Monday, October 21, 2024
21.9 C
Odisha

    ହବିଷ୍ୟାଳୀ ମା’ଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପୁରୀ ଗସ୍ତରେ ଆସି ହବିଷ୍ୟାଳୀ ମା’ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କରିଛନ୍ତି । ଯେଉଁଥିରେ ଶାଢୀ, ଚଦର, ଉତ୍ତରୀୟ, ରାଇଦାମୋଦର ବ୍ରତ ବହି, ଶୁଖିଲି ମହାପ୍ରସାଦ ପ୍ରଭୃତି ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀ ମା’ମାନଙ୍କୁ ଦଣ୍ଡବତ ହୋଇ ଆଶୀର୍ବାଦ କାମନା କରିବା ସହ କହିଥିଲେ, ମୋ ନିଜ ମା’ଙ୍କୁ ପାଖରେ ପାଇବା ପରି ଅନୁଭବ ହେଉଛି । ଆପଣମାନେ ଏହାକୁ ବ୍ରତ ପାଳନ ବେଳେ ବ୍ୟବହାର କରିବେ । ସେ ଆହୁରି କହିଥିଲେ, ଆପଣମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ମୁଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି । ଆପଣମାନେ ଭଲରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ । ନିଜ ପରିବାର ତଥା ରାଜ୍ୟର ସମୃଦ୍ଧି ଓ ବିକାଶ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ । ଓଡ଼ିଶା ବାହାରେ ଥିବା ସମୟରେ କିଛି ହବିଷ୍ୟାଳୀ ମା’ଙ୍କ ଅସୁବିଧା ସମ୍ପର୍କରେ ସୂଚନା ପାଇବା ପରେ ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ ସବୁର ସମାଧାନ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
    ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ଷରେ ବୋଧହୁଏ କାର୍ତ୍ତିକ ମାସରେ ସବୁଠୁ ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି । ସେହିପରି କାର୍ତ୍ତିକ ପୂର୍ଣ୍ଣମୀରେ ଅନୁଷ୍ଠିତ ହେଉଥିବା ସୁନାବେଶ ଦିନ ଅଧିକ ଭିଡ଼ ହୋଇଥାଏ । ପ୍ରଭୁଙ୍କ କରୁଣାରୁ ସମସ୍ତେ ଭଲଭାବେ ଦର୍ଶନ କରିବେ । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ କାର୍ତ୍ତିକ ବ୍ରତର ମାହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଆମ ଓଡିଆ ସଂସ୍କୃତି ଓ ପରମ୍ପରାରେ କାର୍ତ୍ତିକ ମାସ ପବିତ୍ର ଓ ଧାର୍ମିକ ମାସ ଭାବେ ଗଣାଯାଏ । କାର୍ତ୍ତିକ ପୂଣ୍ୟ ଅର୍ଜନର ମାସ । କାର୍ତ୍ତିକ ବ୍ରତର ମାହାତ୍ମ୍ୟ ସମ୍ପର୍କରେ କୁହାଯାଇଛି ଯେ ଯେତେ ଦର୍ଶନ, ଯେତେ ତୀର୍ଥ, ଯେତେ ଯାଗ ଯଜ୍ଞ ଅଛି ସେସବୁର ଧର୍ମକୁ ଠୁଳ କଲେ କାର୍ତ୍ତିକ ବ୍ରତ ସହିତ ସମାନ ହେବ ନାହିଁ । ଭଗବତ୍ ଗୀତାରେ ମଧ୍ୟ ଏ ବିଷୟରେ ବର୍ଣ୍ଣନା ଅଛି । ଶ୍ରୀକ୍ଷେତ୍ରରେ ଏହାର ସ୍ୱତନ୍ତ୍ର ପାଳନ ବିଧି ରହିଛି । ଏହି ମାସରେ ଆମ ମା’ଓ ମାଉସୀମାନେ ନିଷ୍ଠାର ସହ ପ୍ରତ୍ୟୁଷରୁ ସ୍ନାନ କରି ବ୍ରତ ପାଳନ ଓ ପୂଜା କରିଥାନ୍ତି । କାର୍ତ୍ତକ ମାସରେ ବିଷ୍ଣୁଙ୍କର ପ୍ରଧାନ ଆରାଧନା ହେଉଛି ରାଇ ଦାମୋଦର ବ୍ରତ । ତେବେ ହବିଷ୍ୟାଳୀ ମା’ମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଭାବେ ବୃନ୍ଦାବତୀ ନିବାସ କରାଯାଇଛି । ଚଳିତବର୍ଷ ବୃନ୍ଦାବତୀ ନିବାସ ସହିତ ଅନ୍ୟ ୩ଟି କେନ୍ଦ୍ର ଯଥା ଅକ୍ଷୟ ପାତ୍ର ପାଉଣ୍ଡେଶନ, ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀ ମା’ମାନଙ୍କୁ ରଖାଯାଇଛି ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବର୍ଗର କଲ୍ୟାଣ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ ।
    ଏହି ଅବସରରେ ପୁରୀ ସାଂସଦ ଡା. ସମ୍ବିତ ପାତ୍ର ଓ ପୁରୀ ବିଧାୟକ ସୁନିଲ ମହାନ୍ତି ଯୋଗ ଦେଇଥିଲେ । ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ସ୍ୱାଗତ ଭାଷଣ ଏବଂ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଡିଆଇଜି ଚରଣ ସିଂ ମୀନା, ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌ପି ବିନୀତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.9 ° C
    21.9 °
    21.9 °
    89 %
    1.2kmh
    99 %
    Sun
    22 °
    Mon
    30 °
    Tue
    29 °
    Wed
    28 °
    Thu
    28 °

    ସମ୍ବନ୍ଧିତ