ନୂଆଦିଲ୍ଲୀ : ଆଗାମୀ ସପ୍ତାହରେ ସଂସଦରେ ସଂଶୋଧନ ସୀମା ପୁନଃନିର୍ଦ୍ଧାରଣ ବିଲ୍ ଅଣାଯିବାର ସମ୍ଭାବନା ମଧ୍ୟରେ ଦ୍ରାବିଡ଼ ମୁନ୍ନେତ୍ର କଝଗମ୍ (ଡ଼ିଏମକେ ) ଏହି ବିଲକୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି, ଯାହା ଦଳର ଆଭିମୁଖ୍ୟକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛି। ଶନିବାର ସକାଳେ ଡିଏମକେ ସାଂସଦମାନଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ସାଂସଦ ଏ. ରାଜା ଏବଂ ଦୟାନିଧି ମାରଣ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି ଯେ ଦଳ ସଂସଦରେ ଏହି ନୂଆ ବିଲକୁ ସମର୍ଥନ କରିବ।
ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାକୁ ଡିଏମକେ ପୂର୍ବରୁ ବିରୋଧ କରିଆସୁଥିବା ବେଳେ ଏହି ନିଷ୍ପତ୍ତି ଦଳର ଆଭିମୁଖ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦର୍ଶାଉଛି। ଲୋକସଭାରେ ୨୨ ଜଣ ଏବଂ ରାଜ୍ୟସଭାରେ ୮ ଜଣ ସାଂସଦ ଥିବା ଡିଏମକେ ଜନସଂଖ୍ୟା-ଭିତ୍ତିକ ସୀମା ପୁନଃନିର୍ଦ୍ଧାରଣ ହେଲେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ରାଜନୈତିକ ପ୍ରତିନିଧିତ୍ୱ କମିପାରେ ବୋଲି ବାରମ୍ବାର ଆଶଙ୍କା ପ୍ରକାଶ କରିଆସୁଥିଲା।
ଡିଏମକେ ମୁଖ୍ୟ ଏମ୍.କେ.ଷ୍ଟାଲିନଙ୍କ ଦୁଇଟି ପ୍ରମୁଖ ଦାବିକୁ କେନ୍ଦ୍ର ସରକାର ସାମିଲ କରିବା ପରେ ଦଳ ଏହି ସମର୍ଥନ ନିଷ୍ପତ୍ତି ନେଇଛି। ଏଥିରେ ସମସ୍ତ ରାଜ୍ୟରେ ଲୋକସଭା ଆସନ ସଂଖ୍ୟାରେ ସମାନ ୫୦ ପ୍ରତିଶତ ବୃଦ୍ଧି ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ସଂସଦୀୟ ପ୍ରତିନିଧିତ୍ୱର ବର୍ତ୍ତମାନର ଅନୁପାତକୁ ୨୫ ବର୍ଷ ପାଇଁ ସ୍ଥିର ରଖିବା ବ୍ୟବସ୍ଥା ରହିଛି।
ସଂଶୋଧିତ ସୂତ୍ର ଅନୁଯାୟୀ ତାମିଲନାଡୁର ଲୋକସଭା ଆସନ ସଂଖ୍ୟା ୩୯ରୁ ବଢ଼ି ୫୯ରେ ପହଞ୍ଚିବାର ସମ୍ଭାବନା ଥିବା ବେଳେ ଜାତୀୟ ପ୍ରତିନିଧିତ୍ୱରେ ଏହାର ଅଂଶ ପ୍ରାୟ ୭.୨ ପ୍ରତିଶତ ପାଖାପାଖି ରହିବ। ରାଜ୍ୟଗୁଡ଼ିକ ମଧ୍ୟରେ ବର୍ତ୍ତମାନର ଆସନ ବଣ୍ଟନ ଅନୁପାତକୁ ୨୦୫୧ ମସିହା ପର୍ଯ୍ୟନ୍ତ ବଜାୟ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ଲୋକସଭା ଆସନ ବଢ଼ିଲେ ମଧ୍ୟ ତାମିଲନାଡୁର ଆପେକ୍ଷିକ ପ୍ରତିନିଧିତ୍ୱ କୌଣସି ପ୍ରକାରେ ପ୍ରଭାବିତ ହେବା ଉଚିତ ନୁହେଁ ବୋଲି ଡିଏମକେ ଦୃଢ଼ ମତ ରଖିଆସୁଥିଲା।
