ଅଯୋଧ୍ୟା : ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବରୁ ନିର୍ଦ୍ଧାରିତ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ କରିଛନ୍ତି । ପ୍ରଥମେ ଅଯୋଧ୍ୟାରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦୀ ସପ୍ତମନ୍ଦିରରେ ଶକ୍ତିପୀଠ ଦର୍ଶନ କରିଥିଲେ । ଏହା ପରେ ଧ୍ଵଜା ଆରୋହଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଧ୍ଵଜା ଆରୋହଣ କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବାନ୍ ପଟେଲ ଏବଂ ଆରଏସଏସ ମୁଖ୍ୟ ମୋହନ ଭଗବତ ଏହି ଉତ୍ସବରେ ମୋଦୀଙ୍କ ସହ ଯୋଗଦେଇଛନ୍ତି । ମନ୍ଦିର ଶିଖରରେ ଗେରୁଆ ରଙ୍ଗର ଧ୍ଵଜା ଫରଫର ହୋଇ ଉଡୁଛି । ଧ୍ଵଜା ଗେରୁଆ ରଙ୍ଗ ସହିତ ଦକ୍ଷିଣକୋଣୀ ହୋଇଛି । ଯାହା ସୂର୍ଯ୍ୟଙ୍କ ପ୍ରତୀକ ବହନ କରୁଛି । ଅନନ୍ତ ଶକ୍ତି, ଦିବ୍ୟ ଆଲୋକ, ଗୁଣ ଓ ଜ୍ଞାନ ଏବଂ ପ୍ରଭୁ ରାମଙ୍କ ସହିତ ଜଡିତ ସମସ୍ତ ଗୁଣକୁ ପ୍ରତିନିଧିତ୍ୱ କରୁଛି ଧ୍ଵଜା । ଧ୍ଵଜାରେ କାଞ୍ଚନ ବୃକ୍ଷର ପ୍ରତିଛବି ରହିଛି । ୧୯୧ ଫୁଟ ଉଚ୍ଚତାରେ ମନ୍ଦିର ଶିଖରରେ ୧୦ ଫୁଟ ଲମ୍ବ ଓ ୨୨ ଫୁଟ ଓସାରର ଏହି ଧ୍ଵଜା ଉଡୁଛି । ଏହାର ଓଜନ ପ୍ରାୟ ୧୧ କେଜି । ଧ୍ଵଜାରେ ରହିଛି ପ୍ରଭୁ ରାମଙ୍କ ପ୍ରତୀକ । ଧ୍ଵଜାରେ ‘ଓମ୍’ ଚିହ୍ନ ଖୋଦିତ ରହିଛି । ଏହି ଧ୍ଵଜାକୁ ପାରମ୍ପରିକ ଉତ୍ତର ଭାରତୀୟ ନାଗରା ସ୍ଥାପତ୍ୟ ଶୈଳୀରେ ନିର୍ମିତ ‘ଶିଖର’ ଉପରେ ସ୍ଥାପନ କରାଯାଇଛି । ୩ଟି ଲେୟାର ଫେବ୍ରିକରେ ଏହି ଧ୍ଵଜା ତିଆରି ହୋଇଛି ଓ ଏହାକୁ ନିର୍ମାଣ ଲାଗି ୨୫ ଦିନ ସମୟ ଲାଗିଛି । ଏହି ଧ୍ଵଜା ଅହମ୍ମଦାବାଦରେ ତିଆରି ହୋଇଛି ।

