Monday, April 13, 2026
26.7 C
Odisha

    ୧୨ ରାଜ୍ୟରେ ଆଜିଠୁ ଏସ୍‌ଆଇଆର୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ    :     ମଙ୍ଗଳବାରଠାରୁ ଦେଶବ୍ୟାପୀ ଦ୍ବିତୀୟ ପର୍ଯ୍ୟାୟ ଏସ୍‌ଆଇଆର୍‌ (ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା) ଅଭିଯାନ ଆରମ୍ଭ କରାଯିବ। ସୋମବାର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର କହିଛନ୍ତି ଯେ ବିହାର ପରେ ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏସଆଇଆର ପ୍ରକ୍ରିୟା ଆରମ୍ଭ କରାଯିବ। ଏହି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ହେଲା ଛତିଶଗଡ, ଗୋଆ, ଆଣ୍ଡାମାନ ନିକୋବର, ଗୁଜରାଟ, ଲାକ୍ଷାଦ୍ବୀପ, ମଧ୍ୟପ୍ରଦେଶ, ପୁଦୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ କେରଳ। ଭୋଟର ତାଲିକାରୁ ଯେପରି ଯୋଗ୍ୟ ଭୋଟର ବାଦ ନ ପଡନ୍ତିି କିମ୍ବା ଯୋଗ୍ୟ ଭୋଟର ସାମିଲ ନ ହୁଅନ୍ତି, ତାହା ଚୂଡାନ୍ତ କରିବା ପାଇଁ ଏସଆଇଆର ଉଦ୍ଦିଷ୍ଟ ବୋଲି ଜ୍ଞାନେଶ କହିଛନ୍ତି। ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଯେପରି ଅଧିକରୁ ଅଧିକ ସଂଖ୍ୟକ ଯୋଗ୍ୟ ଭୋଟର ସାମିଲ ହୋଇପାରିବେ, ତାହାକୁ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। ଡିସେମ୍ବର ୯ ସୁଦ୍ଧା ଚିଠା ତାଲିକା ଘୋଷଣା କରାଯାଉଥିବାବେଳେ ୨୦୨୬ ଫେବୃଆରୀରେ ଚୂଡାନ୍ତ ତାଲିକା ପ୍ରକାଶ କରାଯିବ।

    ପୁନଶ୍ଚ ଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ ଆଧାର କାର୍ଡ ସମେତ ୧୨ଟି ପ୍ରମାଣପତ୍ରକୁ ମାନଦଣ୍ଡ ଭାବେ ଗ୍ରହଣ କରାଯିବ। ଅପରପକ୍ଷରେ ୨୦୦୨, ୨୦୦୩ ଓ ୨୦୦୪ ଭୋଟର ତାଲିକା ସହ ଏହି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଭୋଟରଙ୍କ ନାମକୁ ତୁଳନା କରାଯିବ ବୋଲି କୁହାଯାଇଛି। ସୋମବାର ମଧ୍ୟରାତ୍ରିରୁ ଏହି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଭୋଟର ତାଲିକାକୁ ଅକାମୀ ଘୋଷଣା କରାଯିବ। ଏସଆଇଆର ପାଇଁ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଧିକାରୀ (ଇଆରଓ)ମାନେ ନୂତନ ଏନୁମେରେସନ ଫର୍ମ ପ୍ରସ୍ତୁତ କରିଛନ୍ତି। ପୂର୍ବ ଭୋଟର ତାଲିକା ଅନୁଯାୟୀ ଏହି ଫର୍ମରେ ସଂପୃକ୍ତ ଭୋଟରଙ୍କ ସମସ୍ତ ତଥ୍ୟକୁ ସ୍ଥାନିତ କରାଯିବ। ମଙ୍ଗଳବାରଠାରୁ ଏହି ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରତ୍ୟେକ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଭେଟି ଏସଆଇଆର ସମ୍ପର୍କରେ ଅବଗତ କରାଇବାକୁ ଏହି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଜିଲାସ୍ତରୀୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ପ୍ରଦତ୍ତ ସୂଚନା ଅନୁଯାୟୀ ଏହି ପ୍ରକ୍ରିୟାରେ ବିଏଲଓ (ବୁଥ୍‌ସ୍ତରୀୟ ଅଧିକାରୀ) ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଭୋଟରଙ୍କ ବିବରଣୀ ସଂଗ୍ରହ କରିବାକୁ ବିଏଲଓମାନେ ଅତିକମରେ ପ୍ରତ୍ୟେକ ଘରକୁ ତିନିଥର ପରିଦର୍ଶନ କରିବେ। ସେମାନେ ନୂଆ ଭୋଟରଙ୍କ ନିକଟରୁ ପୂରଣ କରାଯାଇଥିବା ର୍ଫମ-୬ ଏବଂ ସ୍ବୀକାରୋକ୍ତି ଫର୍ମ ସଂଗ୍ରହ କରିବାପରେ ଇଆରଓଙ୍କ ନିକଟରେ ଦାଖଲ କରିବେ। ଏହି ପ୍ରକ୍ରିୟାରେ ବୟସ୍କ, ରୋଗଗ୍ରସ୍ତ, ଗରିବ, ଭିନ୍ନକ୍ଷମ କିମ୍ବା ଅନ୍ୟ ବିଶେଷ ବର୍ଗର ଯୋଗ୍ୟ ଭୋଟର ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଧ୍ୟାନ ଦେବାକୁ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ ବୋଲି ଜଣାପଡିଛି। ପ୍ରତ୍ୟେକ ବୁଥ୍‌ରେ ୧୨୦୦ରୁ ଅଧିକ ଭୋଟରଙ୍କ ନାମ ନ ରହେ, ସେଥିପ୍ରତି ଦୃଷ୍ଟି ମଧ୍ୟ ଦିଆଯିବ। ସ୍ବାଧୀନତା ପରଠାରୁ ନବମ ଥର ପାଇଁ ଦେଶରେ ଭୋଟର ତାଲିକା ସମୀକ୍ଷା ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଉଛି। ନିୟମିତ ଦେଶାଟନ ଘଟୁଥିବାରୁ ଜଣେ ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ପଞ୍ଜିକୃତ ହେଉଥିବା, ତାଲିକାରୁ ମୃତ ଭୋଟରଙ୍କ ନାମ ହଟାଇବା ଏବଂ ଭୋଟର ତାଲିକାରେ ବିଦେଶୀ ନାଗରିକଙ୍କ ନାମ ପଞ୍ଜୀକରଣ ଭଳି ତ୍ରୁଟି ସୁଧାରିବାକୁ ଏସଆଇଆର ଜରୁରୀ ହୋଇପଡିଛି ବୋଲି ଜ୍ଞାନେଶ କୁମାର କହିଛନ୍ତି। ସୂଚନାଯୋଗ୍ୟ ବିହାରରେ ପ୍ରଥମ ପର୍ଯ୍ୟାୟ ଏସଆଇଆର ଶେଷ ହୋଇସାରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.7 ° C
    26.7 °
    26.7 °
    54 %
    2.4kmh
    0 %
    Sun
    27 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ