Sunday, November 17, 2024
19 C
Odisha

    ଯୁକ୍ତାତ୍ମକ ମନୋଭାବ

    ଆଗକୁ ପଢନ୍ତୁ

     

    ଜଣେ ଯୁବକଙ୍କ ମନରେ ବୈରାଗ୍ୟଭାବ ସୃଷ୍ଟି ହେଲା । ତାଙ୍କ ପିତାମାତା ତାଙ୍କୁ ବିବାହ କରିଦେବା ପାଇଁ ଅଡିବସିଲେ । ତଥାପି ସେ ତାଙ୍କ ଜିଦରେ ଅଟଳ ଥାଆନ୍ତି । ଏହି ସମୟରେ ତାଙ୍କ ଗ୍ରାମକୁ ଜଣେ ସନ୍ଥ ଆସି ପ୍ରବଚନ ଦେଉଥିଲେ । ଯୁବକର ପିତାମାତା ସନ୍ଥଙ୍କ ନିକଟକୁ ଯାଇ ତାଙ୍କର ଏକମାତ୍ର ପୁତ୍ରକୁ ବିବାହ କରିବା ପାଇଁ ପ୍ରବର୍ତ୍ତାଇବା ନିମିତ୍ତ ଅନୁରୋଧ କଲେ । ଯାହାହେଉ ସନ୍ଥଙ୍କ କଥା ମାନି ଯୁବକ ବିବାହ ବନ୍ଧନରେ ଆବଦ୍ଧ ହେଲେ । ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା ବା ବଂଶରକ୍ଷା ନିମିତ୍ତ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ପରେ ଗୃହତ୍ୟାଗ କରିବାକୁ ଇଚ୍ଛା ପ୍ରକାଶ କଲେ । ଗୌତମ ବୁଦ୍ଧଙ୍କ ପରି ଦିନେ ଅର୍ଦ୍ଧରାତ୍ରରେ ସେ ସଂସାର ତ୍ୟାଗ କଲେ । ପ୍ରଥମେ ଜଣେ ଗୁରୁଙ୍କ ନିକଟକୁ ଯାଇ ଦିକ୍ଷାପ୍ରାପ୍ତ ହେବା ପରେ ଗୁରୁ ତାଙ୍କୁ ଜପ,ତପ,ଧ୍ୟାନ,ପ୍ରାଣାୟମ ଆଦି ଶିକ୍ଷାଦାନ କଲେ । ସେହି ବ୍ୟକ୍ତି ଲକ୍ଷ୍ୟ କଲେ ଏହି ସମାଜ ମଧ୍ୟରେ ରହି ଜପତପ କରିବା ବା ଈଶ୍ଵର ସାନ୍ନିଧ୍ୟ ଲାଭ କରିବା ଦୁରୂହ ବ୍ୟାପାର । ତେଣୁ ସେ ଗୋଟିଏ ମନ୍ଦିରକୁ ଗମନ କଲେ । ସେଠାରେ ମଧ୍ୟ ପୂଜକ, ଦର୍ଶନାର୍ଥୀଙ୍କ ଭିଡ । ସର୍ବଦା କୋଳାହଳ । ତା’ପରେ ସେ ଜପତପ ଆଚରଣ କରିବାକୁ ଉପଯୁକ୍ତ କ୍ଷେତ୍ର ଜଙ୍ଗଲ ହିଁ ହୋଇପାରେ ଭାବି ଜଙ୍ଗଲଗାମୀ ହେଲେ । ସେଠାରେ ଏକ ନିରୋଳା ସ୍ଥାନ ଦେଖି ଗୁରୁ ପ୍ରଦତ୍ତ ମନ୍ତ୍ର ଦ୍ଵାରା ଇଷ୍ଟଙ୍କୁ ଧ୍ୟାନ କଲେ । ହେଲେ ଏହି ସମୟରେ ନିକଟସ୍ଥ ଗଛକୁ ଦଳେ ପକ୍ଷୀ ଉଡିଆସି କିଚିରିମିଚିରି ଶବ୍ଦ କରି ଫଡଫାଡ ହେଲେ । ସାଧକଙ୍କ ମୁଣ୍ଡ ଉପରେ ମଳତ୍ୟାଗ କଲେ । ଏବେ ସାଧକ ଦେଖିଲେ ଏଇ ଜଙ୍ଗଲରେ ରାତ୍ରରେ ଜପତପ ଆଚରଣ କରିବା ନିରାପଦ ନୁହେଁ । ବଣୁଆ ଜୀବଜନ୍ତୁ ତାଙ୍କୁ ଆକ୍ରମଣ କରି ମାରିଦେଇ ପାରନ୍ତି । ସେ ବ୍ୟସ୍ତ ହୋଇପଡିଲେ । ଘର ଛାଡ଼ି ମନ୍ଦିରକୁ ଆସିଲେ, ମନ୍ଦିର ଛାଡି ଜଙ୍ଗଲର ନିରୋଳା ସ୍ଥାନକୁ ଆସିଲେ । ତଥାପି ଏକାନ୍ତରେ ଈଶ୍ୱରଙ୍କ ପ୍ରାର୍ଥନା କରିବାର ଦୁର୍ଲଭ ସୁଯୋଗ ମିଳୁନାହିଁ ।

    ଶେଷରେ ସାଧକ ଏ ଶରୀର ତ୍ୟାଗ କରିବାକୁ ଚିନ୍ତାକଲେ । ଶରୀର ତ ଦିନେ ନା ଦିନେ ତ୍ୟାଗ କରିବାକୁ ପଡିବ । ଗୀତାରେ ଅଛି- ପୁରୁଣା ବସନ ତ୍ୟାଗକରି ନୂତନ ବସ୍ତ୍ର ପରିଧାନ ପରି ଏ ଶରୀର ପରିତ୍ୟାଗ କରାଯାଏ । ଆତ୍ମାର ମୃତ୍ୟୁ ନାହିଁ । ତେଣୁ ସେ ଭାବିଲେ ପୁନର୍ଜନ୍ମ ହେବା ପରେ ଏକ ସୁନ୍ଦର ନିରୋଳା ସ୍ଥାନ ନିଶ୍ଚିତ ମିଳିଯିବ । ସେତିକିବେଳେ ହିଁ ସେ ଶାନ୍ତିରେ ଈଶ୍ଵର ଆରାଧନା ପାଇଁ ଉପଯୁକ୍ତ ସୁଯୋଗ ପାଇପାରିବେ । ତାପରେ ସେହି ସାଧକ ଜଙ୍ଗଲରୁ କାଷ୍ଠାଦି ସଂଗ୍ରହ କରି ଅଗ୍ନି ସଂଯୋଗ କରିବାକୁ ଉଦ୍ୟତ ହେଲେ । ଜଙ୍ଗଲକୁ ଆସିଥିବା ଜଣେ କାଠୁରିଆ ଏହାର କାରଣ ପଚାରିବାରୁ ସାଧକ କହିଲେ ଏ ଜଞ୍ଜାଳପୂର୍ଣ୍ଣ ନଶ୍ଵର ଶରୀର ତ୍ୟାଗ କରିବା ପାଇଁ ସେ ଚିତାଗ୍ନିରେ ପ୍ରବେଶ କରିବାକୁ ଯାଉଛନ୍ତି ।

    ସେହି ଆଗନ୍ତୁକ ବ୍ୟକ୍ତି ଜଣକ ତାଙ୍କୁ ଏପରି କରିବାକୁ ବାରଣ କଲେ । ସେ କହିଲେ- ଏଠାରୁ ଯେଉଁ ଆଡକୁ ପବନ ବହୁଛି ସେହି ଦିଗ ଆଡେ ଆମ ନିବାସସ୍ଥଳୀ । ତେଣୁ ତୁମେ ଏଠାରେ ଜୀବନଦାହ କଲେ ଆମେ ଶରୀର ଦାହର ଅସହ୍ୟ ଦୁର୍ଗନ୍ଧ ସହ୍ୟ କରିପାରିବୁ ନାହିଁ । ତେଣୁ ତୁମେ ଅନ୍ୟ କେଉଁଠି ପ୍ରାଣ ବିସର୍ଜନ କରିପାର । ଏହା ଶ୍ରବଣାନ୍ତେ ସାଧକ ବୁଝିପାରିଲେ ଯେ ଶାନ୍ତିରେ ବଞ୍ଚି ନହେବା ପରି ଶାନ୍ତିରେ ମରିବାକୁ ଚାହିଁଲେ ମଧ୍ୟ ସୁଯୋଗର ଅଭାବ । ଗୁରୁଙ୍କ କଥା ମନେପଡିଲା ଯେ, ସ୍ଵଇଚ୍ଛାରେ ମରିବା ବା ଆତ୍ମହତ୍ୟା କରିବାର ଅଧିକାର ମଣିଷର ନାହିଁ । ଏହା ,ମହାପାପ । ତେଣୁ ଯେଉଁଠି,ଯେଉଁ ପରିସ୍ଥିତିରେ ଥିଲେ ବି ମନରେ ଶାନ୍ତି ଆଣି ସତକର୍ମ ବା ସତ କର୍ତ୍ତବ୍ୟରେ ସର୍ବଦା ମଜ୍ଜି ରହି, ସତସଙ୍ଗ,ସତପୁସ୍ତକ, ଶାସ୍ତ୍ରପୁରାଣ ପଠନ ବଳରେ ଈଶ୍ଵର କୃପା ପ୍ରାପ୍ତି ସମ୍ଭବ । ଏଥର ସେ ଘରକୁ ଫେରିଆସି ସାଧନାରେ ମଗ୍ନ ରହିବାକୁ ମାନସିକ ସ୍ଥରରେ ଦୃଢ ହେଲେ । ସେ ବୁଝିପାରିଲେ, ଏହି ସଂସାର ଦୁଃଖପୂର୍ଣ୍ଣ ହେଲେ ବି ଅଶାନ୍ତି, ଗୋଳମାଳ ମଧ୍ୟରୁ ଶାନ୍ତି ପରି ଅମୃତ ସଂଗ୍ରହ କରିହେବ । ସୁଖ ପାଇହେବ । ସମୁଦ୍ର ମନ୍ଥନରୁ ବିଷ ବାହାରିଥିଲେ ମଧ୍ୟ ଅମୃତ ମିଳିଥିଲା ।

    ଡଙ୍ଗା ନଦୀଜଳ ରେ ଚାଲୁଥିଲେ ବି ଏଥିରେ ଜଳ ପ୍ରବେଶ କରିପାରେ ନାହିଁ । ଠିକ ସେହିପରି ଆମେ ସଂସାର ମଧ୍ୟରେ ରହି ସାଧନ ଜାରି ରଖିବା ପାଇଁ ଚେଷ୍ଟା କଲେ ଏହା ଅସମ୍ଭବ ନୁହେଁ । ଆମେ ସଂସାର ମଧ୍ୟରେ ରହିବା ମାତ୍ର ସଂସାର ଆମ ମଧ୍ୟରେ ନରହୁ । ସଂସାରର କଳୁଷିତ,ପ୍ରଦୂଷିତ ବାତାବରଣ ଆମକୁ ସତପଥଚ୍ୟୁତ ନକରୁ ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    19 ° C
    19 °
    19 °
    60 %
    1.3kmh
    51 %
    Sun
    19 °
    Mon
    27 °
    Tue
    27 °
    Wed
    26 °
    Thu
    27 °

    ସମ୍ବନ୍ଧିତ