Thursday, April 9, 2026
36.2 C
Odisha

    ସଂଗ୍ରହାଳୟ, ପ୍ରତ୍ନତତ୍ତ୍ବ ନିର୍ଦେଶାଳୟକୁ ମଞ୍ଜୁରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସଂସ୍କୃତି ବିଭାଗରେ ଆସୁଛି ସଂସ୍କାର। ଯୋଜନା କରାଯାଇଥିବା କାର୍ଯ୍ୟକୁ ରୂପରେଖ ଦିଆଯାଉଛି। ବିଶେଷ କରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ଯ୍ୟ କରିବ ନୂଆ ନିର୍ଦେଶାଳୟ। ରାଜ୍ୟ ସଂଗ୍ରହାଳୟ ସହ ପ୍ରତ୍ନତତ୍ତ୍ବ ନିର୍ଦେଶାଳୟକୁ ମଞ୍ଜୁର ମିଳିଥିବାବେଳେ ଗ୍ରନ୍ଥାଗାର ନିର୍ଦେଶାଳୟ କାର୍ଯ୍ୟ ଅଟକି ରହିଛି। ଏଥିରେ କିଛି ବ୍ୟତିକ୍ରମ ଥିବାରୁ ନିୟମର ପରିବର୍ତ୍ତନ ହେବ। ଏନେଇ ଫାଇଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିବାବେଳେ ଅନୁମୋଦନ ପରେ ତ୍ବରାନ୍ବିତ ହେବ। ଏହାସହିତ ପ୍ରତି ଜିଲାରେ କାର୍ଯ୍ୟ କରୁଥିବା ଜିଲା ସଂସ୍କୃତି ଅଧିକାରୀଙ୍କୁ ପଦୋନ୍ନତି ମିଳିବ। ପୂର୍ବରୁ ଏହା ଜିଲା ସଂସ୍କୃତି ଅଧିକାରୀ (ଡିସିଓ) ପଦ ରହିଥିବାବେଳେ ଏବେ ଜିଲା ସଂସ୍କୃତି ଉନ୍ନୟନ ଅଧିକାରୀ(ଡିସିଡିଓ) କରାଯାଇଛି। ଏହି ଅଧିକାରୀଙ୍କୁ ପଦୋନ୍ନତି ମିଳିବ। ଅଧିକାରୀଙ୍କୁ ଅତିରିକ୍ତ, ଉପ ଏବଂ ଯୁଗ୍ମ ନିର୍ଦେଶକ ପର୍ଯ୍ୟନ୍ତ ପଦୋନ୍ନତି ମିଳିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜଣାପଡ଼ିଛି।

    ପୂର୍ବରୁ ସଂସ୍କୃତି ବିଭାଗ ଅଧୀନରେ ଅନେକ ସ୍ବୟଂଶାସିତ ଏବଂ ଅଧୀନସ୍ଥ କାର୍ଯ୍ୟାଳୟ ଥିବାବେଳେ ଏବେ ସ୍ବତନ୍ତ୍ର ଭାବେ ତିନି ନିର୍ଦେଶାଳୟ କାର୍ଯ୍ୟ କରିବ। ପୂର୍ବରୁ ଏନେଇ ଯୋଜନା କରାଯାଇ ରୂପରେଖ ପ୍ରସ୍ତୁତ କରାଯାଇଥିଲା; କିନ୍ତୁ ବିଭିନ୍ନ କାରଣ ଯୋଗୁଁ ତାହା ଆଗେଇ ପାରିନଥିଲା। ଏବେ ସଂଗ୍ରହାଳୟ ସହିତ ପ୍ରତ୍ନତତ୍ତ୍ବ ନିର୍ଦେଶାଳୟକୁ ମଞ୍ଜୁର ମିଳିସାରିଛି। ରାଜ୍ୟ ସଂଗ୍ରହାଳୟ ପରିସରରେ ସଂଗ୍ରହାଳୟ ନିର୍ଦେଶାଳୟ କାର୍ଯ୍ୟ କରିବା ସହିତ ସଂସ୍କୃତି ଭବନ ପରିସରରେ ପ୍ରତ୍ନତତ୍ତ୍ବ ନିର୍ଦେଶାଳୟ କରାଯିବ। ଏହାଛଡା ଡ. ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପରିସରରେ ସାଧାରଣ ଗ୍ରନ୍ଥାଗାର ନିର୍ଦେଶାଳୟ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଥିବା କିଛି ନିୟମର ପରିବର୍ତ୍ତନ କରାଯିବ। ପରବର୍ତ୍ତୀ ସମୟରେ ଯେପରି ସମସ୍ୟା ନଉପୁଜିବ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯାଇଛି। ଏହାପରେ କ୍ୟାବିନେଟ ମୋହର ବାଜିବ। ସ୍ଥାୟୀ ନିର୍ଦେଶକ ନିଯୁକ୍ତି ପାଇବା ପରେ ଅନ୍ୟାନ୍ୟ ନିଯୁକ୍ତି ଦିଆଯିବ। ଏହାବ୍ୟତୀତ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ନୂଆ ନିଯୁକ୍ତି କରାଯିବା ସହିତ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିବ। ଖୁବଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହେବ। ସଂସ୍କୃତି ବିଭାଗ ଅଧୀନରେ ଏବେ ୪ ଏକାଡେମୀ ସହିତ ଜିକେସିଏମ୍, ଭାଷା ପ୍ରତିଷ୍ଠାନ ଏବଂ ବିଭିନ୍ନ ମଣ୍ଡପ ସାଙ୍ଗକୁ ଅଭିଲେଖାଗାର, ସଙ୍ଗୀତ ମହାବିଦ୍ୟାଳୟ, ସଂସ୍କୃତି ବିଶ୍ବବିଦ୍ୟାଳୟ ଆଦି ବିଭିନ୍ନ କଳା ଶିକ୍ଷାନୁଷ୍ଠାନ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.2 ° C
    36.2 °
    36.2 °
    22 %
    4.4kmh
    70 %
    Thu
    37 °
    Fri
    38 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ