Thursday, October 8, 2026
24.4 C
Odisha

    ରାଜଧାନୀରୁ ପଶ୍ଚିମ ଓଡ଼ିଶା, ପ୍ରବଳ ବର୍ଷିବ, ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରୁ ପଶ୍ଚିମ ଓଡ଼ିଶା, ପ୍ରବଳ ବର୍ଷିବ ! ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ଗାଙ୍ଗେୟ ପଶ୍ଚିମବଙ୍ଗ, ପାର୍ଶ୍ଵବର୍ତ୍ତୀ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ସୀମାନ୍ତରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

    ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୪ଟି ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ରହିବ। ବରଗଡ଼, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

    ୧୧ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଏବଂ ନୂଆପଡ଼ାର କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ‘ୟେଲୋ ଆଲର୍ଟ’ ଜାରି ହୋଇଛି। ଏହି ବର୍ଷା ଏତିକିରେ ଥମିବ ନାହିଁ। ୨୧ ତାରିଖ ସକାଳ ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଏବଂ ଝାରସୁଗୁଡ଼ା ଭଳି ଜିଲ୍ଲାଗୁଡ଼ିକରେ ପର୍ଯ୍ୟାୟକ୍ରମେ ପ୍ରବଳ ବର୍ଷା ଜାରି ରହିବ।

    ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ମାତ୍ରାଧିକ ବର୍ଷା ରେକର୍ଡ କରାଯାଇଛି। କେନ୍ଦୁଝର ଜିଲ୍ଲାର ହାଟଡିହିରେ ସର୍ବାଧିକ ୨୧ ସେମି ଏବଂ ବରଗଡ଼ ଜିଲ୍ଲାର ଅତାବିରାରେ ୧୬ ସେମି ବର୍ଷା ହୋଇଥିବା ଜଣାପଡ଼ିଛି। ଲଘୁଚାପ ସକ୍ରିୟ ଥିବାରୁ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଛି।

    ସେଥିପାଇଁ ରାଜ୍ୟର ସମସ୍ତ ବନ୍ଦରଗୁଡ଼ିକରେ ୩ ନମ୍ବର ସ୍ଥାନୀୟ ବିପଦ ସଙ୍କେତ ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସ୍ପଷ୍ଟ ବାରଣ କରାଯାଇଛି। ଏହା ସହିତ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    0.5kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ