ଅବଦୁଲ୍ଲା ବିନ ମୁବାରକ ଜଣେ ଅଧ୍ୟାତ୍ମିକବାଦୀ ମୁସଲମାନ ଭକ୍ତ । ସେ ଜାଣିଥିଲେ ଯେ ଇସଲାମ ଶବ୍ଦର ଅର୍ଥ ‘ଆଇ ସୁଡ଼ ଲଭ ଅଲ ମେନ’ ବା ସମସ୍ତଙ୍କୁ ଭଲପାଇବା । ତେଣୁ ସେ ଧନୀଲୋକ ହେଲେ ବି ମାନବ ସେବା ପାଇଁ ନିଜ ଅର୍ଜିତ ସମ୍ପତ୍ତି ଦାନ କରି ଦେଉଥିଲେ । ଏକଦା ସେ ଅନେକ ଧନରତ୍ନ ସହିତ ହଜ୍ ବା ତୀର୍ଥ ଯାତ୍ରାରେ ବାହାରିଲେ । ସହର ପାର ହେବା ପରେ ସେ ଜଣେ ରୋଗିଣା ବିଧବା ସ୍ତ୍ରୀଲୋକ ରାସ୍ତା ପ୍ରାନ୍ତରେ ପଡି ଚିତ୍କାର କରୁଥିବାର ଦେଖିଲେ । ଅନ୍ୟ ତୀର୍ଥଯାତ୍ରୀ ବା ପଥିକମାନେ ଦୁଃଖିନୀ ସ୍ତ୍ରୀଲୋକଟିର ଦୁଃଖ ନଶୁଣି ବାଟଭାଙ୍ଗି ଚାଲିଯାଉଥାନ୍ତି । ଅବଦୁଲ୍ଲା ସ୍ତ୍ରୀଲୋକଟିର ସେବା କରି ପାଣି ଓ ଖାଦ୍ଯ ଯୋଗାଇ ଦେବା ସହିତ ତା’ର ଔଷଧପତ୍ର ଓ ତା’ ପିଲାଙ୍କର ଦୁଃଖ ହରଣ ନିମନ୍ତେ ସାଥିରେ ଥିବା ସମସ୍ତ ଧନରତ୍ନ ତାକୁ ଅକୁଣ୍ଠ ଚିତ୍ତରେ ଦାନ କରି ସ୍ଵଗୃହ ପ୍ରତ୍ୟାବର୍ତ୍ତନ କଲେ । ତୀର୍ଥ ଦର୍ଶନ ଅପେକ୍ଷା ସେ ମାନବ ସେବା ପ୍ରତି ଯଥେଷ୍ଟ ଅଧିକ ମନଯୋଗୀ ଥିଲେ ।
ତାଙ୍କ ସହିତ ଯାଇଥିବା ତୀର୍ଥଯାତ୍ରୀମାନେ ହଜ ଯାତ୍ରା ସାରି ନିଜ ବସତି ସ୍ଥାନକୁ ଫେରି ଆସି ଅବଦୁଲ୍ଲାଙ୍କ ଗୋଡ଼ତଳେ ପଡ଼ିଗଲେ । କହିଲେ ତୁମେ ତ ବହୁତ ପଛରେ ଥିଲ । ମାତ୍ର ତୁମେ ଆମ ପୂର୍ବରୁ ପହଞ୍ଚି ସର୍ବ ପ୍ରଥମେ ହିଁ ଆଲ୍ଲାକ୍ଷେତ୍ର ଦର୍ଶନ କରି ତାଙ୍କଠାରୁ ଆଶିଷ ଗ୍ରହଣ କରି ଫେରିଆସିଲ ! ତୁମେ ହିଁ ପ୍ରକୃତରେ ଭକ୍ତଶ୍ରେଷ୍ଠ ଯିଏକି ଆଗୁଆ ଆଲ୍ଲାଙ୍କର କଲ୍ୟାଣ ପାଇବାରେ ସକ୍ଷମ । ଏହା ଶୁଣି ଅବଦୁଲ୍ଲା ସ୍ମିତହାସ୍ୟ ଖେଳେଇ ଆଲ୍ଲାଙ୍କ ଅଦ୍ଭୁତ ଲୀଳା ଅନୁଭବ କରି କୃତଜ୍ଞତା ଜଣେଇଲେ । ସେ ବୁଝିଗଲେ ଯେ ମାନବସେବାରେ ଈଶ୍ଵରପ୍ରାପ୍ତି ସମ୍ଭବ ।
ବାସ୍ତବରେ ମାନବ ସେବା ହିଁ ମାଧବ ସେବା । ସେଥିପାଇଁ ଗଙ୍ଗାଧର ମେହେରଙ୍କ ଭାଷାରେ – ପର ଉପକାର ପୁଣ୍ୟମୟ ବ୍ରତ ପାଳନ୍ତି ମହତ ଜନ । ମହିମା ସ୍ଵାମୀଙ୍କ ଶ୍ରେଷ୍ଠଭକ୍ତ ଭୀମଭୋଇ ମଧ୍ୟ,”ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” ର ମନ୍ତ୍ର ସାରା ବିଶ୍ଵରେ ପ୍ରତିଧ୍ଵନିତ କରାଇଥିଲେ ।
ଭାଗବତ ଉକ୍ତିରେ – ନିର୍ମଳ ଚିତ୍ତେ ହୃଦେ ଧରି
ଯେବା ସୃଜନ ସେବା କରି ।
ଏ ଭାବ ସାତ୍ତ୍ଵିକ ନିର୍ଗୁଣ
କର୍ମେ ଜାଣନ୍ତି ବେନି ଗୁଣ ।
ସ୍ଵାତ୍ତିକ ସେବା ତତପରେ
ସତ୍ୟ ବଢଇ ନିରନ୍ତରେ ।
ମହାତ୍ମାଗାନ୍ଧୀ, ଗୋପବନ୍ଧୁ, ଈଶ୍ଵର ଚନ୍ଦ୍ର ବିଦ୍ୟାସାଗରଙ୍କ ପରି ମହାମାନବ ନିଜ ସାରା ଜୀବନକୁ ସେବା ନିମନ୍ତେ ଉତ୍ସର୍ଗ କରି ଆଜି ଆମର ପୂଜ୍ୟ ବନ୍ଦନୀୟ । ଚିର ଅମର । ତେଣୁ ସେବାକୁ ଜୀବନର ଶ୍ରେଷ୍ଠ ବ୍ରତ ଭାବି କାମ କରି ଚାଲିଲେ ଧନଜୀବନ ତ୍ୟାଗ କରି ମଧ୍ୟ ଯଶକୀର୍ତ୍ତି ବଳରେ ଧନ୍ଯ ହୋଇ ପାରିବ । ଏହି ସେବା ଦ୍ଵାରା ଈଶ୍ଵର ପ୍ରାପ୍ତି ବା ଈଶ୍ଵରଙ୍କ ସତ୍ତା ଅନୁଭବ କରିବା ସମ୍ଭବ ।
କାହାଣୀ- ନିରଞ୍ଜନ ପତି