ଅଧିକାଂଶ ଲୋକ କ୍ରିସ୍ପି ଏବଂ ଗୋଲଡେନ୍ ବ୍ରାଉନ୍ ଖାଦ୍ୟ ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ଲୋକେ ପ୍ରଥମେ ସେହି ଦୋକାନକୁ ଯାଇଥାନ୍ତି ଯେଉଁଠି ଅଏଲି ଫୁଡ୍ ସହ ଏହି ପରି ଖାଦ୍ୟ ମିଳିଥାଏ । କାରଣ ସେହି ସବୁ ଜିନିଷ ବେଶୀ ମାତ୍ରାରେ ଆମ ଦୃଷ୍ଟି ଆକର୍ଷଣ କରିଥାଏ । କିନ୍ତୁ ଭଲ ଦେଖାଯିବା ଏବଂ ଭଲ ସ୍ବାଦ ପାଇଁ ଲୋକମାନେ ସେମାନଙ୍କ ଜୀବନକୁ ବିପଦ ମୁହଁରେ ପକାଇ ଦେଉଛନ୍ତି । ହୁଏ ତ ଏଭଳି ଖାଦ୍ୟ କିଛି ସମୟ ପାଇଁ ଆପଣଙ୍କ ପାଟିର ଟେଷ୍ଟକୁ ବଦଳାଇ ଦେବ କିନ୍ତୁ ପରେ ଆପଣଙ୍କ ଶରୀରକୁ ସମ୍ପୂର୍ଣ୍ଣ ରୂପେ ବିଗାଡିଦେବ । ଯାହା ଆପରଙ୍କ ସ୍ବାସ୍ଥ୍ୟ ପାଇଁ ଅହିତକର ହୋଇଥାଏ । ଯାହା ଦ୍ବାରା ପରେ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡିବ ।
ଆମେ ଅନେକ ସମୟରେ ମଧ୍ୟ ରୁଟିକୁ ଅଧିକ ସେକି ଖାଇଥାଉ । ପାଟିକୁ ତ ସ୍ବାଦିଷ୍ଟ ଲାଗିଥାଏ କିନ୍ତୁ ସୁସ୍ଥ ଶରୀର ପାଇଁ ଆଦୌ ଉପଯୋଗୀ ନୁହେଁ । ଖାଦ୍ୟର ସ୍ବାଦ ଆପଣଙ୍କୁ ଧୀରେ ଧୀରେ ଅସୁସ୍ଥ କରି ମରଣ ଆଡକୁ ନେଇଯାଇଥାଏ । ତେବେ ଏଭଳି ଖାଦ୍ୟ ଖାଇବା ଦ୍ବାରା କେଉଁ ସବୁ କ୍ଷତି ହୋଇଥାଏ ଆସନ୍ତୁ ଜାଣିବା।
ବର୍ତ୍ତମାନ ସମୟର ଖାଦ୍ୟପେୟ ଏବଂ ଖରାପ ଜୀବନ ଶୈଳୀ ପାଇଁ ଆମେ ବିପଦକୁ ସାମ୍ନା କରିଥାଉ । ଯେପରିକି ପାଚନ ଭଳି ସମସ୍ୟା । ଯାହା ପ୍ରଥମେ ଆମ ସ୍ବାସ୍ଥ୍ୟ ଖରାପ ହେବାର ସୂଚନା ଦେଇଥାଏ । ଅଧିକ ଫ୍ରାଏ, କ୍ରିସ୍ପି ଏବଂ ଗୋଲଡେନ୍ ବ୍ରାଉନ୍ ଖାଦ୍ୟ ଖାଇବା ଦ୍ବାରା ହଜମ କରିବା କଷ୍ଟକର ହୋଇପଡେ । ଏପରି ଖାଦ୍ୟ ଖାଇବା ଦ୍ବାରା ପାଚନ କ୍ରିୟାକୁ ଦୁର୍ବଳ କରିଦେଇଥାଏ । ଯାହା ପରବର୍ତ୍ତୀ ସମୟରେ ଲିଭର ସମସ୍ୟାକୁ ବୃଦ୍ଧି କରିଥାଏ । ଏପରି ରନ୍ଧନ ପ୍ରକ୍ରିୟା ଯୋଗୁଁ ମଧ୍ୟ ଖାଦ୍ୟରେ ଥିବା ଫାଇବର ଏବଂ ପୋଷକ ତତ୍ତ୍ବ ନଷ୍ଟ କରି ଦେଇଥାଏ । ଯାହା ଫଳରେ ପେଟ ଯନ୍ତ୍ରଣା, ପେଟ ଫୁଲିବା, ଗ୍ୟାସ୍, କୋଷ୍ଠକାଠିନ୍ୟ ଏବଂ ବଦହଜମି ଭଳି ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ ।
ଅଧିକ ଫ୍ରାଏ କିମ୍ବା ପୋଡିଯାଇଥିବା ଖାଦ୍ୟ ଆକ୍ରିଲାମାଇଡ୍ ଏବଂ ପଲିସାଇକ୍ଲିକ୍ ଆରୋମାଟିକ୍ ହାଇଡ୍ରୋକାର୍ବନ୍ ଭଳି ରାସାୟନିକ ଯୌଗିକ ଗଠନ କରିଥାଏ । ଯାହା କ୍ୟାନସର ସୃଷ୍ଟିକାରୀ ହୋଇପାରେ । ବିଶେଷ କରି ପୋଡ଼ା ମାଂସ, ଟୋଷ୍ଟ ରୁଟି ଏବଂ ଚିପ୍ସ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏହି ଖାଦ୍ୟର ଦୀର୍ଘ କାଳୀନ ସେବନ କ୍ୟାନସର ହେବାର ଆଶଙ୍କାକୁ ବଢାଇ ଦେଇଥାଏ । ଏହା ସହିତ ଖାଦ୍ୟ ଅଧିକ ରାନ୍ଧିବା ଦ୍ବାରା ଭିଟାମିନ୍ ଏବଂ ଖଣିଜ ପଦାର୍ଥ ନଷ୍ଟ ହୋଇଯାଏ । ଫଳରେ ଲୋକମାନେ ଖାଦ୍ୟରୁ ଉପଯୁକ୍ତ ପୋଷକ ତତ୍ତ୍ବ ପାଇ ପାରିନଥାନ୍ତି । ତେଣୁ ଲୋକଙ୍କୁ ଥକ୍କା କିମ୍ବା ଦୁର୍ବଳ ଅନୁଭବ ହୋଇଥାଏ ।
ଖାଦ୍ୟକୁ ଅଧିକ ରାନ୍ଧିବା ଦ୍ବାରା ମଧ୍ୟ ସେଥିରୁ ଗୋଟିଏ ପୋଡା ଭଳି ଗନ୍ଧ ବାହାରିଥାଏ । ଯାହା ଖାଇବା ଫଳରେ ଭୋକକୁ କମ୍ କରିବା ସହିତ ସ୍ବାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଏଥିକି ନୁହେଁ ବରଂ ହାର୍ଟ ପାଇଁ ମଧ୍ୟ ଅହିତକର ହୋଇଥାଏ । ଏଭଳି ଖାଦ୍ୟ ଖାଇବା ଦ୍ବାରା ହାର୍ଟ ରୋଗର ଆଶଙ୍କାକୁ ବଢାଇଥାଏ । ଏହା ବ୍ୟତୀତ ଟ୍ରାନ୍ସ ଫ୍ୟାଟ୍ ଏବଂ ଅକ୍ସିଡାଇଜଡ୍ ଫ୍ୟାଟ୍ ଉଭୟ ରକ୍ତରେ ଖରାପ କୋଲେଷ୍ଟ୍ରୋଲ ସ୍ତରକୁ ବୃଦ୍ଧି କରି ଭଲ କୋଲେଷ୍ଟ୍ରୋଲର ସ୍ତରକୁ ହ୍ରାସ କରିଥାଏ । ଯାହା ହୃଦରୋଗ ଏବଂ ଷ୍ଟ୍ରୋକର ଆଶଙ୍କାକୁ ବଢାଇପାରେ ।