ପୁରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାପ୍ରଭୁଙ୍କ ପରମ ଭକ୍ତ । ମହାପ୍ରଭୁଙ୍କ ଅପାର କରୁଣାରୁ ମୋତେ ମଧ୍ୟ ଆଜି ଭକ୍ତ ହିସାବରେ ମହାପ୍ରଭୁଙ୍କ ଦର୍ଶନ କରିବାର ଅପୂର୍ବ ସୁଯୋଗ ମିଳିଲା । ମୁଁ ଛୋଟ ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲି । ଏତେ ବର୍ଷ ପରେ ଆଜି ପୁଣି ଥରେ ମହାପ୍ରଭୁଙ୍କ ଅପାର କରୁଣାରୁ ତାଙ୍କୁ ଦର୍ଶନ କରି ଆଶୀର୍ବାଦ ଓ ସାନିଧ୍ୟ ନେବାର ସୁଯୋଗ ମିଳିଲା । ଚାରି ଚାରୋଟି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସିଛି ।
ଓଡ଼ିଶା ରାଜ୍ୟର ମଙ୍ଗଳ ହେଉ ,ରାଷ୍ଟ୍ର ଅର୍ଥାତ୍ ଦେଶର ମଙ୍ଗଳ ହେଉ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି । ଆଜି ଅପରାହ୍ନରେ ପରିବାର ସହ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଶ୍ରୀମନ୍ଦିର ଯାଇ ଭିତର କାଠ ନିକଟରୁ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ଏଥିସହ ସେ ମା ବିମଳା ଓ ମା ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଛନ୍ତି । ପରେ ସେ ପୁରୀ ସାଂସଦ ଡଃ ସମ୍ବିତ ପାତ୍ରଙ୍କ ଘରକୁ ଯାଇ ମହାପ୍ରସାଦ ସେବନ କରିଛନ୍ତି ।
ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ତାଙ୍କ କୌଳିକ ପଣ୍ଡା ସତ୍ୟନାରାୟଣ ଗୁରୁ ,ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା । ନୀତିନ ନବୀନଙ୍କ ଏହା ପ୍ରଥମ ପୁରୀ ଗସ୍ତ । ନୀତିନ ନବୀନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା,ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ପୁରୀ ସାଂସଦ ଡଃ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ , ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ,ଏସପି ପ୍ରତୀକ ସିଂହ ,ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଦର୍ଶନ ସାରି ଫେରିବା ସମୟରେ ସେ ବାଇଶି ପାହାଚ ନିକଟରେ କିଛି ସମୟ ଅଟକି ରହିଥିଲେ। ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଯାତ୍ରୀ ପରିଚର୍ଯ୍ୟା ଖାତାରେ ଦସ୍ତଖତ କରିଥିଲେ । ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ପ୍ରଧାନମନ୍ତ୍ରୀ ଓ ଅନ୍ୟ ସମସ୍ତ ବରିଷ୍ଠ ନେତୃତ୍ୱାଙ୍କୁ ପୁରୀ ଆସିବା ପାଇଁ ଅନୁରୋଧ କରିବି ବୋଲି କହିଛନ୍ତି ଯୁବ ଦଇତାପତି ଭବାନୀ ଦାସ ମହାପାତ୍ର ।
