ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀରେ ମଇଦା ଆମ ଦୈନନ୍ଦିନ ଖାଦ୍ୟର ଏକ ପ୍ରମୁଖ ଅଂଶ ପାଲଟିଛି । ସମୋସା, କଚୋଡ଼ି, ପୁରି, ନାନ୍ଠାରୁ ଆରମ୍ଭ କରି ପିଜ୍ଜା, ବ୍ରେଡ୍ ଓ ବିସ୍କୁଟ୍ ପର୍ଯ୍ୟନ୍ତ ଅନେକ ଖାଦ୍ୟ ପ୍ରସ୍ତୁତିରେ ମଇଦା ବ୍ୟବହାର ହେଉଛି । ଏହି ଖାଦ୍ୟଗୁଡ଼ିକ ସ୍ୱାଦିଷ୍ଟ ହୋଇଥିବାରୁ ଲୋକେ ଏହାକୁ ଖାଇବାକୁ ବେଶ୍ ପସନ୍ଦ କରନ୍ତି। କିନ୍ତୁ ମଇଦାର ଅତ୍ୟଧିକ ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ବିଶେଷକରି ଏହା ରକ୍ତରେ ଶର୍କରା ସ୍ତର ବଢ଼ାଇବା ସହ ମୋଟାପଣ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ବଢ଼ାଇପାରେ।
ବିଶେଷଜ୍ଞଙ୍କ ମତରେ, ମଇଦା ହେଉଛି ପ୍ରକ୍ରିୟାକରଣ କରାଯାଇଥିବା ଗହମରୁ ପ୍ରସ୍ତୁତ ଏକ ଖାଦ୍ୟ ପଦାର୍ଥ । ମଇଦା ପ୍ରସ୍ତୁତ କରିବା ସମୟରେ ଗହମର ବାହାର ଆବରଣ ଏବଂ ଭ୍ରୂଣ ଅଂଶକୁ ବାହାର କରିଦିଆଯାଏ । ଫଳରେ ଏଥିରେ ଥିବା ଅଧିକାଂଶ ଫାଇବର ଓ ଅନେକ ପୋଷକ ତତ୍ତ୍ୱର ପରିମାଣ କମିଯାଏ। ସାଧାରଣ ଗହମ ଅଟା ତୁଳନାରେ ମଇଦାରେ ଫାଇବର, ଭିଟାମିନ୍ ଓ ଖଣିଜ ପଦାର୍ଥ କମ୍ ରହିଥାଏ ।
ମଇଦାର ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଧିକ ହୋଇଥିବାରୁ ଏହା ଖାଇବା ପରେ ରକ୍ତରେ ଶର୍କରା ସ୍ତର ଶୀଘ୍ର ବଢ଼ିପାରେ । ଏହା ସହ ମଇଦାଯୁକ୍ତ ଖାଦ୍ୟର ଅତ୍ୟଧିକ ସେବନ ଶରୀରର ଓଜନ ବୃଦ୍ଧି କରିବା ସହ ହୃଦ୍ରୋଗ ଓ ମଧୁମେହ ଭଳି ରୋଗର ଆଶଙ୍କା ବଢ଼ାଇପାରେ । ତେଣୁ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ମଇଦାଯୁକ୍ତ ଖାଦ୍ୟର ସେବନ ନିୟନ୍ତ୍ରଣ କରିବା ସହ ଫାଇବରଯୁକ୍ତ ଖାଦ୍ୟ ଏବଂ ସମ୍ପୂର୍ଣ୍ଣ ଶସ୍ୟରେ ପ୍ରସ୍ତୁତ ଖାଦ୍ୟକୁ ଖାଦ୍ୟତାଲିକାରେ ସାମିଲ କରିବା ଜରୁରୀ ।
ମଇଦା ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ ହୋଇଥାଏ ଏହି ୫ଟି କ୍ଷତି
୧. ପୋଷକ ତତ୍ତ୍ୱର ଅଭାବ:ମଇଦା ଖାଇବା ଦ୍ୱାରା ଶରୀରରେ ପୋଷକ ତତ୍ତ୍ୱର ଅଭାବ ଦେଖାଦେଇପାରେ । କାରଣ, ଗହମର ବାହାର ଆବରଣକୁ ବାହାର କରି ମଇଦା ପ୍ରସ୍ତୁତ କରାଯାଏ । ଏହି ପ୍ରକ୍ରିୟାରେ ଅଧିକାଂଶ ପୋଷକ ତତ୍ତ୍ୱ ଏବଂ ଫାଇବର ନଷ୍ଟ ହୋଇଯାଏ। ନିୟମିତ ମଇଦା ଖାଇବା ଦ୍ୱାରା ଶରୀରରେ ଆବଶ୍ୟକୀୟ ଭିଟାମିନ୍, ମିନେରାଲ୍ସ ଏବଂ ଫାଇଟୋକେମିକାଲ୍ସର ଅଭାବ ଦେଖାଦେଇପାରେ ।
୨. ହଜମ ସମ୍ବନ୍ଧୀୟ ସମସ୍ୟା: ଅଧିକ ମଇଦା ଖାଇବା ଦ୍ୱାରା ହଜମ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । ମଇଦାରେ ଫାଇବରର ପରିମାଣ କମ୍ ଥିବାରୁ ଏହା ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ । ଫଳରେ କୋଷ୍ଠକାଠିନ୍ୟ, ବଦହଜମୀ ଏବଂ ଏସିଡିଟି ଭଳି ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ ।
୩. ବଢ଼ିପାରେ ରକ୍ତରେ ଶର୍କରା ସ୍ତର: ମଇଦା ଖାଇବା ଦ୍ୱାରା ଶରୀରରେ ରକ୍ତ ଶର୍କରା ସ୍ତର ଦ୍ରୁତ ଗତିରେ ବଢ଼ିପାରେ । କାରଣ, ମଇଦାର ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଧିକ ରହିଥାଏ । ଅଧିକ ମଇଦା ଖାଇବା ଦ୍ୱାରା ରକ୍ତରେ ଗ୍ଲୁକୋଜ୍ ସ୍ତର ବଢ଼ିଥାଏ, ଯାହା ମଧୁମେହ ରୋଗୀଙ୍କ ସମସ୍ୟାକୁ ଆହୁରି ବଢ଼ାଇପାରେ । ତେଣୁ ମଇଦାର ଅତ୍ୟଧିକ ସେବନ ମଧୁମେହ ହେବାର ଆଶଙ୍କାକୁ ମଧ୍ୟ ବଢ଼ାଇପାରେ ।
୪. ହାଡ଼କୁ ଦୁର୍ବଳ କରିଥାଏ: ମଇଦାର ପ୍ରକୃତି ଅମ୍ଳୀୟ ବୋଲି କୁହାଯାଏ । ଏଥିରେ ପ୍ରୋଟିନ୍ର ପରିମାଣ ମଧ୍ୟ କମ୍ ଥାଏ । ଅଧିକ ମଇଦା ଖାଇବା ଦ୍ୱାରା ଶରୀରରେ ଅମ୍ଳୀୟ ଭାର ବଢ଼ିପାରେ । ଏହା ହାଡ଼ର ସ୍ୱାସ୍ଥ୍ୟକୁ ପ୍ରଭାବିତ କରି ହାଡ଼ ଦୁର୍ବଳ ହେବାର କାରଣ ହୋଇପାରେ ।
୫. କୋଲେଷ୍ଟ୍ରଲ୍ ସ୍ତର ବଢ଼ାଇଥାଏ: ଅଧିକ ମଇଦା ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ ସ୍ତର ବଢ଼ିବାର ଆଶଙ୍କା ରହିଥାଏ । ମଇଦାରେ ଷ୍ଟାର୍ଚ୍ଚର ପରିମାଣ ଅଧିକ ଥିବାରୁ ଏହା ମୋଟାପଣ ବଢ଼ାଇପାରେ । ମୋଟାପଣ ବଢ଼ିବା ସହ ଶରୀରରେ ଖରାପ କୋଲେଷ୍ଟ୍ରଲ୍ (LDL) ଏବଂ ଟ୍ରାଇଗ୍ଲିସରାଇଡ୍ର ସ୍ତର ମଧ୍ୟ ବୃଦ୍ଧି ପାଇପାରେ । ତେଣୁ ଯେଉଁମାନଙ୍କର ପୂର୍ବରୁ କୋଲେଷ୍ଟ୍ରଲ୍ ସମସ୍ୟା ରହିଛି, ସେମାନେ ମଇଦାଯୁକ୍ତ ଖାଦ୍ୟର ସେବନ ସୀମିତ ରଖିବା ଉଚିତ୍ ।
