Sunday, September 13, 2026
27.6 C
Odisha

    ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ସଂସଦ ବଜେଟ୍ ଅଧିବେଶନ ଆରମ୍ଭ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନ ଗତକାଲି ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ଅଧିବେଶନରେ ଉଭୟ ଗୃହର ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ମୋ ସରକାର ସାମାଜିକ ନ୍ୟାୟ, ସାମଗ୍ରିକ ବିକାଶ, ଜାତୀୟ ସୁରକ୍ଷାକୁ ଆଧାର କରି ବିକଶିତ ଭାରତ ଗଠନ ଦିଗରେ ଆଗେଇ ଚାଲିଛନ୍ତି। ସେ କହିଛନ୍ତି ଯେ ଆମର ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ସର୍ବଦା ସମାନତା ଓ ସାମାଜିକ ନ୍ୟାୟ ଉପରେ ଗୁରୁତ୍ବ ଦେଇଆସିଛନ୍ତି। ତେଣୁ ଦେଶର ପ୍ରତ୍ୟେକ ନାଗରିକ ବିନା କୌଣସି ବାଛବିଚାରରେ ସେମାନଙ୍କର ଅଧିକାର ସାବ୍ୟସ୍ତ କରିବାର ସୁଯୋଗ ପାଇବା ଦରକାର। ଆଉ ସରକାର ଏପରି ଅଧିକାର ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ରାଷ୍ଟ୍ରପତି କହିଛନ୍ତି ଯେ ଗତ ୧୦ବର୍ଷ ମଧ୍ୟରେ ଦେଶର ୨୫ କୋଟି ନାଗରିକ ଦାରିଦ୍ର୍ୟରୁ ଉପରକୁ ଉଠିଛନ୍ତି। ସେହିପରି ସାମାଜିକ ସୁରକ୍ଷା ଯୋଜନାରେ ଦେଶର ୯୫ କୋଟି ନାଗରିକ ଅନ୍ତର୍ଭୁକ୍ତ ହୋଇଛନ୍ତି। ୨୦୧୪ରେ ମାତ୍ର ୨୫ କୋଟି ନାଗରିକ ଏହି ଯୋଜନାରେ ସାମିଲ ଥିଲେ। ସେ କହିଛନ୍ତି ଯେ ସରକାର ଦଳିତ, ପଛୁଆବର୍ଗ ଓ ଆଦିବାସୀଙ୍କ ଉନ୍ନତି ପାଇଁ ତତ୍ପରତା ସହିତ କାର୍ଯ୍ୟ କରୁଛନ୍ତି। ସରକାରଙ୍କ ସବ୍‌କା ସାଥ, ସବ୍‌କା ବିକାଶ ନାରା ଲୋକଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଛି।
    ରାଷ୍ଟ୍ରପତି କହିଛନ୍ତି ଯେ ଜାତୀୟ ସୁରକ୍ଷାକୁ ମୋ ସରକାର ସର୍ବାଧିକ ପ୍ରାଥମିକତା ଦେଇ ଆସୁଛନ୍ତି। ଜାତୀୟ ସୁରକ୍ଷା ଲାଗି ଆତଙ୍କବାଦ ପ୍ରତି ଦମନମୂଳକ ମନୋଭାବ ପୋଷଣ କରୁଛନ୍ତି। ଭାରତ ଉପରେ ହେଉଥିବା ପ୍ରତିଟି ଆତଙ୍କବାଦୀ ଆକ୍ରମଣର କଡା ଓ ନିର୍ଣ୍ଣାୟକ ଜବାବ ଦିଆଯାଉଛି। ଅପରେସନ ସିନ୍ଦୂର କଥା ମନେ ପକାଇ ରାଷ୍ଟ୍ରପତି କହିଛନ୍ତି ଯେ ଭାରତୀୟ ସେନାର ସାହସ ଓ ସାମରିକ ଦକ୍ଷତାକୁ ସମଗ୍ର ବିଶ୍ବ ଦେଖିବାକୁ ପାଇଛି। ଅପରେସନ ସିନ୍ଦୂର ମାଧ୍ୟମରେ ଭାରତ ସେନା ପାକିସ୍ତାନ ମାଟିରେ ସକ୍ରିୟ ଏକାଧିକ ଆତଙ୍କବାଦୀ ଆଡ୍ଡାସ୍ଥଳକୁ ଧଂସ କରିଥିଲା। ଆତଙ୍କବାଦର ପୃଷ୍ଠପୋଷକ ସାଜିଥିବା ପାକିସ୍ତାନକୁ ଦମନ କରିବା ଲାଗି ବ୍ୟାପକ ରଣନୀତି ପୂର୍ବକ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛନ୍ତି। ଦେଶର ସୁରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଲାଗି ମିଶନ ସୁଦର୍ଶନ ଚକ୍ରର ପରିକଳ୍ପନା କରାଯାଇଛି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନିଶ୍ଚତ କରିବା ଲାଗି ସରକାର ମାଓବାଦୀ ହିଂସାକୁ ଦୃଢ ହସ୍ତରେ ଦମନ କରିଛନ୍ତି। ଦେଶର ମାଓ ଅଧ୍ୟୁଷିତ ଜିଲା ସଂଖ୍ୟା ୧୨୬ରୁ ଏବେ ୮କୁ ହ୍ରାସ ପାଇଛି। ମାଓବାଦୀ ସଂଗଠନ ସହିତ ଜଡିତ ଥିବା ପ୍ରାୟ ୨୦୦୦ ଲୋକ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।
    ଦେଶର ଆର୍ଥିକ ବିକାଶ ଉପରେ ଆଲୋକପାତ କରି ରାଷ୍ଟ୍ରପତି କହିଛନ୍ତି ଯେ ମୋ ସରକାର ଏକ ଦୁର୍ନୀତିମୁକ୍ତ ପ୍ରଶାସନିକ ବ୍ୟବସ୍ଥା ତିଆରି କରିବାରେ ସଫଳ ହୋଇଛନ୍ତି। ଲୋକଙ୍କ ଲାଗି ଉଦ୍ଦିଷ୍ଟ ଅର୍ଥ ଯେପରି କୌଣସି ସ୍ଥାନରେ ବାଟମାରଣା ନ ହେବ ସେଥିପାଇଁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଭଳି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। ଏହାଦ୍ବାରା ବିଭିନ୍ନ ଯୋଜନା ମାଧ୍ୟମରେ ନାଗରିକଙ୍କ ନିକଟକୁ ସିଧାସଳକ ଅର୍ଥ ପ୍ରଦାନ କରାଯାଉଛି। ବିଗତ ବର୍ଷଗୁଡିକରେ ଡିବିଟି ମାଧ୍ୟମରେ ଲୋକଙ୍କୁ ୬.୭୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ସହିତ ବିଭିନ୍ନ ସରକାରୀ ବ୍ୟବସ୍ଥାରେ ହେଉଥିବା ଦୁର୍ନୀତିକୁ ରୋକିବା ଲାଗି ସରକାର କଠୋର ପଦକ୍ଷେପ ନେଉଛନ୍ତି। ଦୁର୍ନୀତିକୁ ଦୃଢ ହସ୍ତରେ ଦମନ କରିବା ଲାଗି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଦେଶର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ସରକାର ବ୍ୟାପକ ପୁଞ୍ଜିନିବେଶ କରିଚାଲିଛନ୍ତି। ଦେଶର ଭିତ୍ତିଭୂମି ନିର୍ମାଣ ଲାଗି ଗତ କିଛି ବର୍ଷ ମଧ୍ୟରେ ୫୦ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଛି। ଗତ ୧୧ବର୍ଷ ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ୭୨୦୦ କିମି ଜାତୀୟ ରାଜପଥ ନିର୍ମାଣ କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଗ୍ରାମାଞ୍ଚଳଗୁଡିକରେ ପ୍ରାୟ ୫୦,୦୦୦ କିମି ରାସ୍ତା ନିର୍ମାଣ ହୋଇଛି। ଏହାଦ୍ବାରା ବ୍ୟାପକ ମାତ୍ରାରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି। ରାଷ୍ଟ୍ରପତି କହିଛନ୍ତି ଯେ ଦେଶର କୃଷିକ୍ଷେତ୍ରକୁ ଆଧୁନିକୀକରଣ କରିବା ଲାଗି ମୋ ସରକାର ଏଗ୍ରିକଲଚରାଲ ଇନଫ୍ରାଷ୍ଟ୍ରକର ଫଣ୍ଡ ଗଠନ କରିଛନ୍ତି। ଏହା ମାଧ୍ୟମରେ ୧.୨୫ ଲକ୍ଷ କୋଟିର ଘରୋଇ ପୁଞ୍ଜିନିବେଶ ହୋଇଛି। ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ସରକାରଙ୍କ ବିଭିନ୍ନ ସଫଳତାର କଥା କହିଥିଲେ। ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପାଛୋଟି ନେଇଥିଲେ। ସଂସଦ ଭବନ ପରିସରରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ