Monday, September 28, 2026
24.7 C
Odisha

    ମହାପ୍ରଭୁଙ୍କ ମାଉସୀ ମାଆ କିଏ ? ଶୁଣନ୍ତୁ ତାଙ୍କ ମାହାତ୍ମ୍ୟ

    ବଡ଼ ଠାକୁରେ କାହିଁକି ଖାଆନ୍ତି ପୋଡ଼ପିଠା ?

    ଆଗକୁ ପଢନ୍ତୁ

    ଶ୍ରୀଜୀଉଙ୍କ ଦିବ୍ୟଲୀଳା , ପବିତ୍ର ଘୋଷାଯାତ୍ରା । ଭକ୍ତ ଓ ଭଗବାନଙ୍କ ର ଏହି ମିଳନର ପର୍ବ, ଜଗତନାଥ ରତ୍ନମଣ୍ଡପ ରୁ ଓହ୍ଲେଇ ଆସି ଭକ୍ତ ସମୁଦ୍ରରେ ମିଶିଯିବାର ପର୍ବ କାହିଁ କେଉଁ ଅନାଦି କାଳରୁ ପାଳିତ ହୋଇ ଆସୁଅଛି । ନବ ଦିନବ୍ୟାପୀ ଏହି ଉତ୍ସବର ପ୍ରଥମ ଦିନରେ ଶ୍ରୀଜିଉମାନେ ରତ୍ନମଣ୍ଡପରୁ ପହଣ୍ଡି କରି ବିଜେ ହୁଅନ୍ତି  ନିଜ ନିଜ ରଥ ଉପରେ । ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହୋଇଉଠେ ବଡ଼ଦାଣ୍ଡ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭକ୍ତଙ୍କ ନିମନ୍ତେ ଉଦ୍ଧିଷ୍ଟ ଏହି ଦିନ । ଏହାପରେ ଚତୁର୍ଦ୍ଧାମୂର୍ତ୍ତି ସାତଦିନ ନିଜ ଜନ୍ମବେଦୀ, ଆଡପ ମଣ୍ଡପରେ ଅବସ୍ଥାନ କରିଥାନ୍ତି । ଏଠାରେ ବିଭିନ୍ନ ନୀତିକାନ୍ତି ଓ ଲୀଳାଖେଳା ସମାପ୍ତ କରି ଶେଷରେ ବାହୁଡା ଉତ୍ସବରେ ମହାପ୍ରଭୁ ଲେଉଟି ଆସନ୍ତି ଶ୍ରୀମନ୍ଦିରକୁ । ଅଷାଢ ମାସ ଶୁକ୍ଳ ପକ୍ଷ ଦଶମୀ ଦିନ ପାଳିତ ହୋଇଥାଏ ଶ୍ରୀଜିଉ ମାନଙ୍କ ବାହୁଡା ଯାତ୍ରା ।

    ମାତ୍ର ଏହି ଲେଉଟାଣି ସମୟରେ ବଡ଼ଦାଣ୍ଡର ଏକ ସ୍ଥାନରେ କିଛି ସମୟ ପାଇଁ ଅଟକିଯାଏ ତିନି ରଥ । ସେହିଠାରେ ବଡଖିଆ ବଡ଼ଦିଅଁ ଙ୍କ ପାଖେ ଲାଗିହୁଏ ତାଙ୍କ ପ୍ରିୟ ପୋଡ଼ପିଠା । ଏହି ପୋଡ଼ପିଠା ରାନ୍ଧିଥାନ୍ତି ସ୍ଵୟଂ ମାଉସୀମାଆ । ତେବେ କିଏ ସେଇ ମାଉସୀ ମାଆ ,କଣ ତାଙ୍କ ମାହାତ୍ମ୍ୟ ଓ ତାଙ୍କର ଏପରି ନାମକରଣ କାହିଁକି କରାଯାଇଛି ବୋଲି ମନରେ ସ୍ଵତଃ ପ୍ରଶ୍ନ ଉଠେ । ଲୋକ କଥାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଶ୍ରୀଜୀଉଙ୍କ ମାଉସୀ ଘର ବୋଲି ଧାରଣା ରଖିଥାନ୍ତି । ଆଜି ବି ଅନେକ ଭକ୍ତଙ୍କ ମନରେ ଏହି ଭ୍ରାନ୍ତ ଧାରଣା ରହିଛି ଯେ ରାଣୀ ଗୁଣ୍ଡିଚା ହେଉଛନ୍ତି ଶ୍ରୀଜୀଉଙ୍କ ମାଉସୀ ମାଆ । ତେବେ ଆଜି ଏହି କାହାଣୀ ମାଧ୍ୟମରେ ଆସନ୍ତୁ ଜାଣିବା ପ୍ରକୃତରେ ମାଉସୀ ମାଆ କିଏ ଓ ତାଙ୍କର ମାହାତ୍ମ୍ୟ କଣ ।

    ଶ୍ରୀଗୁଣ୍ଡିଚା ମନ୍ଦିର ରୁ ଶ୍ରୀମନ୍ଦିର କୁ ଲମ୍ବିଥିବା ବଡ଼ଦାଣ୍ଡର ଠିକ ମଝାମଝି ବଳଗଣ୍ଡି ପାଖରେ ବାମପଟେ ପଡେ ମାଆ ମାଉସୀଙ୍କ ମନ୍ଦିର । ଏହି ମନ୍ଦିର କେଶରୀ ବଂଶର ରାଜୁତି ସମୟରେ ନିର୍ମାଣ କରାଯାଇଥିଲା । ଏଠାରେ ପୂଜା ପାଆନ୍ତି ମାଆ ଅର୍ଦ୍ଧାଶିନୀ ଦେବୀ । କୃଷ୍ଣ ପଥରରେ ନିର୍ମିତ ମାଆଙ୍କର ଏହି ବିଗ୍ରହ ଦେଖିବାକୁ ଅବିକଳ ସୁଭଦ୍ରାଙ୍କ ପରି । କୁହାଯାଏ ଯେ ମୂର୍ତ୍ତିର କଟିଦେଶରୁ ଉପରକୁ ଆଚ୍ଛାଦିତ କରି ସୁଭଦ୍ରାଙ୍କ ମୁଖାଟିଏ ଛାପି ଦିଆଯାଇଛି । ଦ୍ଵିଭୁଜା ଦେବୀଙ୍କ ଦୁଇ ପାର୍ଶ୍ଵରେ ରହିଛନ୍ତି ପାର୍ଶ୍ଵଦେବୀ ଛାୟା ଓ ମାୟା । ମନ୍ଦିରର ଜଗମୋହନରେ ମହାଲକ୍ଷ୍ମୀ, ହନୁମାନ, ନୃସିଂହ, ଗଣେଶ, କାଳୀ, ଦୂର୍ଗା, ଶିବ-ପାର୍ବତୀ ଆଦି ଦେବାଦେବୀଙ୍କ ଚିତ୍ରପ୍ରତିମା ପୂଜା ପାଉଛନ୍ତି । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ମନ୍ଦିରରେ ବାଳଭୋଗ ହୁଏ ଏବଂ ବନଦୂର୍ଗା ମନ୍ତ୍ରରେ ମାଉସୀ ମାଆଙ୍କୁ ପୂଜା କରାଯାଏ । ପ୍ରତିବର୍ଷ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଦିନ ମାଆଙ୍କର ଜଳାଭିଷେକ ଅନୁଷ୍ଠିତ ହୋଇଥାଏ ।

    ଏବେ ଯେଉଁଠାରେ ମନ୍ଦିରଟି ଅଛି ଅତୀତରେ ସେହି ସ୍ଥାନରେ ହାତୀ ଗାଧୁଆ ନଦୀ ବହି ଯାଉଥିଲା । ସେତେବେଳେ ରଥଯାତ୍ରା ସମୟରେ ଶ୍ରୀଜିଉ ମାନଙ୍କର  ୬ ଗୋଟି ରଥ ପ୍ରସ୍ତୁତ କରାଯାଉଥିଲା । ପ୍ରଥମେ ୩ ଟି ରଥରେ ଚତୁର୍ଦ୍ଧାମୂର୍ତ୍ତି ଏହି ସ୍ଥାନକୁ ଆସି ଏଠାରେ କିଛି ସମୟ ବିଶ୍ରାମ ନେବା ପରେ ନଦୀ ପାର ହୋଇ ଆରପଟରେ ଥିବା ରଥରେ ବସି ଗୁଣ୍ଡିଚା ମନ୍ଦିର ଯାଉଥିଲେ । ପୁଣି ବହୁଡ଼ିଲା ବେଳେ ଏହିଠାରେ ମାଉସୀ ମାଆ ତାଙ୍କୁ ପୋଡ଼ପିଠା ଖୁଆଇବାର ପରମ୍ପରା ସେହି କାଳରୁ ରହି ଆସିଛି ।

    ପୌରଣିକ କଥାବସ୍ତୁ ରୁ ଜଣାଯାଏ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସକୁ ଯିବା ସମୟରେ ମାତା କୈକେୟୀ ନିଜକୁ ଦୋଷୀ ମନେକରି ଖୁବ ମନ ଦୁଃଖ କରୁଥିଲେ । ଏହି ସମୟରେ ପୁତ୍ର ରାମଚନ୍ଦ୍ର ମାତାଙ୍କୁ କହିଲେ,“ମାତା, ତୁମର ମୋର ସମ୍ପର୍କ ଯୁଗ ଯୁଗ ଯାଏଁ ରହିବ । ଦ୍ଵାପର ଯୁଗରେ ତୁମେ ମାତା ଯଶୋମତୀ ହୋଇ ମୋତେ ମମତାରେ ବାନ୍ଧି ରଖିବ ଏବଂ କଳି ଯୁଗରେ ତୁମେ ହେବ ମୋର ମାଉସୀ ମାଆ । ପ୍ରତିବର୍ଷ ଘୋଷଯାତ୍ରା ସମୟରେ ମୁଁ ତୁମ ପାଖରେ ଅଟକି ତୁମ ହାତ ତିଆରି ପୋଡ଼ପିଠା ଖାଇବି ଏବଂ ଏହି ପୋଡ଼ପିଠା ‘ସର୍ପମଣୋହି ଭୋଗ’ ନାମରେ ଭକ୍ତଙ୍କ ମଧ୍ୟରେ ବିଦିତ ହେବ ।“

    ଯେତେବେଳେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଶ୍ରୀମନ୍ଦିର ଛାଡି ଚାଲି ଯାଇଥିଲେ,ତାଙ୍କ ଅଭିଶାପ ସ୍ୱରୂପ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ୧୨ ବର୍ଷ ପାଇଁ ଧନହୀନ ହୋଇଗଲେ । ଖାଇବାକୁ ନପାଇ ଶ୍ରୀମନ୍ଦିର ଛାଡି ସେ ଦୁହେଁ ଭିକ୍ଷାବୃତ୍ତି କରିବାକୁ ଚାରିଆଡେ ଘୁରି ବୁଲୁଥିଲେ । ଏହି ସମୟରେ ଭଗ୍ନୀ ସୁଭଦ୍ରା ମାଉସୀ ମାଆ ଅର୍ଦ୍ଧାଶିନୀ ଦେବୀଙ୍କ ପାଖରେ ରହୁଥିଲେ ।

    ମାଉସୀ ମାଆଙ୍କ ଏହିପରି ନାମକରଣ ପଛରେ ମଧ୍ୟ ରହିଛି କିମ୍ବଦନ୍ତୀ । ସ୍କନ୍ଧ ପୁରଣର ବୈଷ୍ଣବ କାଣ୍ଡରେ ଏହା ଉଲ୍ଲେଖ ଅଛି ଯେ ଏକଦା ପୁରୁଷୋତ୍ତମ କ୍ଷେତ୍ର ପ୍ରଳୟ ଜଳରେ ଜଳମଗ୍ନ ହୋଇଯାଇଥିବା ବେଳେ ମାତା ଅର୍ଦ୍ଧାଶିନୀ ଦେବୀ ଚଳୁ କଲାପରି ଅଧା ଜଳକୁ ଶୋଷଣ କରି ନେଇଥିଲେ । ଏହା ଫଳରେ କ୍ଷେତ୍ର ରକ୍ଷା ହେବା ସହ କ୍ଷେତ୍ରବାସୀ ମାନେ ଆଶ୍ଵସ୍ତି ଲାଭ କରିଥିଲେ । ତେଣୁ ସେହିଦିନଠାରୁ କ୍ଷେତ୍ରବାସୀ ମାତାଙ୍କୁ ଅର୍ଦ୍ଧଶୋଷିଣୀ ଦେବୀ ବୋଲି ପୂଜିବାକୁ ଲାଗିଲେ । ଭକ୍ତଙ୍କର ବିଶ୍ଵାସ ରହିଛି ଯେ ଦେବୀ ଅର୍ଦ୍ଧାଶିନୀ କପାଳମୋଚନ ଶିବଙ୍କ ସହ ମିଶି ଶ୍ରୀକ୍ଷେତ୍ରକୁ ଘଣ୍ଟ ଘୋଡ଼େଇ ରଖିଛନ୍ତି । କେବଳ ଶ୍ରୀକ୍ଷେତ୍ର କାହିଁକି , ମାଆ ନିଜ ପଣତ କାନି ରେ ସାରା ଜଗତ କୁ ଏମିତି ଘଣ୍ଟ ଘୋଡ଼େଇ ରଖିଥାନ୍ତୁ, ଏହା ହିଁ ତାଙ୍କ ନିକଟରେ ଭକ୍ତଟିଏ ର ଅଳି । ଶ୍ରୀ ପୁରୁଷୋତ୍ତମ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ମାଉସୀ ମାଆ ହେବାର ଗୌରବ ମଣ୍ଡନ କରି ଆସୁଥିବା ମାତା ଶ୍ରୀ ଅର୍ଦ୍ଧାଶିନୀ ଦେବୀ ଙ୍କର ରହିଛି ଏପରି କିଛି ମାହାତ୍ମ୍ୟ ।

    ଆପଣମାନଙ୍କ ଅବଗତି ନିମନ୍ତେ ଏଠାରେ କହି ରଖିବୁ ଯେ ବର୍ଣ୍ଣିତ ତଥ୍ୟ ସବୁ ପୌରାଣିକ କଥାବସ୍ତୁ,ଲୋକ କଥା ଓ କିମ୍ବଦନ୍ତୀ ରୁ ସଂଗୃହୀତ । ଏଥିରେ କୌଣସି ବି ବ୍ୟକ୍ତିଗତ ମତ କିମ୍ବା ମନଗଢା କଥା କୁହାଯାଇ ନାହିଁ । ଐତିହାସିକ ଓ ପୌରାଣିକ ତଥ୍ୟ ମଧ୍ୟରେ ବହୁମତ ପରିଲକ୍ଷିତ ହେଉଥିବାରୁ କାହାଣୀ ଗୁଡ଼ିକୁ ନିଜସ୍ଵ ବୁଦ୍ଧି ଓ ବିବେକ ଅନୁଯାୟୀ ତର୍ଜମା କରିବାକୁ ଅନୁରୋଧ । ଜୟ ଜଗନ୍ନାଥ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ