ନୂଆଦିଲ୍ଲୀ : ଦେଶରେ ଶୀତର ପ୍ରଭାବ ବଢ଼ିବା ସହ ବାୟୁ ପ୍ରଦୂଷଣ ସମସ୍ୟା ଗମ୍ଭୀର ହେବାରେ ଲାଗିଛି । ବିଶେଷକରି ଉତ୍ତର ଭାରତର ଅନେକ ସହରରେ ବାୟୁର ମାନ ଅତ୍ୟନ୍ତ ଖରାପ ସ୍ତରରେ ପହଞ୍ଚିଛି । ଦେଶର ୩୬ଟି ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ବିପଜ୍ଜନକ ସ୍ତରରେ ରେକର୍ଡ ହୋଇଛି । ୬୯୧ AQI ସହ ପଞ୍ଜାବର ପଟିଆଲା ଦେଶର ସବୁଠାରୁ ପ୍ରଦୂଷିତ ସହର ହୋଇଛି ।
ସେହିପରି ୬୬୭ AQI ସହ ହରିୟାଣାର ପାଣିପତ ଦ୍ୱିତୀୟ ଏବଂ ୬୫୬ AQI ସହ ଉତ୍ତରପ୍ରଦେଶର ମେରଠ ତୃତୀୟ ସ୍ଥାନରେ ରହିଛି । ଦେଶର ୧୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଉତ୍ତରପ୍ରଦେଶର ୪ଟି, ପଞ୍ଜାବ ଓ ହରିୟାଣାର ୨ଟି ଲେଖାଏଁ ଏବଂ ବିହାରର ଗୋଟିଏ ସହର ସ୍ଥାନ ପାଇଛି । ୬୦୯ AQI ସହ ବିହାରର ବେତିଆ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ୫୮୪ AQI ସହ ପଞ୍ଜାବର ଭଠିଣ୍ଡା ପଞ୍ଚମ, ୫୬୩ AQI ସହ ହରିୟାଣାର କର୍ଣ୍ଣାଲ ଷଷ୍ଠ ଏବଂ ୫୫୯ AQI ସହ ଉତ୍ତରପ୍ରଦେଶର ମୁଜାଫରନଗର ସପ୍ତମ ସ୍ଥାନରେ ରହିଛି । ଏହାବ୍ୟତୀତ ଉତ୍ତରପ୍ରଦେଶର ହାପୁଡ଼ରେ ୫୫୧, ସୀତାପୁରରେ ୫୩୪ ଏବଂ ବରେଲିରେ ୫୩୦ AQI ରେକର୍ଡ ହୋଇଛି ।
ଦିଲ୍ଲୀ-ଏନସିଆର ଅଞ୍ଚଳରେ ମଧ୍ୟ ବାୟୁ ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ରହିଛି । ଗାଜିଆବାଦରେ AQI ୪୧୧ ରେକର୍ଡ ହୋଇଥିବା ବେଳେ ଗ୍ରେଟର ନୋଏଡାରେ ୩୪୨, ଫରିଦାବାଦରେ ୩୪୦, ନୂଆଦିଲ୍ଲୀରେ ୩୨୪ ଏବଂ ନୋଏଡାରେ ୩୦୨ ରହିଛି । ସେହିପରି ଗୁରୁଗ୍ରାମର AQI ୨୭୫ ରେକର୍ଡ କରାଯାଇଛି । କୋଲକାତାରେ AQI ୨୭୩ ରେକର୍ଡ ହୋଇଥିବା ବେଳେ ଚେନ୍ନାଇରେ ୧୮୭, ହାଇଦ୍ରାବାଦରେ ୧୭୪ ଏବଂ ବେଙ୍ଗାଲୁରୁରେ ୧୬୮ ରହିଛି ।
ଶୀତଦିନେ ବାୟୁ ପ୍ରଦୂଷଣ ବଢ଼ିବା ପଛରେ ଅନେକ ପାଣିପାଗଜନିତ କାରଣ ରହିଛି । ତାପମାତ୍ରା ହ୍ରାସ ପାଇବା ସହ ପବନର ବେଗ କମିଯାଏ । ଫଳରେ ବାୟୁମଣ୍ଡଳରେ ଥିବା ପ୍ରଦୂଷିତ କଣିକା ଦୀର୍ଘ ସମୟ ଧରି ରହିଥାଏ । ଏହାବ୍ୟତୀତ ନଡ଼ା ଜାଳିବା, ଶିଳ୍ପାନୁଷ୍ଠାନରୁ ନିର୍ଗତ ଧୂଆଁ, ନିର୍ମାଣ କାର୍ଯ୍ୟ, ଯାନବାହନରୁ ବାହାରୁଥିବା ଧୂଆଁ ଏବଂ ଆବର୍ଜନା ଜାଳିବା ମଧ୍ୟ ପ୍ରଦୂଷଣ ବୃଦ୍ଧିର ଅନ୍ୟତମ କାରଣ ।
