Friday, September 20, 2024
24.1 C
Odisha

    ମାୟା ବନ୍ଧନ

    ଆଗକୁ ପଢନ୍ତୁ

    ଜନୈକ ବିତ୍ତଶାଳୀ ସୌଦାଗର ଥାଆନ୍ତି । ସେ ଅନେକ ଓଟ ପାଳିଥାନ୍ତି । ଓଟ ମାନଙ୍କ ଭଲମନ୍ଦ ଓ ବ୍ୟବସାୟ ସମ୍ଭାଳିବା ପାଇଁ ଅନେକ ବୁଦ୍ଧିମାନ ଓଟ ମାଲିକ ନିଯୁକ୍ତ କରିଥାନ୍ତି । ସେହି ମାଲିକମାନେ ଓଟ ପିଠିରେ ଲଦି ସୌଦାଗରଙ୍କ ବିଭିନ୍ନ ଜିନିଷପତ୍ର ଦୁରସ୍ଥାନକୁ ନେଇ ବିକ୍ରୟ କରିଥାନ୍ତି । ଏକଦା ସୌଦାଗରଙ୍କ ପରାମର୍ଶ ଗ୍ରହଣ କରି ଓଟମାଲିକ ମାନେ କୌଣସି ଏକ ଦୂର ସ୍ଥାନକୁ ବ୍ୟବସାୟ ନିମନ୍ତେ ଯିବାକୁ ପ୍ରସ୍ତୁତ ହୋଇଗଲେ । ନିର୍ଦ୍ଧାରିତ ସମୟରେ ସେମାନେ ଯାତ୍ରା ଆରମ୍ଭ କରିଦେଲେ ।

    ଦୀର୍ଘ ପଥ ଅତିକ୍ରମ କରିବା ପରେ ରାତ୍ର ସମୟ ଉପଗତ ହେଲା । ବ୍ୟବସାୟୀ ବା ମାଲିକ ମାନେ ରାତ୍ରି ଯାପନ କରିବା ନିମିତ୍ତ ଏକ ବଡ ପାନ୍ଥନିବାସର ସନ୍ଧାନ କଲେ । ସେହି ପାନ୍ଥନିବାସଟି ଆକାରରେ ଖୁବ ବଡ ଥିଲା । ବ୍ୟବସାୟୀମାନଙ୍କର ରହିବା,ଶୋଇବା,ଖାଇବା ପିଇବାର ସୁବନ୍ଦୋବସ୍ତ ହୋଇଗଲା । ବାକି ରହିଲା ଓଟ ମାନଙ୍କର କଥା । ଓଟମାନେ ବିଶ୍ରାମ ନେବା ପାଇଁ ପାନ୍ଥ ନିବାସର ଅଗଣାରେ ଅୟୋଜନ କରାଗଲା । ସେହି ଓଟ ମାନଙ୍କର ଏକ ଅଭୂତ ଅଭ୍ୟାସ ଥିଲା । ତାହା ହେଲା ସେମାନଙ୍କୁ ସ୍ଵତନ୍ତ୍ର ଖୁଣ୍ଟ ପୋତି ପଘା ଦ୍ଵାରା ବାନ୍ଧି ନଦେଲେ ସେମାନେ ଠିକରେ ବିଶ୍ରାମ ନେବେ ନାହିଁ କି ଆରାମରେ ଶୋଇ ପାରିବେ ନାହିଁ ।

    ଏଣୁ ପ୍ରତ୍ୟେକ ଓଟ ପାଇଁ ସ୍ଵତନ୍ତ୍ର ଖୁଣ୍ଟ ପୋତିବାର ବ୍ୟବସ୍ଥା କରାଗଲା । ମାତ୍ର ଦୁଃଖର କଥା ତିନୋଟି ଓଟଙ୍କ ପାଇଁ ସ୍ଵତନ୍ତ୍ର ଖୁଣ୍ଟ ବା ବାନ୍ଧିବା ପାଇଁ ପଘାର ବ୍ୟବସ୍ଥା ହୋଇ ପାରିଲା ନାହିଁ । ମାଲିକମାନେ ଚିନ୍ତିତ ହୋଇ ପଡ଼ିଲେ। ପାନ୍ଥନିବାସରେ ଜଣେ ସାଧୁ ଏହି ମାଲିକମାନଙ୍କୁ ବୁଦ୍ଧି ବତେଇ କହିଲେ ଯେ, ଦେଖ ବିଭିନ୍ନ ଖୁଣ୍ଟ ପୋତି ପଘାରେ ବାନ୍ଧିବା ପରି ଏହି ଓଟ ମାନଙ୍କ ପାଖରେ ମିଛି ମିଛିକା ଖୁଣ୍ଟ ପୋତି ଦିଅ । ସେମାନଙ୍କୁ ପଘା ଆଣି ବାନ୍ଧିଲା ପରି ମିଛି ମିଛିକା ବାନ୍ଧି ଦିଅ । ଦେଖିବ ସେମାନେ ଭାବିନେବେ ଯେ ଆମେ ମଧ୍ୟ ବନ୍ଧା ହୋଇଛୁ । ଆରାମରେ ବିଶ୍ରାମ ନେବେ । ଉପାୟଟି ଠିକ କାମ ଦେଲା । ସେହି ତିନୋଟି ଓଟ ବନ୍ଧା ନ ହୋଇ ମଧ୍ୟ ଆରାମରେ ବିଶ୍ରାମ ନେଲେ । ସକାଳ ହେବାରୁ ଖୁଣ୍ଟ ଓପାଡି ବନ୍ଧନ ଫିଟାଇ ଦେବାରୁ ଅନ୍ୟ ଓଟମାନେ ଉଠି ପଡିଲେ। କିନ୍ତୁ ବନ୍ଧା ହୋଇନଥିବା ଓଟ ତିନୋଟି ଉଠିଲେ ନାହିଁ । ତାଙ୍କ ଖୁଣ୍ଟ ମିଛି ମିଛିକା ଓପାଡି ଖୋଲିଦେବାରୁ ସେମାନେ ମଧ୍ୟ ଉଠି ପଡିଲେ । ସାଧୁ ଜଣକ ଉପସ୍ଥିତ ଲୋକମାନଙ୍କୁ କହିଲେ,”ମନୁଷ୍ୟର ଅଭ୍ୟାସ ମଧ୍ୟ ସେହି ଓଟ ଭଳି । ସେ ମଧ୍ୟ ପରମ୍ପରାବାଦୀ । ମାନବଙ୍କୁ ମିଛଟା ମଧ୍ୟ ସତ ପରି ଲାଗେ । ସତ୍ୟକୁ ଜାଣିବା ପାଇଁ ସେ ଚେଷ୍ଟା ମଧ୍ୟ କରେନାହିଁ । ସେ ସଂସାର ବନ୍ଧନରେ ବାନ୍ଧି ହୋଇ ରହିଥାଏ ଏଇ ତିନି ଓଟଙ୍କ ଭଳି । ମିଥ୍ୟା ମାୟା,ମୋହ,ସ୍ନେହ,ପ୍ରେମ ବନ୍ଧନରେ ସେ ଘାଣ୍ଟି ହୋଇ ତାକୁ ବାନ୍ଧିପାରୁଥିବା ଓ ଫିଟାଇ ପାରୁଥିବା ଭଗବାନ ବା ମାଲିକଙ୍କୁ ଚିହ୍ନି ପାରେ ନାହିଁ । ଏଇତ ‘ମାୟା ବନ୍ଧନ’ ।”

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ