ମୟୂରଭଞ୍ଜ : ରାଷ୍ଟ୍ରପତିଙ୍କ ଗାଁ ମୟୂରଭଞ୍ଜର ପାହାଡ଼ପୁର ହେବ ସୋଲାର ଗାଁ । ରାଇରଙ୍ଗପୁର ଦାଣ୍ଡବୋଷରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଜନଜାତିଙ୍କ ବିକାଶ ଆମ ସରକାରଙ୍କ ପ୍ରାଥମିକତା । ସମ୍ପୂର୍ଣ୍ଣ ପାହାଡ଼ପୁର ଗାଁ ସୋଲାର ଗାଁ ହେବ । ସୂର୍ଯ୍ୟଗ୍ରାମ ଭାବେ ପରିଚିତ ହେବ ପାହାଡ଼ପୁର । ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । ଲୋକେ ମାଗଣା ସେବା ପାଇବେ । ସେହିପରି ମୟୂରଭଞ୍ଜରେ ଆଉ ଏକ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି ମୋଦି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଦୁଇ ବର୍ଷର ଡବଲ ଇଂଜିନ ସରକାର ଐତିହାସିକ ସଫଳତା ପାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଦ୍ରୁତ ଗତିରେ ଓଡ଼ିଶା ବିକାଶ ରାସ୍ତାରେ ଆଗକୁ ବଢ଼ୁଛି । ଗରିବ କଲ୍ୟାଣ ଯୋଜନାରେ ସାଧାରଣ ମଣିଷର ଜୀବନ ବଦଳୁଛି । ଓଡ଼ିଶାର ଆର୍ଥିକ ଗତିବିଧି, ନିବେଶ ଏବଂ ଉଦ୍ୟୋଗକୁ ଆକର୍ଷିତ କରିବାର ସାମର୍ଥ୍ୟ ବଢ଼ିଛି ।
