ଭୁବନେଶ୍ୱର : ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । ଖାଲି ପତାକା ନୁହେଁ ବରଂ ସିସିଟିଭି ନଷ୍ଟ ହେବା ସହ ଗର୍ଭଗୃହରେ ଲାଗିଥିବା ବଲ୍ବ ମଧ୍ୟ ପୋଡ଼ି ଯାଇଥିବାର ସୂଚନା ମିଳିଛି । ବୁଧବାର ହୋଇଥିବା ବର୍ଷା ଓ ବଜ୍ରପାତରେ ଏପରି ହୋଇଥିବା ଜଣାପଡିଛି । ଆଜି ସକାଳୁ ASIର ୫ ଜଣିଆ ଟିମ ମନ୍ଦିର ପରିସରରେ ବୁଲି ମନ୍ଦିର ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପତାକା ପରିବର୍ତ୍ତନ କରାଯାଇଥିବା ବେଳେ କିଛି ଇଲେକ୍ଟ୍ରିଶିଆନ ମରାମତି କାମ କରୁଛନ୍ତି ।
ସୂଚନା ଅନୁସାରେ ବୁଧବାର ଭୁବନେଶ୍ୱରରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହୋଇଥିଲା । ଫଳରେ ଏହି ବଜ୍ରପାତ ଯୋଗୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରର ପତାକା ପୋଡିଯାଇଥିଲା । ସେହିପରି ମନ୍ଦିରରେ ଲାଗିଥିବା କିଛି ସିସିଟିଭି କ୍ଷତିଗ୍ରସ୍ତ ହୋଇଛି । କେତେ କ୍ୟାମେରା ନଷ୍ଟ ହୋଇଛି ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ। ସେହିପରି ବଜ୍ରପାତ ପ୍ରଭାବରେ ମନ୍ଦିରର ଗର୍ଭଗୃହରେ ଲାଗିଥିବା ବଲ୍ବ ମଧ୍ୟ ପୋଡ଼ି ଯାଇଛି । ବାକି ଆଉ କିଛି କିଛି ସ୍ଥାନରେ ମଧ୍ୟ ବଲ୍ବ ପୋଡ଼ିଯାଇଛି । ଏହାସହିତ ମନ୍ଦିରର ଅନେକ ସ୍ଥାନରେ କ୍ଷୟକ୍ଷତିର ସୂଚନା ମିଳିଛି । ଅନେକ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ଏଭଳି ଘଟଣା ଘଟିଥିବା ବଡୁ ନିଯୋଗ, ବ୍ରାହ୍ମଣ ନିଯୋଗ ଓ ମନ୍ଦିର ସୁପରଭାଇଜର ସୂଚନା ଦେଇଛନ୍ତି ।