ନୂଆଦିଲ୍ଲୀ : ବ୍ରିଟେନ୍ ସଂସଦରେ ‘ପେଡ୍ ପିରିୟଡ଼ ଲିଭ୍’ ବା ଋତୁଶ୍ରାବ ସମୟ ଛୁଟି ଉପରେ ଆଲୋଚନା । ଏ ଦିଗରେ ସାରା ବିଶ୍ବରେ କାମ କରୁଥିବା ଏବଂ ସଚେତନତା ସୃଷ୍ଟି କରୁଥିବା ଓଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀଙ୍କ ପ୍ରଚେଷ୍ଟାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ବ୍ରିଟେନ୍ ପାର୍ଲାମେଣ୍ଟର ହାଉସ୍ ଅଫ୍ କମନ୍ସରେ ଆୟୋଜିତ ଏହି ସମ୍ମିଳନୀରେ ରଞ୍ଜିତାଙ୍କ ସହ ବ୍ରିଟେନ୍, ଭାରତ, ଘାନା, ନାଇଜେରିଆ ଚୀନ୍, ଫ୍ରାନ୍ସ, କେନିୟା, ନାଇଜେରିଆ, ଫ୍ରାନ୍ସ, ସ୍ପେନ ମଧ୍ୟ ସମର୍ଥନ ଜଣାଇଛନ୍ତି । ଏସବୁ ଦେଶର ପ୍ରତିନିଧି ସମ୍ମିଳନୀରେ ଉପସ୍ଥିତ ରହି ଆଲୋଚନା କରିଥିଲେ । ବିଶ୍ବ ଉମିୟା ଫାଉଣ୍ଡେସନ୍, ଗ୍ଲୋବାଲ ସାଉଥ କରିଡର ପ୍ରମୁଖ ତରଫରୁ ହୋଇଥିବା ସମ୍ମିଳନୀରେ ବିଶେଷ କରି ମହିଳାମାନଙ୍କ ମାସିକ ଧର୍ମ ସମୟରେ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ବର୍ତ୍ତମାନ ଋତୁଶ୍ରାବ ସମୟରେ ସ୍ବଚ୍ଛତା ଦିବସ ପାଳନ କରାଯାଉଛି । ଏହି ଅବସରରେ ପରିବାର ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଅବଦାନ ରହୁଥିବା ବେଳେ ସେମାନଙ୍କୁ ଋତୁଶ୍ରାବ ଜନିତ ସମସ୍ୟା ବେଳେ ସହଯୋଗ ଲୋଡ଼ା ବୋଲି ମତ ପ୍ରକାଶ ପାଇଥିଲା । ତାଙ୍କର ଏହି ଅଭିଯାନରେ ରଞ୍ଜିତା ପ୍ରିୟଦର୍ଶିନୀଙ୍କୁ ୟୁନିସେଫ ସହଯୋଗ କରିବ ବୋଲି ଘୋଷଣା କରାଯାଇଥିଲା । ସମ୍ମିଳନୀରେ ‘ପେଡ୍ ପିରିୟଡ଼ ଲିଭ’ ଗୀତ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଡକ୍ଟର ବିଭୂତି ଭୂଷଣ ପଟ୍ଟନାୟକ, ଶ୍ବେତା ମହାନ୍ତି, ରଂଜନ କୁମାର ଦାଶ ଏବଂ ପ୍ରଦୀପ ନାୟକ ସମର୍ଥନ କରିଥିଲେ । ଗ୍ଲୋବାଲ ସାଉଥ କରିଡରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପାର୍ଥ ସାରଥୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
