Friday, September 18, 2026
30.3 C
Odisha

    ୟୁନୁସ୍ କ୍ଷମତା ଛାଡିଲେ ବାଂଲାଦେଶର ସ୍ଥିତି ସୁଧୁରିବ: ହସିନା ସରକାରଙ୍କ ପୂର୍ବତନ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଢାକା: ବାଂଲାଦେଶର ପୂର୍ବତନ ଗୃହମନ୍ତ୍ରୀ ଆଜାଦୁଜମାନ ଖାନ କମଲ ଦେଶରେ ଶେଖ ହସିନା ସରକାରଙ୍କ ପତନ ଏବଂ ମହମ୍ମଦ ୟୁନୁସ୍ କ୍ଷମତାକୁ ଆସିବା ପରେ ପରିବର୍ତ୍ତିତ ପରିସ୍ଥିତି ବିଷୟରେ କହିଛନ୍ତି। ବରିଷ୍ଠ ଆୱାମୀ ଲିଗ୍ ନେତା ଆଜାଦୁଜମାନ କମଲ କହିଛନ୍ତି ଯେ, ସେନା ଏବଂ ମୌଳବାଦୀମାନେ ତାଙ୍କ ସରକାରକୁ ହଟାଇ ଦେଇଛନ୍ତି।

    ବାଂଲାଦେଶର ଉତ୍ତମ ଭବିଷ୍ୟତ ପାଇଁ ଇସ୍ତଫା ଦେବା ଏବଂ ନିର୍ବାଚନ କରିବାକୁ ସେ ମହମ୍ମଦ ୟୁନୁସ୍‌ଙ୍କୁ ନିବେଦନ କରିଛନ୍ତି। ଭାରତରୁ ମଧ୍ୟ ସହାୟତା ଆଶା କରିଛନ୍ତି। ଗତ ବର୍ଷ ବାଂଲାଦେଶରେ ବ୍ୟାପକ ବିରୋଧ ପରେ ଶେଖ ହାସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ୍ ପାର୍ଟି ସରକାର ଅଗଷ୍ଟ ୫ରେ କ୍ଷମତାଚ୍ୟୁତ ହୋଇଥିଲେ। ହସିନା ବାଂଲାଦେଶ ଛାଡିବା ପରେ ଏବଂ ମହମ୍ମଦ ୟୁନୁ୍‌ସ୍ କ୍ଷମତା ଗ୍ରହଣ କରିବା ପରେ ଦୀର୍ଘ ଦିନ ଧରି କ୍ଷମତାରେ ଥିବା ଆୱାମୀ ଲିଗ୍‌ର ନେତାମାନେ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ।

    ୧୦ ବର୍ଷରୁ ଅଧିକ ସମୟ ଶେଖ ହସିନାଙ୍କ ସରକାରରେ ଗୃହମନ୍ତ୍ରୀ ଥିବା ଆଜାଦୁଜାମନ ଖାନ କମଲ ଇଣ୍ଡିଆନ ଏକ୍ସପ୍ରେସକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ବାଂଲାଦେଶର ପରିସ୍ଥିତି ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ଗତ ବର୍ଷ ଅଗଷ୍ଟ ୩ ରୁ୫ ମଧ୍ୟରେ ଘଟିଥିବା ଘଟଣାରେ ସେନା ଏବଂ ମୌଳବାଦୀ ଦଳର ଭୂମିକା ରହିଛି। ସେ କହିଥିଲେ ଯେ, ମୁଁ ୪ ଅଗଷ୍ଟ ରାତି ପର୍ଯ୍ୟନ୍ତ ଶେଖ ହସିନାଙ୍କ ସହ ରହିଥିଲି।

    ସେତେବେଳେ ସେନା ମୁଖ୍ୟ ପ୍ରଧାନମନ୍ତ୍ରୀ ହସିନାଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ସେ ପରିସ୍ଥିତିକୁ ନିୟନ୍ତ୍ରଣ କରିବେ। ସେନା ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବ ମଧ୍ୟ ନେଇଥିଲେ। କିନ୍ତୁ ଅଗଷ୍ଟ ୫ରେ ଯାହା ଘଟିଥିଲା ​​ତାହା ସମସ୍ତଙ୍କ ସାମ୍ନାରେ ରହିଛି।

    ସେ କହିଛନ୍ତି, ଦେଶରେ ଆଇନ ବ୍ୟବସ୍ଥା ଫେରି ଆସିଲେ ଏବଂ ନ୍ୟାୟାଳୟ ନ୍ୟାୟ ପ୍ରଦାନ କରିବାକୁ ସକ୍ଷମ ହେଲେ ମୁଁ ଆଇନକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ମୁଁ ବାଂଲାଦେଶକୁ ଫେରିବାକୁ ପ୍ରସ୍ତୁତ।

    କମଲ କହିଛନ୍ତି, ‘ମୁଁ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲି, ତେଣୁ ୧୯୭୧ ମସିହାରେ ବାଂଲାଦେଶ ପାଇଁ ଭାରତ କ’ଣ କରିଛି ମୁଁ ଜାଣେ। ଭାରତ ସର୍ବଦା ବାଂଲାଦେଶକୁ ସାହାଯ୍ୟ କରିଆସୁଛି। କୂଟନୈତିକ ସ୍ତରରେ ଭାରତ ଆମକୁ ସାହାଯ୍ୟ କରିପାରିବ। ଆମର କୋର୍ଟ ପକ୍ଷାଘାତଗ୍ରସ୍ତ ହୋଇଛି। ଆୱାମୀ ଲିଗ୍ ଆଇନଜୀବୀମାନେ ବର୍ତ୍ତମାନ କୋର୍ଟକୁ ଯାଇପାରିବେ ନାହିଁ। ତେଣୁ କୂଟନୈତିକ ଚାପ ସୃଷ୍ଟି କରାଯିବା ଉଚିତ୍। ଯାହା ଦ୍ବାରା କୋର୍ଟ ପୁନର୍ବାର କାର୍ଯ୍ୟ ଆରମ୍ଭ କରିବେ। ଏଥିରେ ଭାରତ ସାହାଯ୍ୟ କରିପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

    କମଲ କହିଛନ୍ତି, ଯଦି ପରିସ୍ଥିତି ସ୍ୱାଭାବିକ ହୁଏ ତେବେ ଆୱାମୀ ଲିଗ୍ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ। କମଲ କହିଛନ୍ତି, ୟୁନୁସ୍‌ଙ୍କର କ୍ଷମତାରେ ରହିବାର କୌଣସି ଅଧିକାର ନାହିଁ। ସେ ଜଣେ ନେତା କିମ୍ବା ରାଜନୈତିକ ବ୍ୟକ୍ତି ନୁହଁନ୍ତି। ୟୁନୁସ୍ ତାଙ୍କ ପଦରୁ ଇସ୍ତଫା ଦେବା ସହ ଆୱାମୀ ଲିଗ୍ ସମେତ ସମସ୍ତ ରାଜନୈତିକ ଦଳକୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବା ଉଚିତ୍। ଏହା ହେଉଛି ଏକମାତ୍ର ଉପାୟ।କମଲ କହିଛନ୍ତି, ‘ମୁଁ ବିଶ୍ୱାସ କରେ ଖୁବ୍ କମ୍ ସମୟ ମଧ୍ୟରେ ସବୁକିଛି ବଦଳିଯିବ। ମୁଁ ୭୫ ବର୍ଷ ବୟସ ଅତିକ୍ରମ କରିସାରିଛି। ବାଂଲାଦେଶକୁ ମୁଁ ଆରମ୍ଭରୁ ଦେଖିଛି। ମୁଁ ଦୃଢ଼ ଭାବରେ ବିଶ୍ବାସ କରେ ଯେ, ଆମେ ଏହି ପରିସ୍ଥିତିକୁ ଶୀଘ୍ର ଦୂର କରିବୁ। ବର୍ତ୍ତମାନ ଆମେ ଜାଣୁନାହୁଁ ଆମର ଅନେକ ନେତା କେଉଁଠାରେ ଅଛନ୍ତି। କିନ୍ତୁ ଯଦି ଆମେ ସଂଗ୍ରାମ ଆରମ୍ଭ କରିବୁ ତେବେ ସେମାନେ ପୁନର୍ବାର ଆଗକୁ ଆସିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.3 ° C
    30.3 °
    30.3 °
    68 %
    2kmh
    40 %
    Fri
    30 °
    Sat
    30 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ