Thursday, March 12, 2026
21.6 C
Odisha

    ସ୍ବାଧୀନତା ସଂଗ୍ରାମୀଙ୍କୁ ଶୀଘ୍ର ପେନ୍‌ସନ ଦିଅ: ହାଇକୋର୍ଟ

    ଆଗକୁ ପଢନ୍ତୁ

    କଟକ : ଦେଶର ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ଜଣେ ଶତାୟୁ ସଂଗ୍ରାମୀଙ୍କୁ ଏ ପର୍ଯ୍ୟନ୍ତ ପେନସନ ପ୍ରଦାନ କରା ନ ଯିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଆଉ ବିଳମ୍ବ ନ କରି ୬ ସପ୍ତାହ ଭିତରେ ୧୦୧ ବର୍ଷିୟ ସ୍ବାଧୀନତା ସଂଗ୍ରାମୀଙ୍କୁ ପେନସନ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି। ସ୍ବାଧୀନତା ପାଇଁ ଦେଇଥିବା ବଳିଦାନ ଲାଗି ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ପ୍ରଦାନ କରିବା ସରକାରଙ୍କ ବିଧିସମ୍ମତ କର୍ତ୍ତବ୍ୟ ବୋଲି ହାଇକୋର୍ଟ କହିଛନ୍ତି। ୨୦୦୨, ଅକ୍ଟୋବର ୯ର ବିଜ୍ଞପ୍ତି ଅନୁସାରେ ସବୁ ଦୃଷ୍ଟିରୁ ଯୋଗ୍ୟ ଆବେଦନକାରୀ ସ୍ବାଧୀନତା ସଂଗ୍ରାମୀ ପେନସନ ପାଇବାକୁ ଯୋଗ୍ୟ। ତେଣୁ ଆବେଦନକାରୀଙ୍କୁ ସ୍ବାଧୀନତା ସଂଗ୍ରାମୀ ପେନସନ ପ୍ରଦାନ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବ୍ରହ୍ମାନନ୍ଦ ଜେନାଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଶ୍ରୀ ଜେନା ଭାରତଛାଡ଼ ଆନ୍ଦୋଳନରେ ଭାଗ ନେଇଥିଲେ। ଏଥି ପାଇଁ ୧୯୪୨-୪୩ ସମୟରେ ସେ ଏକ ବର୍ଷରୁ ଅଧିକ ସମୟ ଆତ୍ମଗୋପନ କରି ରହିଥିଲେ। ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ମଧ୍ୟ ଶ୍ରୀ ଜେନାଙ୍କୁ ପେନସନ ମିଳି ନଥିଲା। ଭାରତ ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ ପେନସନ ଯୋଜନା ଅନୁସାରେ ସେ ପେନସନ ପାଇଁ ୧୯୮୧ରେ ଆବେଦନ କରିଥିବା ବେଳେ ଏହାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଥିଲେ। କିନ୍ତୁ କିଛି ସୁଫଳ ମିଳି ନଥିଲା। ୧୯୮୯ରେ ଶ୍ରୀ ଜେନା ରାଜ୍ୟ ସରକାରଙ୍କ ନିକଟରେ ପେନସନ ପାଇଁ ଆବେଦନ କରିଥିଲେ।

    ୨୦୦୨, ଅକ୍ଟୋବର ୯ରେ ରାଜ୍ୟ ସରକାର ସ୍ବାଧୀନତା ସଂଗ୍ରାମୀଙ୍କୁ ପେନସନ ପ୍ରଦାନ ପ୍ରସଂଗରେ ଏକ ନୂଆ ଗାଇଡ଼ଲାଇନ ଆଣିଥିଲେ। ୧୯୨୪ ପୂର୍ବରୁ ଜନ୍ମଗ୍ରହଣ କରିଥିବା ତଥା ୧୯୯୦, ଅଗଷ୍ଟ ୨୭ ପୂର୍ବରୁ ପେନସନ ପାଇଁ ଆବେଦନ କରିଥି‌ବା ବ୍ୟକ୍ତି ଏହି ନୂଆ ନିୟମାବଳୀ ଅନୁସାରେ ଯୋଗ୍ୟ ବୋଲି ସ୍ପଷ୍ଟ କରାଯାଇଥିଲା। ଭୋଟର ତାଲିକା ତଥ୍ୟକୁ ବୟସ ନିର୍ଦ୍ଧାରଣର ଆଧାର ଭାବେ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ଭୋଟର ତାଲିକାରେ ରହିଥିବା ତଥ୍ୟ ଠିକ୍ ଭାବେ ଯାଞ୍ଚ କରା ନ ଯିବାରୁ ଆବେଦନକାରୀଙ୍କୁ ପେନସନ ମିଳି ନଥିଲା। ୨୦୦୨ର ଭୋଟର ତାଲିକାରେ ଆବେଦନକାରୀଙ୍କ ସଂକ୍ରାନ୍ତରେ ରହିଥିବା ତଥ୍ୟ ସଂପୂର୍ଣ୍ଣ ଠିକ୍ ବୋଲି କଟକ ଜିଲ୍ଲା ନିର୍ବାଚନ ଅଧିକାରୀ ୨୦୧୯, ଡିସେମ୍ବର ୩୧ରେ କଟକ ଉପଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ। ଏଥି ସହିତ ୨୦୦୨ର ଗାଇଡଲାଇନ ଅନୁସାରେ ସବୁ ଦୃଷ୍ଟିରୁ ଯୋଗ୍ୟ ଆବେଦନକାରୀଙ୍କୁ ସ୍ବାଧୀନତା ସଂଗ୍ରାମୀ ପେନସନ ପ୍ରଦାନ କରା ନ ଯିବାରୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    27 %
    1.7kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ