Saturday, April 11, 2026
33.7 C
Odisha

    ମୁଣ୍ଡପିଛା ଆୟ ବଢ଼ିଛି, ତଥାପି ବଲାଙ୍ଗୀର ଗରିବ: ଦରବୃଦ୍ଧି ତୁଳନାରେ ଆୟ କମ୍‌

    ଆଗକୁ ପଢନ୍ତୁ

    ଓଡ଼ିଶାର ଅଭିବୃଦ୍ଧି ହାରରେ ବଲାଙ୍ଗୀର ଜିଲ୍ଲାର ପ୍ରାଧାନ୍ୟ ରହୁଥିବା ସରକାରୀ ଦସ୍ତାବିଜ୍‌ରେ ଉଲ୍ଲେଖ ରହୁଛି। ତେବେ ବଲାଙ୍ଗୀର  ଜିଲ୍ଲା ଲମ୍ବା ସମୟ ଧରି ଦୁର୍ଭିକ୍ଷ, ମରୁଡ଼ି ଓ ଦାରିଦ୍ର୍ୟରେ ପୀଡ଼ିତ ଥିବାରୁ ଏଠାକାର ମୁଣ୍ଡପିଛା ଆୟ ରାଜ୍ୟ ଓ ଦେଶର ମୁଣ୍ଡପିଛା ଆୟ ତୁଳନାରେ କମ୍। ଅବଶ୍ୟ ଗୋଟିଏ ଦଶନ୍ଧି ହେଲା ମୁଣ୍ଡପିଛା ଆୟ ହାରରେ ଅଭିବୃଦ୍ଧି ଘଟିଥିବା ରିପୋର୍ଟ କହୁଛି। କିନ୍ତୁ ଗରିବ ଜିଲ୍ଲା ତାଲିକାରେ ଆଜି ବି ବଲାଙ୍ଗୀର ଆଗୁଆ। ସରକାରୀ ଆର୍ଥିକ ସର୍ବେକ୍ଷଣ ଅନୁସାରେ, ୨୦୦୦-୦୧ ମସିହାରେ ବଲାଙ୍ଗୀରର ମୁଣ୍ଡପିଛା ଆୟ ବାର୍ଷିକ ୮-୯ ହଜାର ଟଙ୍କା ମାତ୍ର ଥିଲା। ୨୦୦୮-୦୯ ମସିହା ବେଳକୁ ଏହା ବୃଦ୍ଧି ପାଇ ପ୍ରାୟ ୨୫-୨୬ ହଜାର ଟଙ୍କାରେ ପହଞ୍ଚିଥିଲା। ୨୦୧୧-୧୨ ମସିହାରେ ମୁଣ୍ଡପିଛା ଆୟ ୩୪ ହଜାର ଟଙ୍କା ରେକର୍ଡ ହୋଇଥିଲା। ସରକାରୀ ଭାବେ କୌଣସି ରି‌ପୋର୍ଟ ନଥିଲେ ହେଁ ବେସରକାରୀ ଏବଂ ଅର୍ଥନୀତିଜ୍ଞଙ୍କ ଗବେଷଣାରୁ ଏବେ ବଲାଙ୍ଗୀର ଜିଲ୍ଲାରେ ମୁଣ୍ଡପିଛା ଆୟ ବାର୍ଷିକ ୪୫ ହଜାର ଟପିଛି। ମୁଣ୍ଡପିଛା ଆୟ ବଢ଼ୁଥିଲେ ହେଁ ସିଂହଭାଗ ଲୋକ ଗରିବ ସୀମାରେଖା ତଳେ ରହିଛନ୍ତି। ଆର୍ଥିକ ବିକାଶ ଏ ପର୍ଯ୍ୟନ୍ତ ସନ୍ତୁଳିତ ଓ ସ୍ଥାୟୀ ହୋଇନପାରିବା ଏହାର ଏକମାତ୍ର କାରଣ ବୋଲି ଗବେଷକମାନେ ଦର୍ଶାଉଛନ୍ତି। ବର୍ଷା ଉପରେ ହିଁ ଚାଷବାସ ନିର୍ଭରଶୀଳ ରହିବା, ସ୍ଥାୟୀ ନିଯୁକ୍ତି ଏବଂ ଶିଳ୍ପାନୁଷ୍ଠାନର ଅଭାବ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଜିଲ୍ଲା ବର୍ତ୍ତମାନ ଯାଏଁ ଶିଳ୍ପାନୁଷ୍ଠାନ ଦେଖି ନାହିଁ।

    ଖଣିଜ ଦ୍ରବ୍ୟର ଉତ୍ସ ଭରପୂର ଥିଲେ ସୁଦ୍ଧା ତାହାର ସୁବିନିଯୋଗ ହୋଇନାହିଁ। ପୂର୍ବର ମନରେଗା ଯୋଜନାରେ ଜଣେ ଲୋକର ବାର୍ଷିକ ଆୟ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରହି ଆସୁଥିଲା। କିନ୍ତୁ ଏହି ରୋଜଗାର କେବଳ ସାମୟିକ। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ଆୟ ୧.୮୨ ଲକ୍ଷ ଥିବାବେଳେ ବଲାଙ୍ଗୀର ଏଥିରୁ ‌ଢେର ପଛରେ ପଡ଼ିଯାଇଛି। କୃଷି କ୍ଷେତ୍ରରେ ଜଳସେଚନର ଅଭାବ ସାଙ୍ଗକୁ ବାରମ୍ବାର ମରୁଡ଼ି ଜିଲ୍ଲାର ଅର୍ଥନୀତି ବିଗାଡ଼ି ଦେଇଛି। ସରକାରୀ ରିପୋର୍ଟ ଅନୁସାରେ, ୧୯୭୨ ମସିହାରୁ ୨୦୨୩ ମସିହା ମଧ୍ୟରେ ବଲାଙ୍ଗୀର ଜିଲ୍ଲା ୩୬ଟି ବଡ଼ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏହି ଅବଧି ମଧ୍ୟରେ ଜିଲ୍ଲା ୧୯ ବର୍ଷ ଧରି ମରୁଡ଼ିର ଶିକାର ହୋଇଛି। ଏହାସହିତ ଚାଷବାସରେ ରୋଗପୋକ, ମାତ୍ରାଧିକ ବର୍ଷା କୃଷି କ୍ଷେତ୍ରକୁ ବିଗାଡ଼ି ଦେଇଛି। ଲୋୟର୍‌ ସୁକ୍‌ତେଲ୍‌ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲେ ହେଁ ଜିଲ୍ଲାର ମାତ୍ର ୩ ପ୍ରତିଶତ ଜମି ଜଳସେଚିତ। ତେଣୁ ବଲାଙ୍ଗୀର ଭଳି ପଛୁଆ ଜିଲ୍ଲା ପାଇଁ ଦୀର୍ଘମିଆଦୀ ଯୋଜନା ହାତକୁ ନେବା ଜରୁରି ବୋଲି ଅର୍ଥନୀତି ବିଶାରଦ ପ୍ରଫେସର ଉମାଚରଣ ପତି ମତ ରଖିଛନ୍ତି। ସ୍ଥାୟୀ ନିଯୁକ୍ତି, ଦକ୍ଷତା ବିକାଶ ସହ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ନହେବା ଯାଏଁ ମୁଣ୍ଡପିଛା ଆୟ ବଢ଼ିଲେ ବି ଗୋଟିଏ ଜିଲ୍ଲା ଗରିବ ରହିବ ବୋଲି
    ପ୍ରଫେସର ପତି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.7 ° C
    33.7 °
    33.7 °
    16 %
    2.6kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ