ନୂଆଦିଲ୍ଲୀ : ଗୁରୁବାର-ଶୁକ୍ରବାର ରାତିରେ ଇସ୍ରାଏଲ ଦକ୍ଷିଣ ଲେବାନନ୍ ଉପରେ ଭୟଙ୍କର ଆକ୍ରମଣ କରିଛି । ଫଳରେ ଏହି ଆକ୍ରମଣରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଅନେକ ଆହତ ହୋଇଥିବା ସହ ଅନେକ ନିଖୋଜ ଥିବା ଜଣାପଡିଛି ।
ଲେବାନନର ଜାତୀୟ ସମ୍ବାଦ ଏଜେନ୍ସି (NNA)ର ରିପୋର୍ଟ ଅନୁସାରେ, ଦକ୍ଷିଣ ଲେବାନନର ନବାତିୟେହ ଜିଲ୍ଲାରେ ଇସ୍ରାଏଲୀ ବିମାନ ଆକ୍ରମଣରେ ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ କିମ୍ବା ନିଖୋଜ ରହିଛନ୍ତି । ସାରା ରାତି ଧରି ଚାଲିଥିବା ବୋମାମାଡ଼ ଏହି ଅଞ୍ଚଳ ଉପରେ ହୋଇଥିବା ସବୁଠାରୁ ଭୟଙ୍କର ଇସ୍ରାଏଲୀ ଆକ୍ରମଣମାନଙ୍କ ମଧ୍ୟରୁ ଗୋଟିଏ ବୋଲି ସଂସ୍ଥା କହିଛି । ମଧ୍ୟରାତ୍ର ପରେ ଅନେକ ଘରକୁ ଟାର୍ଗେଟ କରାଯାଇଥିଲା ବୋଲି ମଧ୍ୟ ଏଜେନ୍ସି କହିଛି ।
ସୂଚନାନୁଯାୟୀ, ନାବାତିହ ସହର, କାଫ୍ର ଜୋଜ୍ ଏବଂ ନିକଟବର୍ତ୍ତୀ ଅନେକ ସହର ଉପରେ ଇସ୍ରାଏଲୀ ପକ୍ଷରୁ ଗୁଳିବର୍ଷଣ କରାଯାଇଥିଲା । ଏହା ପରେ କାଫ୍ର ତିବନିଟ୍ ଏବଂ ରେହାନ୍ ହାଇଟ୍ସକୁ ଟାର୍ଗେଟ କରି ଅନେକ ବିମାନ ଆକ୍ରମଣ କରାଯାଇଥିଲା । ନାବାତିହ ସହର ଓ ହାରୁଫରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅଲ-ଶର୍କିୟା ଏବଂ ଡୁଇର ମଧ୍ୟରେ ଥିବା ଗୋଟିଏ ଘର ଉପରେ ହୋଇଥିବା ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ କଫର ସିର ସହରରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଡୁଇର ମ୍ୟୁନିସିପାଲିଟି କୋଠା ନିକଟରେ ଏକ ମୋଟରସାଇକେଲ ଉପରେ ଇସ୍ରାଏଲୀ ଡ୍ରୋନ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି।
