ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ ଜଣେ ଦେବତାଙ୍କୁ ସମର୍ପିତ କରାଯାଏ । ସେହିପରି ରବିବାର ସୂର୍ଯ୍ୟଦେବଙ୍କ ଆରାଧନା ପାଇଁ ନିର୍ଦ୍ଦିଷ୍ଟ ହୋଇଛି । ସୂର୍ଯ୍ୟଙ୍କୁ ପ୍ରତ୍ୟକ୍ଷ ଦେବତା ବୋଲି ବିବେଚନା କରାଯାଏ । ସୂର୍ଯ୍ୟଦେବ ଯୁଗ ଯୁଗରୁ ବିଦ୍ୟମାନ ହୋଇ ଆସୁଛନ୍ତି । ସୂର୍ଯ୍ୟଦେବ ଗୋଟିଏ ଦେବତା ଯିଏ କି ପ୍ରତିଦିନ ଦୃଶ୍ୟମାନ ହୁଅନ୍ତି ଏବଂ ସେ ପୃଥିବୀର ମୂଳ ଆଧାର।
ପୁରାଣ ଅନୁସାରେ, ସୂର୍ଯ୍ୟଦେବ ସମସ୍ତ ସୃଷ୍ଟିକୁ ଆଲୋକ, ଶକ୍ତି ଓ ଜୀବନ ପ୍ରଦାନ କରନ୍ତି । ସେଥିପାଇଁ ତାଙ୍କୁ ନବଗ୍ରହର ରାଜା ବୋଲି କୁହାଯାଏ। ରବିବାର ଦିନ ଭକ୍ତିର ସହ ସୂର୍ଯ୍ୟଦେବଙ୍କୁ ପୂଜା କଲେ ଜୀବନରେ ସୁଖ, ସମୃଦ୍ଧି, ଆରୋଗ୍ୟ ଓ ସଫଳତା ମିଳିଥାଏ ବିଶ୍ବାସ କରାଯାଏ ।
ରବିବାର ସକାଳେ ସୂର୍ଯ୍ୟୋଦୟ ସମୟରେ ସ୍ନାନ କରି ତମ୍ବା ପାତ୍ରରେ ଜଳ ଭରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଅତ୍ୟନ୍ତ ଶୁଭ ବୋଲି ମନାଯାଏ । ଅର୍ଘ୍ୟ ଦେବା ସମୟରେ ଓଁ ଘୃଣିଃ ସୂର୍ଯ୍ୟାୟ ନମଃ ମନ୍ତ୍ର ଜପ କଲେ ବିଶେଷ ପୁଣ୍ୟ ମିଳିଥାଏ ବୋଲି ଧାର୍ମିକ ମାନ୍ୟତା ରହିଛି । ଅନେକ ଲୋକ ଏହି ଦିନ ଉପବାସ ମଧ୍ୟ କରନ୍ତି ଏବଂ ଲାଲ ରଙ୍ଗର ଫୁଲ, ଗହମ, ଗୁଡ଼ ଓ ତମ୍ବା ଦାନ କରନ୍ତି ।
ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବଳ, ନେତୃତ୍ୱ, ସମ୍ମାନ ଓ ଆତ୍ମବିଶ୍ୱାସର ପ୍ରତୀକ ବୋଲି କୁହାଯାଇଛି । କୁଣ୍ଡଳୀରେ ସୂର୍ଯ୍ୟ ଶକ୍ତିଶାଳୀ ଥିଲେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ଉଜ୍ଜ୍ୱଳ ହୁଏ ଏବଂ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳେ । ସେଥିପାଇଁ ଅନେକ ଲୋକ ସୂର୍ଯ୍ୟଙ୍କ କୃପା ପାଇବା ପାଇଁ ରବିବାର ବ୍ରତ ପାଳନ କରନ୍ତି ।
ଏହା ବ୍ୟତୀତ ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ ସକାଳର ସୂର୍ଯ୍ୟକିରଣ ଆମ ଶରୀର ପାଇଁ ଖୁବ ଉପକାରୀ । ଏହା ଶରୀରକୁ ଭିଟାମିନ୍-ଡି ଯୋଗାଇଥାଏ । ଫଳରେ ହାଡ଼କୁ ଶକ୍ତିଶାଳୀ କରିଥାଏ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୁଏ ।
ତେଣୁ ରବିବାର ଦିନ ସୂର୍ଯ୍ୟଙ୍କ ପୂଜା କେବଳ ଧାର୍ମିକ ପରମ୍ପରା ନୁହେଁ, ଏହା ପ୍ରକୃତି ପ୍ରତି କୃତଜ୍ଞତା ପ୍ରକାଶ କରିବାର ଏକ ସୁନ୍ଦର ମାଧ୍ୟମ ମଧ୍ୟ । ଭକ୍ତି, ଶ୍ରଦ୍ଧା ଓ ସକାରାତ୍ମକ ଚିନ୍ତାଧାରା ସହ ସୂର୍ଯ୍ୟଦେବଙ୍କ ଆରାଧନା କଲେ ଜୀବନରେ ନୂଆ ଉର୍ଜା, ଆତ୍ମବିଶ୍ୱାସ ଓ ସଫଳତାର ପଥ ଖୋଲିଯାଏ ।
