Sunday, October 18, 2026
24.8 C
Odisha

    ଦୁଇ ଦିନରେ ମେଲ୍‌ବର୍ଣ୍ଣ ଟେଷ୍ଟ୍‌ ଶେଷ: ୧୫ ବର୍ଷ ପରେ ଅଷ୍ଟ୍ରେଲିଆରେ ଜିତିଲା ଇଂଲଣ୍ଡ

    ଆଗକୁ ପଢନ୍ତୁ

    ମେଲ୍‌ବର୍ଣ୍ଣ: ବୋଲରଙ୍କ ପ୍ରାଧାନ୍ୟ ଭିତରେ ମେଲ୍‌ବର୍ଣ୍ଣ ଟେଷ୍ଟ ମାତ୍ର ଦୁଇ ଦିନ ଭିତରେ ଶେଷ ହୋଇଯାଇଛି। ଆସେସ୍‌ ହାତଛଡ଼ା କରିବା ପରେ ଇଂଲଣ୍ଡ କିନ୍ତୁ ବହୁ ପ୍ରତୀକ୍ଷିତ ବିଜୟ ସହ ଶୃଙ୍ଖଳା ମୂଳପୋଛ ଆଶଙ୍କାକୁ ଏଡ଼ାଇ ଦେଇଛି। ୧୫ ବର୍ଷ ଓ ୧୯ ଟେଷ୍ଟ୍‌ ପରେ ଅଷ୍ଟ୍ରେଲିଆ ମାଟିରେ ଏକ ଟେଷ୍ଟ୍‌ ଜିତିଛି ଇଂଲଣ୍ଡ। ଚଳିତ ଆସେସ୍‌ର ପ୍ରଥମ ୩ ଟେଷ୍ଟ୍‌କୁ ଅଷ୍ଟ୍ରେଲିଆ ଜିତି ଶୃଙ୍ଖଳାକୁ ଆଗୁଆ କବ୍‌ଜା କରି ସାରିଥିଲା। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବକ୍ସିଂ ଡେ’ ଟେଷ୍ଟ୍‌‌ରେ କିନ୍ତୁ ଇଂଲଣ୍ଡ ବାଜି ମାରି ନେଇଥିଲା। ନିଷ୍ପ୍ରଭ ରହି ଆସିଥିବା ଇଂଲଣ୍ଡର ବାଜବଲ୍‌ କୌଶଳ ବି ପୁର୍ନଜୀବନ ପାଇଯାଇଥିଲା। ମୋଟ ଉପରେ ପଞ୍ଚମ ଥର ପାଇଁ ତଥା ୧୯୩୨ ମସିହା ପରେ ପ୍ରଥମ ଥର ପାଇଁ ଏକ ଟେଷ୍ଟ୍‌ ବିନା ଅର୍ଦ୍ଧଶତକରେ ଶେଷ ହୋଇଛି। ଟେଷ୍ଟ୍‌ କ୍ରିକେଟ୍‌ ଇତିହାସରେ କିନ୍ତୁ ପଞ୍ଚମ ଥର ପାଇଁ ଏକ ଶୃଙ୍ଖଳାରେ ଏକାଧିକ ଦୁଇଦିନିଆ ଫିନିସ୍‌ର ବିରଳ ଉଦାହରଣ ନଜରକୁ ଆସିଛି। ମେଲ୍‌ବର୍ଣ୍ଣରେ ୨ ଦିନରେ ରେକର୍ଡ ମୋଟ ୧,୮୬,୦୦୦ ଦର୍ଶକ ଉପସ୍ଥିତ ରହିଥିଲେ ମଧ୍ୟ କ୍ରିକେଟ୍‌ ଅଷ୍ଟ୍ରେଲିଆ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛି।

    ଟଙ୍ଗ୍‌-ବୁମ୍‌ରା ଚର୍ଚ୍ଚା
    ମେଲ୍‌ବର୍ଣ୍ଣ ଟେଷ୍ଟ୍‌ରେ ଇଂଲଣ୍ଡକୁ ବହୁ ପ୍ରତୀକ୍ଷିତ ବିଜୟ ଦେଇଥିବା ଜୋସ୍‌ ଟଙ୍ଗ୍‌ ଏବେ ଖୁବ୍‌ ଚର୍ଚ୍ଚାରେ। ପ୍ରାୟ ୩ ଦଶନ୍ଧି ଧରି ଇଂଲଣ୍ଡର ବୋଲରମାନେ ଯାହା କରିପାରିନଥିଲେ ସେଭଳି ସଫଳତା ପାଇଛନ୍ତି ଟଙ୍ଗ୍‌। ୨୭ ବର୍ଷ ପରେ ଅଷ୍ଟ୍ରେଲିଆ‌ରେ ପ୍ରଥମ ଇଂଲଣ୍ଡ ବୋଲର ଭାବେ ଟଙ୍ଗ୍‌ ଏକ ଆସେସ୍‌ ଟେଷ୍ଟ୍‌ରେ ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଛନ୍ତି। ଟଙ୍ଗ୍‌ ମାତ୍ର ୧୩ ମାସର ବୟସ୍କ ହୋଇଥିବାବେଳେ ୧୯୯୮ ମସିହାରେ ଡିନ୍‌ ହେଡ୍‌ଲି ୬/୬୦ ପ୍ରଦର୍ଶନ ସହିତ ଅଷ୍ଟ୍ରେଲିଆକୁ ୧୭୫ ରନ୍‌ ବିଜୟ ଲକ୍ଷ୍ୟର ୧୨ ରନ୍‌ ପୂର୍ବରୁ ରୋକି ଦେଇଥିଲେ। ସଂଯୋଗ ବଶତଃ ଶନିବାର ଇଂଲଣ୍ଡ ସମାନ ୧୭୫ ରନ୍‌କୁ ସଫଳ ପଶ୍ଚାତ୍‌ଧାବନ କରିଛି।  ଟଙ୍ଗ  ଏହି ମ୍ୟାଚ୍‌ରେ ୭/୮୯ ଚିତ୍ର ସହିତ ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଛନ୍ତି, ଯାହା ୨୭ ବର୍ଷ ତଳେ ଅଷ୍ଟ୍ରେଲିଆରେ ପାଇଥିଲେ ଡିନ୍‌ ହେଡ୍‌ଲେ। ତାଙ୍କୁ ମଧ୍ୟ ଶନିବାର ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ସହ ତୁଳନା କରାଯାଇଛି। ସେ ଯଦିଓ ବୁମ୍‌ରାଙ୍କ ଲିଗ୍‌ର ବୋଲର ନୁହନ୍ତି। କାରଣ ବୁମ୍‌ରାଙ୍କ ବଲ୍‌ ନିୟନ୍ତ୍ରଣ ଏତେ ଭଲ ଯେ ସେ ୫୨ ଟେଷ୍ଟ୍‌ ପରେ ବି ଓଭର ପିଛା ୩ରୁ କମ୍‌ ରନ୍ ଦେଇଛନ୍ତି। ଟଙ୍ଗ୍‌ କିନ୍ତୁ ୮ ଟେଷ୍ଟ୍‌ ପରେ ୪ରୁ ଊର୍ଧ୍ବ ହାରରେ ରନ୍‌ ଦେଇଛନ୍ତି। ଉଭୟଙ୍କ ଷ୍ଟ୍ରାଇକ୍ ରେଟ୍‌ କିନ୍ତୁ ତୁଳନୀୟ। ବୁମ୍‌ରା ୪୨.୬ ବଲ୍‌ ପିଛା ୱିକେଟ୍‌ ନେଇଥିବାବେଳେ ସଂକ୍ଷିପ୍ତ ଖେଳ ଜୀବନରେ ଟଙ୍ଗ୍‌ ପ୍ରତି ୩୯.୬ ବଲ୍‌ ପିଛା ନେଇଛନ୍ତି ୱିକେଟ୍‌।

    ଐତିହାସିକ ଏମ୍‌ସିଜିରେ ବକ୍ସିଂ ଡେ’ରୁ ଖେଳାଯାଇଥିବା ଏହି ଚତୁର୍ଥ ଟେଷ୍ଟ୍‌ର ପ୍ରଥମ ଦିନରେ ୨୦ ୱିକେଟ୍‌ର ପତନ ଘଟିଥିଲା। ଶନିବାର ଦ୍ବିତୀୟ ଦିବସରେ ୧୬ ୱିକେଟ୍‌ର ପତନ  ବି ଘଟିଥିଲା। ଶନିବାର ଚା’ପାନ ବିରତି ବିରତି ପରେ ଇଂଲଣ୍ଡ ୧୭୫ ରନ୍‌ ବିଜୟ ଲକ୍ଷ୍ୟକୁ ୩୨.୨ ଓଭରରେ ୬ ୱିକେଟ୍‌ ହରାଇ ସଂଗ୍ରହ କରି ନେଇଥିଲା। ବାଜ୍‌ବଲ୍‌ ଷ୍ଟାଇଲ୍‌ରେ ଖେଳି ଇଂଲଣ୍ଡର ପ୍ରାରମ୍ଭିକ ଯୋଡ଼ି ଜ୍ୟାକ୍‌ କ୍ରଲି (୩୭) ଓ  ବେନ୍‌ ଡକେଟ୍‌ (୩୪) ଦୃଢ଼ ମୂଳଦୁଆ ପକାଇଥିଲେ। ପ୍ରଥମ ୱିକେଟ୍‌ ପାଇଁ ୫୧ ରନ୍‌ ଉଠାଇବା ପରେ ଅବଶ୍ୟ ଇଂଲଣ୍ଡ୍‌ ନିୟମିତ ୱିକେଟ୍‌ ହରାଇଥିଲା। କିନ୍ତୁ ଲକ୍ଷ୍ୟ ପଥରୁ ବିଚ୍ୟୁତ ‌ହୋଇନଥିଲା। ଏହି ଶୃଙ୍ଖଳାରେ ପ୍ରଥମ ଥର ଖେଳିଥିବା ଜ୍ୟାକବ୍ ବେଥେଲ୍ (୪୬ ବଲ୍‌ରୁ ୪୦ ରନ୍) ସର୍ବାଧିକ ବ୍ୟକ୍ତିଗତ ସ୍କୋରର୍ ହୋଇଥିଲେ। ହ୍ୟାରି ବ୍ରୁକ୍‌ (୧୮*) ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ଜାମି ସ୍ମିଥ୍ (୩*)ଙ୍କୁ ନେଇ ମ୍ୟାଚ୍‌ ଶେଷ କରିଥିଲେ। ପୂର୍ବରୁ ଅଷ୍ଟ୍ରେଲିଆ ୪/୦ରୁ ଖେଳି ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୩୨ ରନ୍‌ରେ ଦ୍ବିତୀୟ ପାଳିକୁ ଶେଷ କରିବାକୁ ବାଧ୍ୟ ହୋଇଥିଲା। ବ୍ରାଏଡନ୍‌ କାର୍ସ (୪/୩୪), ବେନ୍‌ ଷ୍ଟୋକ୍ସ (୩/୨୪), ଜୋସ ଟଙ୍ଗ୍‌ (୨/୪୪) ଘାତକ ବୋଲିଂ କରିଥିଲେ। ମ୍ୟାଚ୍‌ରେ ମୋଟ ୭ ୱିକେଟ୍‌ ନେଇ ନିର୍ଣ୍ଣାୟକ ଭୂମିକା ତୁଲାଇଥିବା‌ ଜୋସ୍‌ ଟଙ୍ଗ୍‌ (୫/୪୫ ଓ ୨/୪୪) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

    ସଂକ୍ଷିପ୍ତ ସ୍କୋର୍‌: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୪୫.୨ ଓଭରରେ ୧୫୨ (ମାଇକେଲ ନେସର ୩୫, ଜୋସ୍‌ ଟଙ୍ଗ୍‌ ୫/୪୫, ଗସ୍‌ ଆଟ୍‌କିନ୍‌ସନ୍‌ ୨/୨୮)। ଇଂଲଣ୍ଡ ପ୍ରଥମ ପାଳି: ୨୯.୫ ଓଭରରେ ୧୧୦ (ହ୍ୟାରି ବ୍ରୁକ୍‌ ୪୧, ମାଇକେଲ ‌ନେସର ୪/୪୫, ସ୍କଟ୍‌ ବୋଲାଣ୍ଡ ୩/୩୦, ମିଚେଲ ଷ୍ଟାର୍କ ୨/୨୩)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୩୪.୩ ଓଭରରେ ୧୩୨ (ଟ୍ରାଭିସ ହେଡ୍‌-୪୬, ଷ୍ଟିଭେନ୍‌ ସ୍ମିଥ୍-୨୪*, ବ୍ରାଏଡନ୍‌ କାର୍ସ ୪/୩୪, ବେନ୍‌ ଷ୍ଟୋକ୍ସ ୩/୨୪, ଜୋସ ଟଙ୍ଗ୍‌ ୨/୪୪, ଗସ୍‌ ଆଟକିନସନ୍‌-୧/୨୦)। ଇଂଲଣ୍ଡ ଦ୍ବିତୀୟ ପାଳି (ଲକ୍ଷ୍ୟ ୧୭୫): ୩୨.୨ ଓଭରରେ ୧୭୮/୬ (ଜ୍ୟାକବ୍ ବେଥେଲ-୪୦, ଜ୍ୟାକ୍ କ୍ରଲି-୩୭, ବେନ୍‌ ଡକେଟ୍‌-୩୪, ହ୍ୟାରି ବ୍ରୁକ୍‌-୧୮*, ଝାଏ ରିଚାର୍ଡସନ୍‌-୨/୨୨, ସ୍କଟ୍‌ ବୋଲାଣ୍ଡ୍‌-୨/୨୯, ମିଚେଲ୍‌ ଷ୍ଟାର୍କ-୨/୫୫)।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ