Friday, March 20, 2026
21.7 C
Odisha

    ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଆମେରିକା ଏବଂ ରୁଷିଆ ମଧ୍ୟରେ ଆଲୋଚନା

    ଆଗକୁ ପଢନ୍ତୁ

    ରିୟାଦ: ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ସାଉଦି ଆରବରେ ଆମେରିକା ଏବଂ ରୁଷିଆ ଅଧିକାରୀମାନେ ସାକ୍ଷାତ କରିଛନ୍ତି। ଆଜି ରିୟାଦ ଅନୁଷ୍ଠିତ ବୈଠକରେ ରୁଷିଆର ପ୍ରତିନିଧିତ୍ୱ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବୈଦେଶିକ ନୀତି ପରାମର୍ଶଦାତା ୟୁରି ଉଶାକୋଭ କରିଥିଲେ। ଆମେରିକା ପକ୍ଷରୁ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍ ୱାଲ୍ଜ ଏବଂ ପଶ୍ଚିମ ଏସିଆ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ବୈଠକରେ ଉପସ୍ଥିତ ଥିଲେ। ଏହି ବୈଠକକୁ ୟୁକ୍ରେନକୁ ନିମନ୍ତ୍ରଣ କରାଯାଇ ନାହିଁ, ଯାହାକୁ ନେଇ ୟୁରୋପ ପକ୍ଷରୁ ଚିନ୍ତା ପ୍ରକାଶ କରାଯାଇଛି।

    ଫାର୍ଷ୍ଟପୋଷ୍ଟ ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଉପରେ ରୁଷିଆ ଆକ୍ରମଣର ତିନି ବର୍ଷ ପରେ ସାଉଦି ଆରବରେ ଏହି ବୈଠକ ହେଉଛି। ଶାନ୍ତି ଚୁକ୍ତିନାମାରେ ଆମେରିକାର ଭୂମିକା ଯୋଗୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ସମ୍ପ୍ରତି ହୋଇଥିବା ଫୋନ୍ ବାର୍ତ୍ତାଳାପ ପରେ ଆମେରିକାର ବୈଦେଶିକ ବିଭାଗ ଏବଂ ରୁଷିଆ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେଉଛି। ଫୋନରେ ଉଭୟ ନେତା ୟୁକ୍ରେନ ନେଇ ତୁରନ୍ତ ଶାନ୍ତି ଆଲୋଚନା ଆରମ୍ଭ କରିବାକୁ ରାଜି ହୋଇଥିଲେ।

    ଏହି ବୈଠକର ଦୁଇଟି ପକ୍ଷ ହେଉଛନ୍ତି ରୁଷିଆ ଏବଂ ଆମେରିକା ଏବଂ ସାଉଦି ମଧ୍ୟସ୍ଥତାର ଭୂମିକାରେ ଅଛି। ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ଲକ୍ଷ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହେଉଥିଲେ ମଧ୍ୟ ଏହି ଆଲୋଚନାକୁ ୟୁକ୍ରେନକୁ ନିମନ୍ତ୍ରଣ କରାଯାଇ ନାହିଁ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୋମବାର କହିଥିଲେ, ଯଦି କିଭ୍ ଅଂଶଗ୍ରହଣ ନ କରେ, ତେବେ ତାଙ୍କ ଦେଶ ବୈଠକର ଫଳାଫଳକୁ ଗ୍ରହଣ କରିବ ନାହିଁ।
    ୟୁରୋପୀୟ ସଂଘକୁ ମଧ୍ୟ ଆଲୋଚନାରେ ସାମିଲ କରାଯାଇ ନାହିଁ। ୟୁରୋପୀୟ ନେତାମାନେ ଏହାକୁ ବିରୋଧ କରିଛନ୍ତି ଏବଂ ଯେକୌଣସି ଶାନ୍ତି ଆଲୋଚନାରେ ସେମାନଙ୍କର ଅଂଶଗ୍ରହଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।ୟୁରୋପୀୟ ସଂଘ କହିଛି, ଏକ ନିରପେକ୍ଷ ଏବଂ ସ୍ଥାୟୀ ଶାନ୍ତି ପାଇଁ ସେମାନଙ୍କର ଉପସ୍ଥିତି ଆବଶ୍ୟକ। ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ତାଙ୍କ ବିବୃତିରେ କହିଛନ୍ତି ଯେ, ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ସ୍ଥାୟୀ ଶାନ୍ତି ପାଇଁ ଆମେରିକାର ସୁରକ୍ଷା ଗ୍ୟାରେଣ୍ଟି ଆବଶ୍ୟକ।ଏହି ବୈଠକ ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରେ, ଆମେରିକାର ରୁଷିଆକୁ ଅଲଗା କରିବା ପାଇଁ ନିଜ ନୀତିରେ ପରିବର୍ତ୍ତନ ଆଣିଛି। ପୂର୍ବରୁ, ରୁଷିଆର ଆକ୍ରମଣ ପରେ ଆମେରିକା ୟୁକ୍ରେନକୁ ଅଲଗା କରିବାକୁ ଚେଷ୍ଟା କରୁଥିଲା। ଏବେ ଉଭୟ ଦେଶର ଉଚ୍ଚ ପଦାଧିକାରୀଙ୍କ ମଧ୍ୟରେ ସାକ୍ଷାତ୍ ହୋଇଛି। ଏହି ଆଲୋଚନା ଡୋନାଲ୍ଡ ଟ୍ରମ୍ପ ଏବଂ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ସାକ୍ଷାତ ପାଇଁ ମଧ୍ୟ ପଥ ପ୍ରଶସ୍ତ କରିବ ବୋଲି କୁହାଯାଉଛି।

    ପୁଟିନଙ୍କ ବୈଦେଶିକ ନୀତି ପରାମର୍ଶଦାତା ଉଷାକୋଭ କହିଛନ୍ତି , ଆଲୋଚନା ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ଥିଲା। ଏଥିରେ ୟୁକ୍ରେନୀୟ ଅଧିକାରୀମାନେ ଅନ୍ତର୍ଭୁକ୍ତ ନୁହଁନ୍ତି। ତଥାପି, ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନକୁ ଆଶ୍ୱାସନା ଦେଇଛନ୍ତି ଯେ, ୟୁକ୍ରେନକୁ ଆଲୋଚନାରେ ସାମିଲ କରାଯିବ।ରୁଷିଆ ଏବଂ ଆମେରିକା ଯେଉଁଭଳି ଭାବରେ ଆଲୋଚନା କରୁଛନ୍ତି ତାହା ୟୁରୋପ ଏବଂ ୟୁକ୍ରେନକୁ ଚିନ୍ତିତ କରିଛି। ୟୁରୋପୀୟ ଦେଶ ଏବଂ ୟୁକ୍ରେନର ଅସନ୍ତୋଷ ନାଟୋର ଭବିଷ୍ୟତ ଉପରେ ପ୍ରଭାବ ପକାଇବ ବୋଲି ଅନେକ ବିଶେଷଜ୍ଞ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    73 %
    0.8kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ