Friday, October 2, 2026
25.2 C
Odisha

    ସାଇବର ଆର୍ଥିକ ଠକେଇ ମାମଲାରେ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍’ ବ୍ୟବସ୍ଥା ଆରମ୍ଭ

    ଆଗକୁ ପଢନ୍ତୁ

    କଟକ: ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ପୀଡ଼ିତଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ନୂତନ ବ୍ୟବସ୍ଥାର ଉଦ୍‌ଘାଟନ କରିଥିଲେ।ରାଜ୍ୟରେ ସାଇବର ଆର୍ଥିକ ଠକେଇ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଅଭିଯୋଗ ପଞ୍ଜୀକରଣକୁ ଅଧିକ ଦ୍ରୁତ, ସରଳ ଓ ପ୍ରଭାବଶାଳୀ କରିବା ସହ ଠକେଇ ହୋଇଥିବା ଅର୍ଥ ଉଦ୍ଧାରର ସମ୍ଭାବନା ବଢ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହା ମାଧ୍ୟମରେ ନାଗରିକମାନେ ଅଧିକ ସ୍ୱଚ୍ଛ, ଦକ୍ଷ ଓ ଜନକଲ୍ୟାଣମୂଳକ ପୋଲିସ ସେବା ପାଇପାରିବେ।ନୂତନ ବ୍ୟବସ୍ଥା ଅନୁଯାୟୀ, ଜାତୀୟ ସାଇବର ହେଲ୍ପଲାଇନ୍ ୧୯୩୦ରେ ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ବନ୍ଧୀୟ ଅଭିଯୋଗ ପଞ୍ଜୀକୃତ ହେଲେ, CCTNS ବ୍ୟବସ୍ଥାରେ ସ୍ୱୟଂଚାଳିତ ଭାବେ e-Zero FIR ଅନୁରୋଧ ସୃଷ୍ଟି ହୋଇ ଅପରାଧ ଶାଖାର ସାଇବର ପୋଲିସ ଷ୍ଟେସନ୍‌କୁ ପଠାଯିବ। ପ୍ରାଥମିକ ଯାଞ୍ଚ ପରେ ସାଇବର ପୋଲିସ ନିୟମିତ ଏଫ୍‌ଆଇଆର୍ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିବ।

    ପ୍ରୟୋଜନ ଅନୁଯାୟୀ ମାମଲାକୁ ସମ୍ପୃକ୍ତ ଥାନାକୁ ସ୍ଥାନାନ୍ତର, ଜିରୋ ଏଫ୍‌ଆଇଆର୍ ଭାବେ ପଞ୍ଜୀକରଣ, ପୂର୍ବରୁ ଥିବା ମାମଲା ସହ ସଂଯୋଗ କିମ୍ବା ନିର୍ଦ୍ଧାରିତ ମାନଦଣ୍ଡ ପୂରଣ ନ କରୁଥିବା ଅଭିଯୋଗକୁ ବନ୍ଦ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ଏହାଦ୍ୱାରା ମାମଲା ପଞ୍ଜୀକରଣ ଓ ସୂଚନା ଆଦାନ-ପ୍ରଦାନ ଅଧିକ ଦ୍ରୁତ ଓ ସୁବ୍ୟବସ୍ଥିତ ହେବା ସହ ଅଭିଯୋଗକାରୀମାନେ ନିଜ ମାମଲାର ଅଗ୍ରଗତି ସମ୍ପର୍କରେ ସହଜରେ ସୂଚନା ପାଇପାରିବେ।

    ଏହି ଅବସରରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ କହିଥିଲେ ଯେ, ସାଇବର ଅପରାଧର ମୁକାବିଲା ପାଇଁ ଆଧୁନିକ ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର କରି ନାଗରିକଙ୍କୁ ତ୍ୱରିତ, ସ୍ୱଚ୍ଛ ଓ ଜନକଲ୍ୟାଣମୂଳକ ପୋଲିସ ସେବା ପ୍ରଦାନ କରିବାକୁ ଓଡ଼ିଶା ପୋଲିସ ପ୍ରତିବଦ୍ଧ। ସେ ସାଧାରଣ ଲୋକଙ୍କୁ ଅନୁରୋଧ କରିଥିଲେ ଯେ, ସାଇବର ଆର୍ଥିକ ଠକେଇର ଶିକାର ହେଲେ ବିଳମ୍ବ ନ କରି ତୁରନ୍ତ ୧୯୩୦ ହେଲ୍ପଲାଇନ୍‌ରେ ଅଭିଯୋଗ କରନ୍ତୁ। ଶୀଘ୍ର ଅଭିଯୋଗ କଲେ ଠକେଇ ହୋଇଥିବା ଅର୍ଥ ଫେରିପାଇବାର ସମ୍ଭାବନା ଅଧିକ ରହିବ ବୋଲି ସେ କହିଛନ୍ତି।

    ‘ଇ-ଜିରୋ ଏଫ୍‌ଆଇଆର୍’ ବ୍ୟବସ୍ଥାକୁ ଓଡ଼ିଶା ପୋଲିସର ପ୍ରଯୁକ୍ତିନିର୍ଭର, ଆଧୁନିକ ଓ ଦକ୍ଷ ପୋଲିସିଂ ବ୍ୟବସ୍ଥା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହା ସାଇବର ଅପରାଧର ମୁକାବିଲା ସହ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନରେ ସହାୟକ ହେବ ବୋଲି ଆଶା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ