Wednesday, July 29, 2026
23.5 C
Odisha

    ହାଇକୋର୍ଟ ବିଚାରପତିଙ୍କୁ ତଦନ୍ତ ପରିସରଭୁକ୍ତ କରିବା ମାମଲା: ଲୋକପାଳଙ୍କ ଆଦେଶ ଉପରେ ରୋକ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତର ଦୁର୍ନୀତି-ନିରୋଧୀ ସଂସ୍ଥା ‘ଲୋକପାଳ’ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିପାରିବେ ବୋଲି ଦର୍ଶାଇ ଜାନୁଆରି ୨୭ ତାରିଖରେ ଦେଇଥିବା ଆଦେଶକୁ ସୁପ୍ରିମ୍‌କୋର୍ଟ ଗୁରୁବାର ସ୍ଥଗିତ ରଖିଛନ୍ତି। ଜଷ୍ଟିସ ଭୂଷଣ ଆର୍ ଗବାଇ, ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଅଭୟ ଏସ୍ ଓକାଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି ଯେ ହାଇକୋର୍ଟ ବିଚାରପତିମାନେ ଲୋକପାଳ ଓ ଲୋକାୟୁକ୍ତ ଆଇନ, ୨୦୧୩ ଅଧୀନରେ ଆସିବେ ନାହିଁ, କାରଣ ସେମାନଙ୍କ ନିଯୁକ୍ତି ସମ୍ବିଧାନ ଦ୍ୱାରା ପରିଚାଳିତ। ସେମାନେ ସଂସଦୀୟ ଆଇନ ଦ୍ୱାରା ପ୍ରତିଷ୍ଠିତ ସଂଗଠନରେ କାର୍ଯ୍ୟ କରୁଥିବା ଅନ୍ୟ କୌଣସି ‘ସରକାରୀ କର୍ମଚାରୀ’ ପରି ନୁହନ୍ତି।କେନ୍ଦ୍ର ସରକାର, ଅଭିଯୋଗକାରୀ ତଥା ଲୋକପାଳଙ୍କ କାର୍ଯ୍ୟାଳୟକୁ ନୋଟିସ୍ ଜାରି କରି ଖଣ୍ଡପୀଠ ହାଇକୋର୍ଟର ଜଣେ ବିଚାରପତିଙ୍କ ନାମ ପ୍ରକାଶ କରିବା ଉପରେ ରୋକ୍ ଲଗାଇଛନ୍ତି। ଉକ୍ତ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଏକ ବିଚାରାଧୀନ ମାମଲାରେ ଅତିରିକ୍ତ ଜିଲ୍ଲା ଜଜ୍ ଏବଂ ହାଇକୋର୍ଟର ଅନ୍ୟ ଜଣେ ବିଚାରପତିଙ୍କୁ ପ୍ରଭାବିତ କରିଥିବା ଅଭିଯୋଗ ହୋଇଛି। ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ବିରୋଧରେ ଦୁଇଟି ଅଭିଯୋଗର ଶୁଣାଣି କରିବାରେ ଲୋକପାଳଙ୍କ ଆଭିମୁଖ୍ୟକୁ ଅଦାଲତ ନାପସନ୍ଦ କରି କହିଛନ୍ତି, ଏହା ଅତ୍ୟନ୍ତ ଚିନ୍ତାଜନକ କଥା।

    ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏଏମ୍ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଲୋକପାଳଙ୍କ ପୂର୍ଣ୍ଣଖଣ୍ଡପୀଠ ଜାନୁଆରିରେ ଏହି ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ଶୁଣାଣିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମ୍‌କୋର୍ଟଙ୍କୁ କହିଥିଲେ ଯେ ହାଇକୋର୍ଟର ବିଚାରପତି କେବେ ବି ଲୋକପାଳ ଆଇନ ପରିସରଭୁକ୍ତ ହେବେ ନାହିଁ। ଏହି ଆଭିମୁଖ୍ୟକୁ ସମର୍ଥନ କରି ସୁପ୍ରିମ୍‌କୋର୍ଟ ବାର୍ ଆସୋସିଏସନ୍‌ର ସଭାପତି ବରିଷ୍ଠ ଆଇନଜୀବୀ କପିଲ ସିବଲ ଚେତାବନୀ ଦେଇ କହିଛନ୍ତି, ଲୋକପାଳଙ୍କ ଏଭଳି ବ୍ୟାଖ୍ୟା ବିପଦପୂର୍ଣ୍ଣ। ଏହାପରେ କୋର୍ଟ ଦୁଇ ବରିଷ୍ଠ ଓକିଲଙ୍କ ସହାୟତା ଲୋଡ଼ିବା ସହ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୮କୁ ଧାର୍ଯ୍ୟ କରିଛନ୍ତି। ଲୋକପାଳଙ୍କୁ କଡ଼ା ଚେତାବନୀ ଦେଇ ସୁପ୍ରିମ୍‌କୋର୍ଟ କହିଛନ୍ତି, ଆମେ ଏହି ଆଦେଶ ଉପରେ ରୋକ୍ ଲଗାଉଛୁ। ଆମେ ଆଶା କରୁଛୁ ଲୋକପାଳ ସ୍ଥଗିତାଦେଶର ଅର୍ଥ ବୁଝିବେ ଏବଂ ଆଗକୁ ବଢ଼ିବେ ନାହିଁ। ନଚେତ୍ ଆମେ ପରବର୍ତ୍ତୀ ଆଦେଶ ଦେବୁ।

    ଅଦାଲତଙ୍କ ଆଦେଶ ଅଭିଯୋଗକାରୀଙ୍କୁ ବିଚାରପତିଙ୍କ ନାମ ପ୍ରକାଶ କରିବା କିମ୍ବା ସେହି ବିଚାରପତିଙ୍କ ବିରୋଧରେ ଅତିରିକ୍ତ ଅଭିଯୋଗ ଦାଖଲ କରିବାକୁ ସ୍ପଷ୍ଟ ଭାବରେ ବାରଣ କରିଛି। ଏକ ବିଚାରାଧୀନ ମାମଲାରେ ଅତିରିକ୍ତ ଜିଲ୍ଲା ଜଜ୍ ଏବଂ ହାଇକୋର୍ଟର ଅନ୍ୟ ଜଣେ ବିଚାରପତିଙ୍କୁ ପ୍ରଭାବିତ କରିଥିବା ଅଭିଯୋଗରେ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ବିରୋଧରେ ଦୁଇଟି ଅଭିଯୋଗର ଶୁଣାଣି କରିବାକୁ ଲୋକପାଳଙ୍କ ନିଷ୍ପତ୍ତି ପରେ ସୁପ୍ରିମ୍‌କୋର୍ଟ ଏହି ହସ୍ତକ୍ଷେପ କରିଛନ୍ତି। ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ହାଇକୋର୍ଟ ବିଚାରପତି ଯେଉଁ ଘରୋଇ କମ୍ପାନିକୁ ଫାଇଦା ଦେବାକୁ ଚାହୁଥିଲେ, ସେ ଓକିଲ ଭାବେ ଅଭ୍ୟାସ କରୁଥିବା ବେଳେ ଉକ୍ତ କମ୍ପାନି ସହ ତାଙ୍କର ଘନିଷ୍ଠ ସଂପର୍କ ରହିଥିଲା । ୨୦୧୩ ଆଇନ ଅନୁଯାୟୀ ହାଇକୋର୍ଟ ବିଚାରପତିମାନେ ‘ସରକାରୀ କର୍ମଚାରୀ’ଙ୍କ ସଂଜ୍ଞାରେ ଅନ୍ତର୍ଭୁକ୍ତ ବୋଲି ଲୋକପାଳ ତାଙ୍କ ଆଦେଶରେ କହିଥିଲେ।  ୨୦୨୨ରେ ସୁପ୍ରିମ୍‌କୋର୍ଟରୁ ଅବସର ନେଇଥିବା ଖାଲୱିଲକର ଗତ ବର୍ଷ ମାର୍ଚ୍ଚ ମାସରୁ ଭାରତର ଲୋକପାଳ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ନିଜ ଅଧିକାରକୁ ସୁନିଶ୍ଚିତ କରିବା ସତ୍ତ୍ୱେ ଲୋକପାଳ ଆଗକୁ ବଢ଼ିବା ପୂର୍ବରୁ ପ୍ରଧାନ ବିଚାରପତିଙ୍କଠାରୁ ମାର୍ଗଦର୍ଶନ ନେବାକୁ ପସନ୍ଦ କରିଥିଲେ ଏବଂ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଥିଲେ। ଲୋକପାଳ କହିଛନ୍ତି,  ପ୍ରଧାନ ବିଚାରପତିଙ୍କ ମାର୍ଗଦର୍ଶନକୁ ଅପେକ୍ଷା କରି ୨୦୧୩ ଆଇନର ଧାରା ୨୦(୪) ଅନୁଯାୟୀ ଆଜିଠାରୁ ୪ ସପ୍ତାହ ପର୍ଯ୍ୟନ୍ତ ଏହି ଅଭିଯୋଗଗୁଡ଼ିକର ବିଚାରକୁ ସ୍ଥଗିତ ରଖାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.5 ° C
    23.5 °
    23.5 °
    94 %
    3.3kmh
    100 %
    Wed
    25 °
    Thu
    28 °
    Fri
    30 °
    Sat
    29 °
    Sun
    30 °

    ସମ୍ବନ୍ଧିତ