Thursday, October 29, 2026
23 C
Odisha

    ଶସ୍ତା ହେଲା କର୍କଟ ରୋଗ ଔଷଧ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : କର୍କଟ ରୋଗର ଚିକିତ୍ସାକୁ ଅଧିକ ସୁଲଭ କରିବା ଲକ୍ଷ୍ୟରେ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନ୍‌ପିପିଏ) ପକ୍ଷରୁ ୫୪୩ଟି ବ୍ରାଣ୍ଡ୍‌ର କର୍କଟ ଔଷଧର ସଂଶୋଧିତ ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି) ତାଲିକା ପ୍ରକାଶ କରାଯାଇଛି। ଏହି ନୂତନ ଦର ଆସନ୍ତା ନଭେମ୍ବର ୯ରୁ ଲାଗୁ ହେବ। ଔଷଧ ନିର୍ମାତା କମ୍ପାନୀଗୁଡ଼ିକଠାରୁ ଅକ୍ଟୋବର ୨୭ ସୁଦ୍ଧା ମିଳିଥିବା ତଥ୍ୟ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ପକ୍ଷରୁ ପ୍ରକାଶିତ ତାଲିକାରେ ବିଭିନ୍ନ କର୍କଟ ରୋଗ ଔଷଧର ପୂର୍ବ ଓ ସଂଶୋଧିତ ମୂଲ୍ୟ ଦର୍ଶାଯାଇଛି। ଏଥିରେ ଅନାଷ୍ଟ୍ରୋଜୋଲ୍‌ ଔଷଧର ଅନାର୍ଜୋଲ୍‌ ବ୍ରାଣ୍ଡ୍‌ର ୧୦ଟି ବଟିକା ପ୍ୟାକେଟ୍‌ର ଦାମ୍‌ ୬୯୫.୭୬ ଟଙ୍କାରୁ ୭୩ ଟଙ୍କାକୁ ହ୍ରାସ ପାଇଛି। ସେହିପରି ଡା. ରେଡ୍ଡିଜ୍‌ ଲାବୋରେଟୋରିଜ୍‌ର ଆଜାସିଟିଡିନ୍‌ ଇଞ୍ଜେକ୍ସନ୍‌ର ଦାମ୍‌ ୬,୩୩୭ ଟଙ୍କାରୁ ୧,୪୯୫ ଟଙ୍କାକୁ କମିଛି। ଆବଟ୍‌ ହେଲ୍‌ଥକେୟାରର ବେଭାସିଜୁମାବ୍‌ ଇଞ୍ଜେକ୍ସନ୍‌ର ଦାମ୍‌ ୨୧,୭୬୭ ଟଙ୍କାରୁ ୫,୯୩୦ ଟଙ୍କାକୁ ହ୍ରାସ କରାଯାଇଛି। ଏହା ପୂର୍ବରୁ ଅକ୍ଟୋବର ୧୭ରେ ଏନ୍‌ପିପିଏ ସାଧାରଣ ଜନସ୍ୱାର୍ଥ ଦୃଷ୍ଟିରୁ ୧୩୭ଟି ଅଣ-ସୂଚୀଭୁକ୍ତ କର୍କଟ ଔଷଧର ବାଣିଜ୍ୟିକ ଲାଭାଂଶ ଯୁକ୍ତିସଙ୍ଗତ କରିବା ନେଇ ଘୋଷଣା କରିଥିଲା। ଔଷଧର ଅତ୍ୟଧିକ ଲାଭାଂଶ ହ୍ରାସ କରିବା ସହ କର୍କଟ ଚିକିତ୍ସାକୁ ଅଧିକ ସୁଲଭ କରିବା ଏହାର ଉଦ୍ଦେଶ୍ୟ। ଏହି ଔଷଧଗୁଡ଼ିକ ମଧ୍ୟରେ ଇମ୍ୟୁନୋଥେରାପି ଔଷଧ ସମେତ ବିଭିନ୍ନ ପ୍ରକାର କର୍କଟ ରୋଗ ଚିକିତ୍ସାରେ ବ୍ୟବହୃତ ଔଷଧ ରହିଛି। ସ୍ତନ ଓ ପ୍ରୋଷ୍ଟେଟ୍‌ କର୍କଟ ରୋଗୀଙ୍କ କ୍ଷେତ୍ରରେ ବ୍ୟବହୃତ ଡେନୋସୁମାବ୍‌, କର୍କଟ ରୋଗୀଙ୍କଠାରେ ନ୍ୟୁଟ୍ରୋପେନିଆ ରୋକିବା ପାଇଁ ଦିଆଯାଉଥିବା ପେଗ୍‌ଫିଲଗ୍ରାଷ୍ଟିମ୍‌ ଏବଂ କୋଲନ୍‌, ଓଭାରିଆନ୍‌ ଓ ସର୍ଭିକାଲ୍‌ କର୍କଟ ଚିକିତ୍ସାରେ ବ୍ୟବହୃତ ବେଭାସିଜୁମାବ୍‌ ଏହି ଔଷଧ ମଧ୍ୟରେ ଅନ୍ତର୍ଭୁକ୍ତ। ସଂଶୋଧିତ ଦର ଲାଗୁ ହେବା ପରେ କର୍କଟ ରୋଗୀ ଓ ସେମାନଙ୍କ ପରିବାର ଔଷଧ କିଣିବାରେ ଆର୍ଥିକ ଚାପରୁ କିଛିଟା ଆଶ୍ୱସ୍ତି ପାଇବେ ବୋଲି ଆଶା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23 ° C
    23 °
    23 °
    96 %
    3.9kmh
    100 %
    Thu
    23 °
    Fri
    28 °
    Sat
    28 °
    Sun
    29 °
    Mon
    26 °

    ସମ୍ବନ୍ଧିତ