Wednesday, August 5, 2026
26.7 C
Odisha

    ସମ୍ବିଧାନ ବଂଚାଅ ନୁହେଁ କଂଗ୍ରେସ ବଂଚାଅ ସମାବେଶ :ବିରଂଚି ତ୍ରିପାଠୀ

    ଆଗକୁ ପଢନ୍ତୁ

    _ରାହୁଲ ଗାନ୍ଧୀଙ୍କ ଗସ୍ତ ନେଇ ରାଜ୍ୟ ବିଜେପି
    ଭୁବନେଶ୍ୱର, ତା.୧୧/୦୭: କଂଗ୍ରେସ ଲଗାତାର ଗଣତନ୍ତ୍ରର କଣ୍ଠରୋଧ କରିଛି। ଦେଶର ବିରୋଧୀ ଦଳ ନେତା ଓ କଂଗ୍ରେସ ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ ହେଉଛି। ମାତ୍ର ଏବେବି କଂଗ୍ରେସ ହତାଶା ମଧ୍ୟରେ ରହିଛି। ଏହି ଦଳ ଓଡ଼ିଶାର ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛି। ପ୍ରତି ନିର୍ବାଚନରେ ତାର ଭୋଟ ପ୍ରତିଶତ କମିବାରେ ଲାଗିଛି। ଦେଶରେ ଗତ ୩ଟି ସାଧାରଣ ନିର୍ବାଚନରେ କଂଗ୍ରେସର ସାଂସଦ ସଂଖ୍ୟା ୩ ଅଙ୍କ ମଧ୍ୟ ଛୁଇଁପାରିନାହିଁ। ପ୍ରତିଦିନ କଂଗ୍ରେସ ସଂଗଠନର ଯେଉଁଭଳି ଭାବେ ନିମ୍ନଗାମୀ ହେଉଛି ସେଥିରୁ ଲାଗୁଛି ଏହା ସମ୍ବିଧାନ ବଂଚାଅ ନୁହେଁ, ନିଜ ଅସ୍ତିତ୍ୱକୁ ରକ୍ଷା କରିବା ପାଇଁ କଂଗ୍ରେସ ବଂଚାଅ ସମାବେଶ। କଂଗ୍ରେସ ଗଣତନ୍ତ୍ର କଥା କହିବା, ନିଜେ କାଚ ଘର ମଧ୍ୟରେ ରହି ଅନ୍ୟକୁ ପଥର ଫୋପାଡିବା ସଦୃଶ। ଆଜି ଓଡ଼ିଶା ଆସିଥିବା ରାହୁଲ ଗାନ୍ଧୀ ବାରମ୍ବାର ସମ୍ବିଧାନକୁ ହତ୍ୟା କରିଛନ୍ତି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମହାମହିମ ଓଡ଼ିଶା ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି। ଏନେଇ ଉଭୟ ପ୍ରଥମେ ଓଡ଼ିଶା ମାଟିରେ କ୍ଷମା ମାଗନ୍ତୁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି।
    ଶ୍ରୀ ତିପାଠୀ କହିଛନ୍ତି ଯେ, ଏହି ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ। ସ୍ୱାଧୀନତାର ପରବର୍ତୀ ଅବସ୍ଥା ଦେଖିଲେ ଜଣାପଡ଼ିବ ଯେ, ଜବାହାରଲାଲ୍ ନେହେରୁଙ୍କ ସମୟରେ ଏହା ବାପ-ଝିଅର ଦଳ ଥିଲା। ଇନ୍ଦିରା ଗାନ୍ଧୀଙ୍କ ସମୟରେ ଏହା ମା’-ପୁଅର ଦଳ ହେଲା। ରାଜୀବ ଗାନ୍ଧୀଙ୍କ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ଦଳ ଥିଲା। ଏବେ କଂଗ୍ରେସ ମା’, ପୁଅ, ଝିଅ ଓ ଜ୍ୱାଇଁଙ୍କ ଦଳ ପାଲଟିଛି। ଦଳରେ ଅନ୍ୟ ନେତାମାନେ ଖାଲି ଆୟାରାମ, ଗୟା ରାମ ସଦୃଶ। ଗଣତନ୍ତ୍ରର କଥା କହୁଥିବା ଏହି ରାଜନୈତିକ ଦଳ ସମ୍ବିଧାନର ହତ୍ୟାକାରୀ ଥିଲା। ୧୯୫୧ ମସିହାରେ କଂଗ୍ରେସର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ନେହେରୁ ନିଜ ସ୍ୱାର୍ଥ ହାସଲ ପାଇଁ ପ୍ରଥମେ ସମ୍ବିଧାନର ସଂଶୋଧନ କରିଥିଲେ । ଏହି ସଂଶୋଧନ ମୁଳତଃ ମତାମତ ଓ ଅଭିବ୍ୟକ୍ତିର ସ୍ୱାଧୀନତା, ଜମିଦାରୀ ପ୍ରଥା ଉଚ୍ଛେଦ ଏବଂ ସାମାଜିକ ଓ ଆର୍ôଥକବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗରେ ଥିଲା। ବାସ୍ତବରେ ଏହି ସଂଶୋଧନ ଭାରତୀୟ ସମ୍ବିଧାନର ନୀତିଗତ ଏବଂ ଆଇନଗତ ଧାରାକୁ ପ୍ରଭାବିତ କରିଥିଲା।
    ୧୯୭୫ ମସିହାରେ ଇନ୍ଦିରାଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ସମ୍ବିଧାନର ହତ୍ୟା କରିଥିଲେ। ସେ ସମୟରେ ୫ଥର ସମ୍ବିଧାନ ସଂଶୋଧନ କରଯାଇଛି। ୪୨ତମ ସଂଶୋଧନରେ ବିନା ଚର୍ଚ୍ଚା ଆଲୋଚନାରେ ସମ୍ବିଧାନର ମୁଖବନ୍ଧକୁ ବି ବଦଳାଇ ଦେଇଥିଲା କଂଗ୍ରେସ। ଏପରିକି ଦେଶବାସୀଙ୍କ ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନେଇଥିଲା। ସମସ୍ତ ବିରୋଧୀ ଦଳର ନେତାଙ୍କୁ ଜେଲ ଭିତରେ ବନ୍ଦୀ କରି ରଖିଥିଲା। ୧୯୮୬ରେ ଶାହାବାନୋ କେସ୍‌ରେ ସୁପ୍ରିମ କୋର୍ଟର ନିର୍ଦ୍ଦେଶକୁ ପରିବର୍ତନ କରିଥିଲା। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ସମ୍ବିଧାନକୁ ଅପମାନିତ କରିବାକୁ ପଛଘୁଂଚା ଦେଇ ନଥିଲେ। ସେ କ୍ୟାବିନେଟର ସଦସ୍ୟ ନଥାଇ ମଧ୍ୟ କ୍ୟାବିନେଟ ଅଧ୍ୟାଦେଶକୁ ସାମ୍ବାଦିକ ସମ୍ମିଳନୀ କରି ଫାଡିିବା ସହ ଫୋପାଡି ଦେଇଥିଲେ। ଏଭଳି ବ୍ୟକ୍ତି ସମ୍ବିଧାନର କଥା କହିବା ଅତ୍ୟନ୍ତ ଲଜ୍ଜାଜନକ। କେଉଁ ଅଧିକାରରେ ସେ ସମ୍ବିଧାନକୁ ଫୋପାଡି ଥିଲେ ସେ ବିଷୟରେ ପ୍ରଥମେ ଉତର ରଖନ୍ତୁ ରାହୁଲ। ୧୦୦ରୁ ଉର୍ଦ୍ଧ୍ୱ ଥର ୩୫୬ ଧାରାର ଅପବ୍ୟବହାର କରି ବିଭିନ୍ନ ରାଜ୍ୟରେ ଗଣତନ୍ତ୍ର ଉପାୟରେ ନିର୍ବାଚିତ ହୋଇଥିବା ସରକାରଙ୍କୁ ଭାଙ୍ଗି ହତ୍ୟା କରିଛି ଏହି ଦଳ। କାଶ୍ମୀର ପ୍ରସଙ୍ଗରେ ତତ୍କାଳୀନ ମହାରାଜା ହରି ସିଂ ଭାରତବର୍ଷ ସଙ୍ଗେ ବିଲୟ ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର କରିଥିଲେ। ମାତ୍ର ଶେଖ ଅବଦୁଲ୍ଲାଙ୍କ ସହ ବୁଝାମଣା କରିଥିଲା କଂଗ୍ରେସ। ପରବର୍ତୀ ସମୟରେ ୩୭୦ ଏବଂ ୩୫(ଏ) ଲାଗୁ କରିଥିଲା। ଫଳରେ ସମସ୍ତ ଦେଶୀୟ ରାଜ୍ୟର ସମସ୍ୟାର ସମାଧାନ ହେଲା ପରେ ବି କାଶ୍ମୀର ଏକ ବିବାଦୀୟ ପ୍ରସଙ୍ଗ ହୋଇଥିଲା। ଏହି କାରଣରୁ କାଶ୍ମୀର କିଛିଅଂଶ ଆଜି ପାକିସ୍ତାନ ଦ୍ୱାରା ଅଧିକୃତ ହୋଇରହିଛି। ଅପରପକ୍ଷେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଓଡିଶାକୁ ସବୁ କାର୍ଯ୍ୟରେ ଭରପୁର ସମର୍ଥନ କରୁଛନ୍ତି। ଏହାପୂର୍ବରୁ ମନମୋହନ ସିଂଙ୍କ ସରକାର ଥିଲା। ସେତେବେଳେ ଓଡ଼ିଶା ସମ୍ବଦ୍ଧିତ କିଛି ପ୍ରକଳ୍ପ ନେଇ ଓଡ଼ିଶାର କେତେଜଣ ସାଂସଦ ତାଙ୍କ ପାଖକୁ ଯାଇଥିଲେ। ସେତେବେଳେ ଶ୍ରୀ ମନମୋହନ ସିଂ କହିଥିଲେ, ଟଙ୍କା କ’ଣ ଗଛରେ ଫଳୁଛି । ଏହା କଂଗ୍ରେସର ଓଡ଼ିଶାପ୍ରତି ଥିବା ସଂକୀର୍ଣ୍ଣ ମାନସିକତାକୁ ଦର୍ଶାଉଛି।
    କିଛିଦିନ ପୁର୍ବେ ଦେଶର ମହାମହିମ ରାଷ୍ଟ୍ରପତି ତଥା ଓଡ଼ିଶା ଝିଅ ଏବଂ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କୁ ଅପମାନିତ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଏହା ପୂର୍ବରୁ ରାଷ୍ଟ୍ରପତି ଥିବା ଅନୁସୂଚତି ଜାତି ବା ଦଳିତବର୍ଗର ଶ୍ରୀ ରାମନାଥ କୋବିନ୍ଦଙ୍କୁ ନେଇ ମଧ୍ୟ ସେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ତାହାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ। ଏଥିପାଇଁ ସେ ଓଡ଼ିଶା ମାଟିରେ ପ୍ରାୟଶ୍ଚିତ କରିବା ଦରକାର। ଏସବୁ କଥାକୁ ଦେଖିଲେ ଓଡ଼ିଶାରେ କଂଗ୍ରେସ ଏକ ଅସ୍ତଗାମୀ ରାଜନୈତିକ ଦଳ ଭାବେ ପ୍ରତୀୟମାନ ହେଉଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା ଓ ତପନ ଚାନ୍ଦ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.7 ° C
    26.7 °
    26.7 °
    90 %
    0.9kmh
    100 %
    Wed
    27 °
    Thu
    28 °
    Fri
    25 °
    Sat
    30 °
    Sun
    30 °

    ସମ୍ବନ୍ଧିତ