Thursday, October 8, 2026
24.4 C
Odisha

    ଶାଶୂଘର ମାନସିକ ଚାପ ଓ କଳହରୁ ନିଜକୁ କେମିତି ରଖିବେ ଦୂରେଇ?

    ଆଗକୁ ପଢନ୍ତୁ

    ଟିଭି ସିରିଏଲ୍‌ଗୁଡ଼ିକରେ ଶାଶୂ-ବୋହୂଙ୍କ କଳହ ଦେଖିବା ଯେତିକି ସହଜ ଏବଂ ମନୋରଞ୍ଜନଧର୍ମୀ ଲାଗିଥାଏ, ପ୍ରକୃତ ଜୀବନରେ ସେହି ପରିସ୍ଥିତି ମଣିଷକୁ ଭିତରୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥାଏ। ନିକଟରେ ଚର୍ଚ୍ଚାରେ ଥିବା ମଡେଲ୍ ତ୍ୱିଶା ଶର୍ମାଙ୍କ ମୃତ୍ୟୁ ଖବର ଏବଂ ତାଙ୍କ ଶାଶୂଘର ଲୋକଙ୍କ ପକ୍ଷରୁ ଲଗାଯାଇଥିବା ନିଶା ସେବନର ଅଭିଯୋଗ ଏହି ସାମାଜିକ ସମସ୍ୟାକୁ ପୁଣି ଥରେ ସାମ୍ନାକୁ ଆଣିଛି।

    ଶାଶୂଘରର କିଛି ଲୋକ ଯେଉଁମାନେ ପ୍ରତିଟି କଥାରେ ହସ୍ତକ୍ଷେପ କରନ୍ତି, ତାତ୍ସଲ୍ୟ କରନ୍ତି କିମ୍ବା ମାନସିକ ଚାପ ସୃଷ୍ଟି କରନ୍ତି, ସେମାନଙ୍କ ସହ ମୁକାବିଲା କରିବା କୌଣସି ବଡ଼ ଯୁଦ୍ଧଠାରୁ କମ୍ ନୁହେଁ। ଏଭଳି ପରିସ୍ଥିତିରେ ନିଜର ମାନସିକ ଶାନ୍ତି କେମିତି ବଜାୟ ରଖିବେ, ସେ ନେଇ ମନୋବିଜ୍ଞାନୀ ଓ ସମ୍ପର୍କ ବିଶେଷଜ୍ଞମାନେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ।

    ନିୟମ ଓ ସୀମା ନିର୍ଦ୍ଧାରଣ କରନ୍ତୁ

    ସମ୍ପର୍କରେ ଏକ ସୀମା ରେଖା ଟାଣିବା ଅତ୍ୟନ୍ତ ଜରୁରୀ। ଏହାର ଅର୍ଥ ହେଉଛି ଆପଣ କେଉଁ କଥାକୁ ସହ୍ୟ କରିବେ ଏବଂ କେଉଁ କଥାକୁ ପ୍ରତିବାଦ କରିବେ, ତାହା ସ୍ପଷ୍ଟ ହେବା ଦରକାର। କୌଣସି କଥାରେ ବାରମ୍ବାର ନିଜର ସଫେଇ ଦେବା ବନ୍ଦ କରନ୍ତୁ, କାରଣ ଏହାଦ୍ୱାରା ସାମ୍ନା ଲୋକଙ୍କୁ ଯୁକ୍ତିତର୍କ କରିବାକୁ ଅଧିକ ସୁଯୋଗ ମିଳିଥାଏ।

    ଆପଣାନ୍ତୁ ‘ଗ୍ରେ ରକ୍’ ଫର୍ମୁଲା

    ଯେତେବେଳେ ବୁଝାଇବା ପରେ ମଧ୍ୟ ସାମ୍ନା ଲୋକଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସେନାହିଁ, ସେତେବେଳେ ମନୋବିଜ୍ଞାନୀମାନେ ‘ଗ୍ରେ ରକ୍’ ପଦ୍ଧତି ଆପଣାଇବାକୁ କହନ୍ତି। ଏହାର ଅର୍ଥ ହେଉଛି ନିଜକୁ ଏକ ପଥର ଭଳି ଶାନ୍ତ ଓ ସାଧାରଣ ରଖିବା, ଯେପରିକି ଆପଣଙ୍କ ପ୍ରତିକ୍ରିୟା ଦେଖି ସାମ୍ନା ଲୋକ ଝଗଡ଼ା ବଢ଼ାଇବାକୁ ସୁଯୋଗ ପାଇବେ ନାହିଁ। କେବଳ ‘ଠିକ୍ ଅଛି’, ‘ହୁଁ’ କିମ୍ବା ‘ବୁଝିଗଲି’ ଭଳି ଛୋଟ ଛୋଟ ଶବ୍ଦ କହି ବିବାଦକୁ ଏଡ଼ାଇ ଦିଅନ୍ତୁ।

    ବାହାରେ ମିଳାମିଶା କରନ୍ତୁ ଓ ଦୂରତା ରଖନ୍ତୁ

    ପରିବାର ଲୋକଙ୍କ ସହ ଘର ଭିତରେ ଦୀର୍ଘ ସମୟ ବିତାଇବା ବଦଳରେ ବାହାରେ କୌଣସି ସ୍ଥାନରେ ଖାଇବା କିମ୍ବା ବୁଲିବା ବାହାନାରେ ସ୍ୱଳ୍ପ ସମୟ ପାଇଁ ଦେଖା କରନ୍ତୁ। ଏହାଦ୍ୱାରା ମାହୋଲ୍ ହାଲୁକା ରହେ ଏବଂ ଆବଶ୍ୟକ ପଡ଼ିଲେ ସେଠାରୁ ତୁରନ୍ତ ବାହାରି ଆସିବା ସହଜ ହୋଇଥାଏ। ଯଦି କାହାର ବ୍ୟବହାର ଆପଣଙ୍କ ମାନସିକ ସ୍ୱାସ୍ଥ୍ୟକୁ ଅଧିକ କ୍ଷତି ପହଞ୍ଚାଉଛି, ତେବେ କିଛି ଦିନ ପାଇଁ ସମ୍ପୂର୍ଣ୍ଣ ଦୂରତା ରକ୍ଷା କରିବା ମଧ୍ୟ ଭୁଲ୍ ନୁହେଁ।

    ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଆପଣ କେବେ ହେଲେ ଅନ୍ୟମାନଙ୍କ ବ୍ୟବହାରକୁ ନିୟନ୍ତ୍ରଣ କରିପାରିବେ ନାହିଁ, କିନ୍ତୁ ନିଜର ପ୍ରତିକ୍ରିୟାକୁ ନିଶ୍ଚୟ ସମ୍ଭାଳି ପାରିବେ। ଯଦି ଆପଣଙ୍କର ସୀମା ନିର୍ଦ୍ଧାରଣ ଯୋଗୁଁ ସାମ୍ନା ଲୋକ ରାଗୁଛନ୍ତି କିମ୍ବା ଅସନ୍ତୋଷ ପ୍ରକାଶ କରୁଛନ୍ତି, ତେବେ ଏହା ସେମାନଙ୍କର ସଂକୀର୍ଣ୍ଣ ଚିନ୍ତାଧାରାକୁ ଦର୍ଶାଏ, ଏଥିରେ ଆପଣଙ୍କର କୌଣସି ଭୁଲ୍ ନାହିଁ। ନିଜର ମାନସିକ ସ୍ୱାସ୍ଥ୍ୟ ଓ ଶାନ୍ତିକୁ ସର୍ବଦା ପ୍ରାଥମିକତା ଦିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    0.5kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ