Wednesday, April 8, 2026
36.5 C
Odisha

    ମହାନ ସନ୍ଥ ରୈଦାସ

    ଆଗକୁ ପଢନ୍ତୁ

    ଗୋଟିଏ ଚାଳ ଛପର ଛୋଟ କୁଟୀର । ସେଠାରେ ବସିରହି ଏକାଗ୍ର ଚିତ୍ତରେ‌ ଜନୈକ ବ୍ୟକ୍ତି ଜୋତା ସିଲେଇରେ ମଜ୍ଜି ଯାଇଥାନ୍ତି । ଉକ୍ତ ସମୟରେ ତାଙ୍କର ଜଣେ ଆତ୍ମୀୟ ବନ୍ଧୁ ଆସି ପହଞ୍ଚିଲେ । କହିଲେ,”ଶୀଘ୍ର ବାହାରନ୍ତୁ;ଗଙ୍ଗାସ୍ନାନ କରିବା ସମୟ ଅତିକ୍ରାନ୍ତ ହୋଇଯିବ ।” ଜୋତା ସିଲେଇ କରୁଥିବା ବ୍ୟକ୍ତି କହିଲେ,”ଏ ଜୋତା ପାଇଁ ବରାଦ ଅଛି । ଖୁବ ଶୀଘ୍ର ତିଆରି କରି ଦେବାକୁ ହେବ । ତେଣୁ ଆଜି ଗଙ୍ଗାସ୍ନାନ ବନ୍ଦ ।” ତାଙ୍କ ବନ୍ଧୁ କହିଲେ,”ଆପଣଙ୍କ ଭଳି ମହାତ୍ମା,ଭକ୍ତ ଗଙ୍ଗାସ୍ନାନ ବନ୍ଦ କରି ଜୋତା ସିଲେଇ କରିବେ,ଏହା ଶୋଭା ପାଉନାହିଁ ।” ବ୍ୟକ୍ତି ଜଣକ କହିଲେ,”ଏଇ ଚମଡ଼ା ବତୁରା କୁଣ୍ଡରେ ହିଁ ମୁଁ ଗଙ୍ଗା ମାତାଙ୍କୁ ଦର୍ଶନ କରି ଏଇଠାରେ ସ୍ନାନ କରିଦେବି ।” ବନ୍ଧୁ ଆଶ୍ଚର୍ଯ୍ୟ ହେଲେ । ସତକୁ ସତ ବ୍ୟକ୍ତି ଜଣକ ଧ୍ୟାନସ୍ଥ ହୋଇ କୁଣ୍ଡରେ ଗଙ୍ଗା ମାତାଙ୍କ ଦର୍ଶନ କରିବା ସହିତ ବନ୍ଧୁଙ୍କୁ ଦର୍ଶନ କରାଇ ଦେଲେ । ତାଙ୍କ କୁଟୀର ସାମ୍ନାରେ ଝରଝର ହୋଇ ଗଙ୍ଗାଧାର ବହିବାକୁ ଲାଗିଲା । ଦୁଇଜଣ ବନ୍ଧୁ ସେଇଦିନ ସେଇଠାରେ ଗଙ୍ଗା ସ୍ନାନ କରିବାର ସୁଯୋଗ ଲାଭକଲେ ।

    ସେଦିନର ସେହି ଜୋତା ସିଲେଇ କରୁଥିବା ବ୍ୟକ୍ତି ଥିଲେ ସନ୍ଥ ରୈଦାସ । ସେ ମଧ୍ୟ ସନ୍ଥ ଗୁରୁ ରବିଦାସ ନାମରେ ଜଣାଶୁଣା ଥିଲେ । ଏକ ଅଛୁଆଁ କ୍ଷୁଦ୍ର ଚମାର ଜାତିରେ ଜନ୍ମହୋଇ ମଧ୍ୟ ସେ ନିଜର ମହାନ ଧାର୍ମିକ ଗୁଣରେ ସାରା ଭାରତରେ ଖ୍ୟାତି ଅର୍ଜନ କରିଥିଲେ । ସେ ଜଣେ ସମାଜ ସଂସ୍କାରକ ଭାବରେ ସମାଜରେ ଅନେକ ସୁଧାର ଆଣି ପାରିଥିଲେ । ସମାଜରେ ଜାତି,ଧର୍ମ ଭେଦଭାବ ବଢି ଚାଲିଥିବା ସମୟରେ ସେ ଲୋକମାନଙ୍କୁ ସର୍ବଧର୍ମ ସମନ୍ଵୟ ଓ ନିର୍ଗୁଣ ତତ୍ତ୍ଵ ସିଦ୍ଧାନ୍ତ ଶୁଣାଇ ଚମତ୍କୃତ କରି ଦେଇଥିଲେ । ସେ ବାରଣାସୀ କ୍ଷେତ୍ରର ଶୀର୍ ଗୋବର୍ଦ୍ଧନପୁର(ଉତ୍ତରପ୍ରଦେଶ)ରେ ୧୪୫୦ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ।

    ସେ ସମଗ୍ର ଉତ୍ତର ଭାରତୀୟ ଭକ୍ତି ଦର୍ଶନ ଓ ଭକ୍ତି ଆନ୍ଦୋଳନରେ ସନ୍ଥ ଓ ଗୁରୁ ଥିଲେ। ଛୋଟ ଜାତିରେ ଜନ୍ମ ଗ୍ରହଣ କରି ମଧ୍ୟ ସେ ଭକ୍ତି ଦର୍ଶନତତ୍ତ୍ୱ ସମ୍ବଳିତ ଅନେକ କବିତା ରଚନା କରି ଗାନ କରୁଥିଲେ । ତାଙ୍କ ମହାନ ବାଣୀ ଓ ଭଜନ ଦ୍ଵାରା ସନ୍ଥ କବୀର ଦାସ ଓ ଭକ୍ତ ମୀରାବାଈ ତାଙ୍କୁ ଗଭୀର ସମ୍ମାନ ଦେଇ ଭକ୍ତି କରୁଥିଲେ ଓ ଗୁରୁ ଭାବରେ ସ୍ଵୀକାର କରୁଥିଲେ । ସେ ନିଜ ବାଳୁତ ବୟସରୁ ସାଧୁସନ୍ଥମାନଙ୍କୁ ଭକ୍ତି କରୁଥିଲେ । ରୈଦାସଙ୍କ ଭକ୍ତିଭାବରେ ବିହ୍ୱଳ ହୋଇ ଜଣେ ମହାନ୍ ସାଧୁ ତାଙ୍କୁ ଏକ ପରଶମଣି ଭେଟି ଦେଇଥିଲେ । ଏହା ଛୁଇଁ ଯେକୌଣସି ପଦାର୍ଥକୁ ବହୁମୂଲ୍ୟ ସୁବର୍ଣ୍ଣରେ ପରିଣତ କରି କୋଟିପତି ବା ଧନୀ ହେବା ସମ୍ଭବ । ମାତ୍ର ରୈଦାସ ତାକୁ ନିଜ କୁଟୀରର ଚାଳରେ ଖୋସି ଦେଇଥିଲେ । ଅନେକ ଦିନପରେ ସେହି ସାଧୁ ଆସି ପରଶମଣି କଥା କହିବାରୁ ରୈଦାସ ତାହା ଚାଳରୁ ଆଣି ତାଙ୍କୁ ଫେରାଇ ଦେଇ ଏହାର ଆବଶ୍ୟକତା ମୋ ପାଇଁ ନାହିଁ ବୋଲି ପ୍ରକାଶ କଲେ । କଥିତ ଅଛି ସ୍ଵଇଚ୍ଛାରେ ସେ ୧୫୨୦ ଖ୍ରୀଷ୍ଟାବ୍ଦରେ ସମାଧ‌ିସ୍ଥ ହୋଇ ଦେହତ୍ୟାଗ କରିଥିଲେ । ଆଜି ମଧ୍ୟ ସେ ଓ ତାଙ୍କର ବାଣୀ,ଭଜନ ଅମର।

    କାହାଣୀ- ନିରଞ୍ଜନ ପତି

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.5 ° C
    36.5 °
    36.5 °
    19 %
    0.9kmh
    53 %
    Wed
    36 °
    Thu
    36 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ