Wednesday, April 8, 2026
34.5 C
Odisha

    ସତ ହେବ ସ୍ବପ୍ନ: ଖୋଲିବ ମେଡିକାଲ ‌କଲେଜ

    ଆଗକୁ ପଢନ୍ତୁ

    ଢେଙ୍କାନାଳରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଜିଲ୍ଲାବାସୀ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସେବା ପାଇପାରିବେ। ଏଭଳି ଆଶା ଦେଖାଇଛି ବିଜେପି ସରକାର। ଅତୀତରେ ମେଡିକାଲ କଲେଜକୁ ଦୃଷ୍ଟିରେ ରଖି ସହରର ଦକ୍ଷିଣକାଳୀ ଅଞ୍ଚଳରେ ୭ ମହଲା ବିଶିଷ୍ଟ ଅତ୍ୟାଧୁନିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ କରାଯାଇଛି। ସେହି ଅନୁଯାୟୀ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ରହିଛି। ଅତିଶୀଘ୍ର ଏହାକୁ ଏକ ମେଡିକାଲ୍‌ କଲେଜରେ ରୂପାନ୍ତରିତ କରାଯିବ ବୋଲି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ୬ ବର୍ଷ ପରେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ଜିଲ୍ଲାର ୧୫ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଦୃଷ୍ଟିରେ ରଖି ୨୦୧୮ ମସିହା ମେ ୨୬ ତାରିଖରେ ସହରର ଦକ୍ଷିଣକାଳୀଠାରେ ୧୧ ଏକରରୁ ଊର୍ଦ୍ଧ୍ବ ଜମିରେ ୪୩ କୋଟି ଟଙ୍କା ବ୍ୟୟରେ ୭ ମହଲା ବିଶିଷ୍ଟ ଅତ୍ୟାଧୁନିକ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜନସାଧାରଣଙ୍କ ପାଇଁ ଲୋକାର୍ପଣ କରାଯାଇଥିଲା। ଏଥିରେ ୩୦୦ ଶଯ୍ୟା ଓ ୨୬ଟି କ୍ୟାବିନ୍ ବ୍ୟବସ୍ଥା ରହିଛି। ଉନ୍ନତମାନର ଆଇସିୟୁ ସହ ଯକ୍ଷ୍ମା, ଡାଇରିଆ, ସ୍ୱାଇନ୍ ଫ୍ଲୁ୍ ଆଦି ରୋଗର ଚିକିତ୍ସା ବ୍ୟବସ୍ଥା ଅଛି। ଉନ୍ନତଧରଣର ପାଥୋଲାବ୍ ଓ କିଡ୍‌ନି ରୋଗୀଙ୍କ ପାଇଁ ଡାଏଲିସିସ୍ ସହ ନବଜାତକଙ୍କ ଲାଗି ଏସ୍ଏନ୍‌ସିୟୁ ବ୍ୟବସ୍ଥା ରହିଛି। ଗତ ଅକ୍ଟୋବରରୁ ଏଠାରେ ସିଟି ସ୍କାନ୍‌ ମଧ୍ୟ ଖୋଲାଯାଇଛି। ଏହା ନିକଟରେ ଅତ୍ୟାଧୁନିକ ଲାବୋରେଟୋରି ନିର୍ମାଣ ଚାଲିଛି। ଚିକିତ୍ସାଳୟ ପରିସରରେ ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କ ପାଇଁ କ୍ୱାର୍ଟର୍ସ ନିର୍ମାଣ କରାଯାଇଛି।
    ଅନ୍ୟପଟେ ଏତେ ବ୍ୟବସ୍ଥା ଥାଇ ମଧ୍ୟ ଜିଲ୍ଲାବାସୀ ଠିକ୍‌ ଭାବେ ଚିକିତ୍ସା ସେବା ପାଇପାରୁନାହାନ୍ତି। ରେଡିଓଲୋଜିଷ୍ଟ ନ ଥିବାରୁ ଜଟିଳ ରୋଗ ନିରୂପଣ ପାଇଁ ଅଲଟ୍ରାସାଉଣ୍ଡ ଓ ଏମ୍‌ଆର୍‌ଆଇ ବ୍ୟବସ୍ଥା ଅଦ୍ୟାବଧି କରାଯାଇପାରି ନାହିଁ। ଆବଶ୍ୟକ ଡାକ୍ତର ଅଭାବରୁ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବାରୁ ଜିଲ୍ଲାବାସୀ ବଞ୍ଚିତ ହେଉଛନ୍ତି। ଚିକିତ୍ସା ଦେବାରେ ଅସୁବିଧା ହେଉଥିବାରୁ ଅଧିକାଂଶ ରୋଗୀଙ୍କୁ କଟକ ଏସ୍‌ସିବି ପଠାଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ମେଡିକାଲ୍‌ କଲେଜ କରାଯାଇ ସ୍ୱାସ୍ଥ୍ୟସେବା ସମସ୍ୟାର ସମାଧାନ ନିମନ୍ତେ ବିଭିନ୍ନ ଅନୁଷ୍ଠାନ ସମେତ ଢେଙ୍କାନାଳ ସଚେତନ ନାଗରିକ ଫୋରମ୍‌, ବରିଷ୍ଠ ନାଗରିକ ମଞ୍ଚ, ଜିଲ୍ଲା ଓକିଲ ସଂଘ, ଜିଲ୍ଲା ସାମ୍ବାଦିକ ସଂଘ ଆଦି ମିଳିତମଞ୍ଚ ପକ୍ଷରୁ ବିଭିନ୍ନ ସମୟରେ ଦାବି ହୋଇଆସୁଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୮ ମସିହାରେ ପ୍ରଥମ ପର୍ଯ୍ୟାୟରେ ଘୋଷଣା କରାଯାଇଥିବା ଓଡ଼ିଶାର ୧୦ ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ଢେଙ୍କାନାଳ ଜିଲ୍ଲା ରହିଛି। ଏହି ଜିଲ୍ଲାଗୁଡ଼ିକରେ ସର୍ବାଙ୍ଗୀନ ଉନ୍ନତି ସହିତ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦିଆଯିବା ନିମନ୍ତେ ମେଡିକାଲ୍‌ କଲେଜ ଖୋଲାଯିବାର ନିଷ୍ପତ୍ତି ନିଆଯାଇଥିଲା। ସେହି ସମୟରୁ ଢେଙ୍କାନାଳରେ ମେଡିକାଲ୍‌ କଲେଜ ଖୋଲିବ ବୋଲି ଲୋକେ ଆଶା ବାନ୍ଧିଛନ୍ତି। ଜିଲ୍ଲାର ୪ଟି ଯାକ ନିର୍ବାଚନମଣ୍ଡଳୀରେ ବିଜେପି ଜିତିଥିବାବେଳେ ଢେଙ୍କାନାଳକୁ ମନ୍ତ୍ରୀ ପଦ ମଧ୍ୟ ମିଳିଛି। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବେ କୃଷ୍ଣଚନ୍ଦ୍ର ପାତ୍ର ଦାୟିତ୍ବ ନେବା ପରେ ବିଭିନ୍ନ ସଭାରେ ଜିଲ୍ଲାରେ ମେଡିକାଲ କଲେଜ ଖୋଲାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଥି ସହିତ ସଂପ୍ରତି ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ନିମନ୍ତେ ବିଜେପି ସରକାର ‌ଘୋଷଣା କରିବା ପରେ ଜିଲ୍ଲାବାସୀଙ୍କ ଆଶା ଦୃଢ଼ୀଭୂତ ହୋଇଛି। ନୂଆବର୍ଷରେ ଜିଲ୍ଲାବାସୀଙ୍କ ସ୍ବପ୍ନ ପୂରଣ ହେବ ବୋଲି ଆଲୋଚନା ଜୋର୍‌ ଧରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    23 %
    0.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ