ତାମିଲନାଡୁ : ତାମିଲନାଡୁ କରୁରରେ ବିଜୟଙ୍କ ରାଲିରେ ଦଳଚକଟାରେ ମୃତ୍ୟସଂଖ୍ୟା ୩୯ ରେ ପହଞ୍ଚିଛି । ୩୯ ଜଣ ମୃତକଙ୍କ ମଧ୍ୟରେ ୧୦ ଛୋଟ ପିଲା, ୧୬ ମହିଳା ଅଛନ୍ତି । ଏମାନଙ୍କ ଛଡା ୯୫ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ତାମିଲନାଡୁ ସରକାର ନିର୍ଦ୍ଦେଶ ଦେଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ବିଜୟଙ୍କ ସଭାରେ ଆବଶ୍ୟକ ଠାରୁ ଅଧିକ ସଂଖ୍ୟକ ଲୋକ ଭିଡ଼ ହେବାରୁ ଏଭଳି ଅଘଟଣ ହୋଇଛି । ବିଜୟଙ୍କ ରାଲିରେ ୧୦ ହଜାର ଲୋକଙ୍କ ପାଇଁ ଅନୁମତି ମିଳିଥିଲା । ହେଲେ ପ୍ରାୟ ୩୦ ହଜାର ଲୋକ ଯୋଗ ଦେଇଥିଲେ । ରାଲି ପାଇଁ ଲୋକମାନେ ଅପେକ୍ଷା କରିଥିବା ବେଳେ ବିଜୟ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ସଭାସ୍ଥଳରେ ପ୍ରାୟ ୬ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ବିଜୟ । ରାଲି ପାଇଁ ଦିନ ୩ଟାରୁ ରାତି ୧୦ଟା ଯାଏଁ ମିଳିଥିଲା । କିନ୍ତୁ ଲୋକ ସକାଳ ୧୧ଟାରୁ ଜମା ହୋଇଥିଲେ ।
ସଭାସ୍ଥଳରେ ଭାଷଣ ଦେଉଥିବା ବେଳେ ହୋଇଥିଲା ଦଳାଚକଟା । ଦଳାଚକଟା ଅଘଟଣ ପାଇଁ ବିଜୟ ଭାଷଣ ବନ୍ଦ କରି ସହାୟତା ପାଇଁ ଅପିଲ କରିଥିଲେ । କାର୍ଯ୍ୟକର୍ତ୍ତାଙ୍କୁ ପାଣି ଯୋଗାଇବା ସହ ଆମ୍ବୁଲାନ୍ସକୁ ବାଟ ଛାଡ଼ିବାକୁ କହିଥିଲେ ବିଜୟ । ସଭାସ୍ଥଳରେ କ୍ଷମତାଠାରୁ ଅତ୍ୟଧିକ ଭିଡ଼ ହୋଇଥିଲା । ମଞ୍ଚ ପାଖରେ ସୁରକ୍ଷା ବ୍ୟାରିକେଡ କିମ୍ବା ବଫର୍ ଜୋନ୍ ନଥିବାରୁ ବିଜୟଙ୍କ ଦେଖିବାକୁ ଠେଲାପେଲା ହୋଇଥିଲା ।
ଆଉ ଅନ୍ୟ ଏକ କାରଣ ହେଉଛି ଗୁଳୁଗୁଳି ଓ ଅଣନିଶ୍ବାସୀ । ସଭାସ୍ଥଳରେ ଘଣ୍ଟା ଘଣ୍ଟା ଧରି ଲୋକ ଛିଡା ହେବାରୁ ଅଣନିଶ୍ବାସୀ ହୋଇପଡିଥିଲେ । ବିଜୟଙ୍କ ବସ୍ ନିକଟକୁ ଯିବା ପାଇଁ ଆଗକୁ ଦୌଡୁଥିଲେ ସମର୍ଥକ। ସେହି ସମୟରେ କିଛି ଲୋକ ପଡିଯିବାରୁ ଦଳାଚକଟା ଆରମ୍ଭ ହୋଇଥିଲା । ଭିଡ଼ ଭିତରେ ଆମ୍ବୁଲାନ୍ସ ଚଳାଚଳରେ ମଧ୍ୟ ଅସୁବିଧା ହୋଇଥିଲା । ରାଲିରେ ୫୦୦ରୁ ଅଧିକ ପୋଲିସ କର୍ମୀ ନିୟୋଜିତ ଥିଲେ ।
ତେବେ ଘଟଣାର ଯାଞ୍ଚ ପାଇଁ ଜଣିକିଆ କମିଶନ ଗଠିତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ତାମିଲନାଡୁ ଯାଇ ତଦାରଖ କରିବେ ।