ଭୁବନେଶ୍ବର: ରାଜ୍ୟରେ ଥମୁନି ଶୀତର ପ୍ରକୋପ । ୧୦ ଡିଗ୍ରୀ ତଳେ ୨୮ ସହରର ତାପମାତ୍ରା । ଜାନୁଆରୀ ମାସରେ ପ୍ରବଳ ଶୀତ ୭୦ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି । ଝାରସୁଗୁଡ଼ାରେ ୪.୫ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଏହା ଜାନୁଆରୀ ମାସରେ ଗତ ୭୩ ବର୍ଷର ସବୁଠାରୁ ଥଣ୍ଡା ରାତି ପାଲଟିଛି ।
ସେହିପରି ଭୁବନେଶ୍ବରରେ ୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଏହା ଗତ ୨୨ ବର୍ଷରେ ସବୁଠାରୁ ଥଣ୍ଡା ରାତି ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଗତ ଗୁରୁବାର ରାତିରେ ରାଉରକେଲାରେ ରାତି ତାପମାତ୍ରା ୩.୬ ଡିଗ୍ରୀ ରହିଥିବାବେଳେ ଏହା ଜାନୁଆରୀ ମାସରେ ସହରର ସବୁଠାରୁ ଥଣ୍ଡା ରାତି ବୋଲି ଜଣାପଡିଛି । ପ୍ରବଳ ଶୀତ ଲହରୀ ପାଇଁ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଢେଙ୍କାନାଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ରାତି ତାପମାତ୍ରା ସାଧାରଣଠାରୁ କମ୍ ରହିବ । ଆସନ୍ତାକାଲି ଠାରୁ ରାତି ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ଘଟିବ । ଫଳରେ ଶୀତର ପ୍ରକୋପ ସାମାନ୍ୟ କମିପାରେ । ଥଣ୍ଡାର ଦାଉରୁ ରକ୍ଷା ପାଇବେ ରାଜ୍ୟବାସୀ ।

