ଭୁବନେଶ୍ୱର : ୨୦୨୬ରେ ପୁରୀରେ ହେବ ପୂର୍ବାଞ୍ଚଳ ପରିଷଦ ବୈଠକ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଠାରେ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବା ପରେ ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଞ୍ଚିରେ ପୂର୍ବ କ୍ଷେତ୍ରୀୟ ପରିଷଦର ୨୭ ତମ ବୈଠକରେ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଓଡିଶା ଯୋଗ ଦେଇଥିଲେ । ୪ ରାଜ୍ୟର ଭିନ୍ନ ବିକାଶମୁଖୀ ଯୋଜନାର ପ୍ରଗତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହା ସହ ରାଜ୍ୟ-ରାଜ୍ୟ ମଧ୍ୟରେ ଉପୁଜିଥିବା ବିବାଦ ସୌହାର୍ଦ୍ଦ୍ୟପୂର୍ଣ୍ଣ ଢଙ୍ଗରେ ସମାଧାନ ଉପରେ ଜୋର ଦେଇଛନ୍ତି।
୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ଗଠନ ଲକ୍ଷ୍ୟ ନେଇ ମଧ୍ୟ ଆଲୋଚନା ହୋଇଛି । ପୂର୍ବାଞ୍ଚଳ ରାଜ୍ୟରେ ସାମାଜିକ ଆର୍ଥିକ ବିକାଶ କେମିତି ତ୍ୱରାନ୍ବିତ କରାଯିବ ସେ ନେଇ ଆଲୋଚନା ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର-ରାଜ୍ୟ ଏବଂ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ମଧ୍ୟରେ ଦୃଢ଼ ସହଯୋଗ ଉପରେ ଗୁରୁତ୍ବାରୋପ କରିଛନ୍ତି। ରାଜ୍ୟର ମହିଳା ସଶକ୍ତୀକରଣ, ସ୍ବାସ୍ଥ୍ୟ, ଶିକ୍ଷା ଓ ବିଦ୍ୟୁତ କ୍ଷେତ୍ରରେ ପ୍ରଗତି ଉପରେ ଉପସ୍ଥାପନ କରିଥିଲେ। ଆସନ୍ତା ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ସଂପୂର୍ଣ୍ଣ ମାଓବାଦୀ ମୁକ୍ତ ପାଇଁ ଲକ୍ଷ୍ୟ ରହିଛି ।