ଚଳିତ ବର୍ଷ ଅଗଷ୍ଟ ମାସରେ ଉଭୟ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ଦେଖାଯିବ । ପ୍ରଥମେ ୧୨ ତାରିଖରେ ସୂର୍ଯ୍ୟପରାଗ ଏବଂ ୨୭ ଓ ୨୮ ତାରିଖ ରାତିରେ ଚନ୍ଦ୍ରଗ୍ରହଣ ହେବ । ଏହା ଏକ ଗଭୀର ଆଂଶିକ ଚନ୍ଦ୍ରଗ୍ରହଣ ହେବ । ଯାହା ଆମେରିକା, ୟୁରୋପ ଏବଂ ଆଫ୍ରିକାର କିଛି ଅଂଶରେ ଦୃଶ୍ୟମାନ ହେବ । ଏହାର ଅବଧି ପାଞ୍ଚ ଘଣ୍ଟା ରହିବ । କିନ୍ତୁ ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ଯେତେବେଳେ ପୃଥିବୀ ସିଧାସଳଖ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଗତି କରେ; ଚନ୍ଦ୍ରପୃଷ୍ଠରେ ଏହାର ଛାୟା ପକାଏ ସେତେବେଳେ ଚନ୍ଦ୍ରଗ୍ରହଣ ହୁଏ । ଏହି ଚନ୍ଦ୍ର ଗ୍ରହଣ ରାତି ୧୦:୩୩ ସମୟରେ ଆରମ୍ଭ ହୋଇ ୨୮ ଅଗଷ୍ଟ ରାତି ୧୨:୧୨ ସମୟରେ ଏହାର ଚରମ ସୀମାରେ ପହଞ୍ଚିବ । ବିଜ୍ଞାନ ଅନୁଯାୟୀ, ଯେତେବେଳେ ପୃଥିବୀ, ସୂର୍ଯ୍ୟ ଏବଂ ଚନ୍ଦ୍ରର ଠିକ୍ ମଝିକୁ ଚାଲିଆସେ ସେତେବେଳେ ଚନ୍ଦ୍ର ଗ୍ରହଣ ହୋଇଥାଏ । ୨୦୨୬ର ସବୁଠାରୁ ବଡ଼ ମହାଜାଗତିକ ଘଟଣା ହେଉଛି ୧୨ ଅଗଷ୍ଟରେ ହେବାକୁ ଥିବା ପୂର୍ଣ୍ଣ ସୂର୍ଯ୍ୟ ପରାଗ । ଏହି ସମୟରେ ପୂର୍ଣ୍ଣ ଗ୍ରହଣର ପଥରେ ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ ଏବଂ ଉତ୍ତର ସ୍ପେନ୍ ଭଳି ଅଞ୍ଚଳ ରହିବ ଯେଉଁଠାରେ ସମ୍ପୂର୍ଣ୍ଣ ଅନ୍ଧକାର ଛାଇଯିବ । କାନାଡ଼ା ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଆଂଶିକ ରୂପ ଦେଖାଯିବ । ତେବେ ଏହି ବିରଳ ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ ।
ପୃଥିବୀ ମହାକାଶରେ ଦୁଇ ପ୍ରକାରର ଛାଇ ସୃଷ୍ଟି କରେ ଏକ ହେଉଛି ପେନମ୍ବ୍ର ଯାହା ଏକ ହାଲୁକା ବାହ୍ୟ ଛାଇ । ‘ପେନମ୍ବ୍ରାଲ୍ ଚନ୍ଦ୍ର ଗ୍ରହଣ’ ପ୍ରତିବର୍ଷ ଅତି କମରେ ଦୁଇଥର ହୁଏ କିନ୍ତୁ ଏହା ଏତେ ହାଲୁକା ଯେ ଅଧିକାଂଶ ଲୋକ ଜାଣିପାରନ୍ତି ନାହିଁ । ଦ୍ବିତୀୟଟି ହେଉଛି ଅମ୍ବ୍ର ଯାହା ଏକ ଗଭୀର କେନ୍ଦ୍ରୀୟ ଛାଇ । ଯେତେବେଳେ ଚନ୍ଦ୍ର ଏହି ଅମ୍ବ୍ରଭିତରକୁ ଆସେ ସେତେବେଳେ ଏହା ସ୍ପଷ୍ଟ ଭାବେ ଦେଖାଯାଏ । ଏଭଳି ଗ୍ରହଣ ପ୍ରତି ୨ ରୁ ୩ ବର୍ଷରେ ଥରେ ଦେଖିବାକୁ ମିଳେ । ଚନ୍ଦ୍ର ଗ୍ରହଣ ଦେଖିବା ପାଇଁ କୌଣସି ବିଶେଷ ଉପକରଣ ବା ଟେଲିସ୍କୋପ୍ର ଆବଶ୍ୟକତା ନାହିଁ । ଆପଣ ଖାଲି ଆଖିରେ ଆକାଶକୁ ଚାହିଁ ଏହାର ମଜା ନେଇପାରିବେ । ତେବେ ବାଇନୋକୁଲାର ବା ଟେଲିସ୍କୋପ୍ ସାହାଯ୍ୟରେ ଚନ୍ଦ୍ରର ପୃଷ୍ଠକୁ ଅଧିକ ସ୍ପଷ୍ଟ ଭାବେ ଦେଖିହେବ । ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ବେଳେ ଚନ୍ଦ୍ରର ରଙ୍ଗ ଗାଢ଼ ନାଲି ବା ତମ୍ବା ରଙ୍ଗ ଭଳି ହୋଇଯାଏ, ଯାହାକୁ ‘ବ୍ଲଡ୍ ମୁନ୍’ କୁହାଯାଏ । ଏହିପରି ଭାବେ ୨୦୨୬ ଅଗଷ୍ଟ ମାସଟି ବିଶ୍ୱବାସୀଙ୍କ ପାଇଁ ଏକ ସ୍ମରଣୀୟ ମହାକାଶ ଯାତ୍ରା ସଦୃଶ ହେବ ।
