍ତ୍ର ଦେଇ ଗଙ୍ଗାରେ ସଫାକରି ଶୁଖେଇ ଆଣିବାକୁ ବରାଦ କଲେ । ଗୁରୁବାକ୍ୟକୁ ଅମାନ୍ୟ ନକରି ପଦ୍ମନାଭ ଗଙ୍ଗା ନଦୀର ଆର ପାର୍ଶ୍ୱକୁ ବସ୍ତ୍ର ସଫା ଉଦ୍ଦେଶ୍ୟରେ ବାହାରି ପଡିଲେ, କାରଣ ଏ ପାର୍ଶ୍ଵରେ ପାଣି ନଥିଲା । ସବୁ ବସ୍ତ୍ର ସଫାକରି ନଦୀ ବାଲୁକା ଉପରେ ସେ ସବୁ ଶୁଖାଇ ଦେଲେ । ହଠାତ ଗଙ୍ଗନଦୀରେ ହୁ ହୁ ହୋଇ ଜଳସ୍ତର ବଢିବାକୁ ଲାଗିଲା । ଏସବୁ ପ୍ରତି ପଦ୍ମନାଭ ଦୃଷ୍ଟି ଦେଇନଥିଲେ । ଏହି ସମୟରେ ଗୁରୁ କିଛି ଓଦା ବସ୍ତ୍ର ପରିଧାନ କରି ଅନ୍ୟ ଶିଷ୍ୟମାନଙ୍କ ଗହଣରେ ନଦୀ କୂଳରେ ପହଞ୍ଚିଲେ । କିଛି ଶୁଖିଲା ବସ୍ତ୍ର ଆଣି ଆସିବାକୁ ଶିଷ୍ୟ ପଦ୍ମନାଭଙ୍କୁ ଦୂରରେ ଥାଇ ବଡ଼ ପାଟିରେ ଆଦେଶ ଦେଲେ । ପଦ୍ମନାଭ ଭରା ନଦୀ ଉପରେ ସୁରୁଖୁରୁରେ ଚାଲି ଆସି ଏ କୂଳରେ ପହଞ୍ଚିଲେ । କାରଣ ପହଁରି ପହଁରି ଆସିଲେ ଶୁଖିଲା ବସ୍ତ୍ର ଓଦା ହେଇଯିବ । ଗୁରୁ ପିନ୍ଧିବେ କେମିତି ? ସମସ୍ତେ ଏ ବିଚିତ୍ର ଦୃଶ୍ୟ ଦେଖି ଚକିତ ହୋଇଗଲେ । ତାଙ୍କୁ ଥଟ୍ଟା କରୁଥିବା ସହପାଠୀମାନଙ୍କ ପାଟିରୁ କଥା ବାହାରୁନଥାଏ । ପଦ୍ମନାଭ କୂଳରେ ପହଞ୍ଚି ଗୁରୁଙ୍କୁ ଶୁଖିଲା ବସ୍ତ୍ର ପ୍ରଦାନ କଲେ । ଗୁରୁ ପଚାରିଲେ- ଏତେ ଗଭୀର ପାଣି ଉପରେ ତୁମେ କିପରି ଚାଲିଚାଲି ଆସିଲ ? ପଦ୍ମନାଭ ଉତ୍ତର ଦେଲେ- ଆପଣଙ୍କ ପାଦପଦ୍ମ ତ ଭଗବତ ପାଦ, ଯାହା ସ୍ମରଣ କରିବା ମାତ୍ରେ ପାଣି ଭିତରେ ପଦ୍ମଫୁଲ ଧାଡିଏ କୂଳ ଯାଏଁ ଫୁଟିବାର ଦେଖିଲି । ସେଥିରେ ପାଦ ରଖି ଦେଖିଲି ସେସବୁ ପଥର ପରି ଟାଣ ଥିଲା । ତା’ ଉପରେ ଚଢି ମୁଁ ଚାଲିଆସିଲି । ଶଙ୍କରାଚାର୍ଯ୍ୟ ପଦ୍ମନାଭଙ୍କୁ କୋଳେଇ ନେଲେ । କହିଲେ- ଧନ୍ୟ ତୁମର ଗୁରୁଭକ୍ତି ଓ ଦୃଢ ବିଶ୍ୱାସ । ଆଜିଠାରୁ ତୁମେ ପଦ୍ମପାଦାଚାର୍ଯ୍ୟ ନାମରେ ପରିଚିତ ହେବ । ତୁମର ଦୃଢ ସେବା ମନୋଭାବ, ଓ ପ୍ରଚଣ୍ଡ ଗୁରୁଭକ୍ତି ଇତିହାସ ଓ ଶାସ୍ତ୍ର ପୁରାଣରେ ଲିପିବଦ୍ଧ ହୋଇ ରହିବ ।
କାହାଣୀ- ନିରଞ୍ଜନ ପତି