Sunday, March 22, 2026
32 C
Odisha

    ରତନ ଟାଟାଙ୍କ ବ୍ୟକ୍ତିତ୍ୱ ଅନେକ ପିଢ଼ି ପାଇଁ ପ୍ରେରଣା – ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଏକ ଲେଖାରେ ଦିବଂଗତ ଶିଳ୍ପପତି ରତ୍ନ ଟାଟାଙ୍କ ସମ୍ପର୍କରେ ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ରତନ ଟାଟା ଆମକୁ ଛାଡ଼ି ଚାଲିଯିବାର ଗୋଟିଏ ମାସ ବିତିଗଲାଣି। କୋଳାହଳପୂର୍ଣ୍ଣ ମହାନଗର ଓ ଛୋଟ ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ତାଙ୍କର ଅନୁପସ୍ଥିତି ସମାଜର ପ୍ରତ୍ୟେକ ସ୍ତରରେ ଅନୁଭୂତ ହେଉଛି। ବିଶିଷ୍ଟ ଶିଳ୍ପପତି, ଯୁବ ଉଦ୍ୟୋଗୀ ଏବଂ କଠିନ ପରିଶ୍ରମ କରୁଥିବା ପେସାଦାରମାନେ ତାଙ୍କ ବିୟୋଗରେ ଶୋକାଭିଭୂତ ହୋଇପଡ଼ିଛନ୍ତି। ପରିବେଶକୁ ନେଇ ଯତ୍ନଶୀଳ ଏବଂ ଦାନପୂଣ୍ୟରେ ଆଗ୍ରହୀ ଥିବା ଲୋକମାନେ ମଧ୍ୟ ଅନୁରୂପ ଭାବେ ଦୁଃଖିତ। ତାଙ୍କର ଅନୁପସ୍ଥିତି କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଗଭୀର ଭାବେ ଅନୁଭୂତ ହେଉଛି।

    ଶ୍ରୀ ମୋଦୀ ଲେଖିଛନ୍ତି, ରତନ ଟାଟା ଯୁବପିଢିଙ୍କ ପାଇଁ ଏକ ପ୍ରେରଣା ଥିଲେ। ସେ ଶିଖାଇଥିଲେ ଯେ ସ୍ୱପ୍ନକୁ ସାକାର କରିବା ସମ୍ଭବ ଏବଂ କରୁଣା ଓ ବିନମ୍ରତାର ସହ ସଫଳତା ହାସଲ କରାଯାଇପାରିବ। ତାଙ୍କ ନେତୃତ୍ୱରେ, ଟାଟା ଗ୍ରୁପ୍ ନୂଆ ଉଚ୍ଚତା ଛୁଇଁଥିଲା ଏବଂ ସାରା ବିଶ୍ୱରେ ସମ୍ମାନ, ସଚ୍ଚୋଟତା ଓ ବିଶ୍ୱସନୀୟତାର ପ୍ରତୀକ ପାଲଟିଥିଲା। ଏହା ସତ୍ତ୍ୱେ ସେ ବିନମ୍ରତା ଓ ଉଦାରତା ସହିତ ନିଜର ସଫଳତାକୁ ଅତି ହାଲୁକା ଭାବେ ନେଇଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି।

    ପ୍ରଧାନମନ୍ତ୍ରୀ କହିଛନ୍ତି, ରତନ ଟାଟା ଭାରତୀୟ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ମାର୍ଗଦର୍ଶନ କରିଥିଲେ। କେବଳ ବୋର୍ଡ ରୁମ୍ କିମ୍ବା ସାଥୀ ମଣିଷଙ୍କୁ ସାହାଯ୍ୟ କରିବାରେ ତାଙ୍କର ମହାନତା ସୀମିତ ନଥିଲା। ତାଙ୍କର କରୁଣାଭାବ ସମସ୍ତ ଜୀବଜଗତଙ୍କ ପାଇଁ ବିସ୍ତାରିତ ହୋଇଥିଲା। ପ୍ରାଣୀମାନଙ୍କ ପ୍ରତି ତାଙ୍କର ଗଭୀର ଭଲପାଇବା ବିଷୟରେ ସମସ୍ତେ ଜାଣନ୍ତି ଏବଂ ପ୍ରାଣୀଙ୍କ କଲ୍ୟାଣ ଉପରେ କେନ୍ଦ୍ରିତ ପ୍ରତ୍ୟେକ ସମ୍ଭାବ୍ୟ ପ୍ରୟାସକୁ ସେ ସମର୍ଥନ କରିଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି।

    ନିୟମିତ ଭାବେ ଚିଠି ଲେଖୁଥିବା ଜଣେ ବ୍ୟକ୍ତି ଭାବେ ପ୍ରଧାନମନ୍ତ୍ରୀ, ରତନ ଟାଟାଙ୍କୁ ସ୍ମରଣ କରିଛନ୍ତି। କେବେ ଶାସନ ପ୍ରସଙ୍ଗରେ ହେଉ କିମ୍ବା ସରକାରୀ ସହାୟତାକୁ ପ୍ରଶଂସା କରି ହେଉ ଅଥବା ନିର୍ବାଚନ ବିଜୟ ପରେ ଅଭିନନ୍ଦନ ଜଣାଇବା ହେଉ, ସେ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ପାଖକୁ ନିୟମିତ ଚିଠି ଲେଖୁଥିଲେ। ଭାରତକୁ ଅଧିକ ଉନ୍ନତ, ଦୟାପୂର୍ଣ୍ଣ ଏବଂ ଆଶାବାଦୀ ସ୍ଥାନରେ ପରିଣତ କରିଥିବାରୁ ଅନେକ ପିଢ଼ି ତାଙ୍କ ନିକଟରେ କୃତଜ୍ଞ ହୋଇ ରହିବେ ବୋଲି ଶ୍ରୀ ମୋଦି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32 ° C
    32 °
    32 °
    17 %
    4.1kmh
    4 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ