ସୋର: ୨୬ ବର୍ଷ ପରେ ଗାଁକୁ ଫେରିଲା ପୁଅ । ୧୫ ବର୍ଷ ବୟସରେ ଗାଁ ଛାଡିଥିଲେ, ୪୧ ବର୍ଷ ବୟସରେ ଘରକୁ ଫେରିଛନ୍ତି । ପୁଅକୁ ଝୁରି ଝୁରି ଆରପାରିକୁ ଚାଲିଗଲେ ବାପା , ମା’ ଓ ଭାଇ । ପରିବାର ଲୋକ ପୁଅ ଫେରିବ ବୋଲି ଆଶା ଛାଡିଦେଇଥିଲେ । କିନ୍ତୁ ଅଭିମାନ କରି ଘର ଛାଡ଼ିଦେଇଥିବା ପୁଅ ୨୬ ବର୍ଷ ପରେ ଫେରିଛି ଗାଁକୁ । ସବୁ ଯେମିତି ନୂଆ ନୂଆ ଲାଗୁଥିଲା ମୁନାଙ୍କୁ । ଗାଁ ଛାଡିଥିବା ବେଳେ ଘରେ ବାପା ମା’ ଓ ବଡ଼ ଭାଇ ସବୁଥିଲେ। ହେଲେ ଗାଁକୁ ଫେରିବା ପରେ ବାପା ମା’ ଓ ବଡ଼ ଭାଇ ଏ ଦୁନିଆ ଛାଡି ଆର ପାରିରେ ଶୁଣିବାକୁ ପାଇଲେ ।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତର ମିରିପୁର ଖଇରା ଗାଁରେ । ଗାଁର ଗଣପତି ଦଳେଇଙ୍କର ଦୁଇ ପୁଅ ରମେଶ ଓ ମନୋଜ । ପରିବାରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ସାନ ପୁଅ ମନୋଜ ଓରଫ ମୁନା ୧୫ ବର୍ଷ ବୟସରେ ଗାଁ ଛାଡି ମୁମ୍ବାଇକୁ କାମ କରିବା ପାଇଁ ପଳେଇ ଯାଇଥିଲେ । କିଛି ଦିନ ମୁମ୍ବାଇରେ ରହିବା ପରେ ହଠାତ ମୁନା କୁଆଡେ ପଳେଇ ଯାଇଥିଲେ । ପରିବାର ଲୋକମାନଙ୍କ ସହିତ ଯୋଗାଯୋଗ ରଖିନଥିଲେ ମୁନା । ପରିବାର ଲୋକ ମୁମ୍ବାଇର ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ମୁନାଙ୍କର କୌଣସି ସନ୍ଧାନ ମିଳିନଥିଲା ।
ଶେଷରେ ବାପା ମା’ ସାନ ପୁଅକୁ ଝୁରି ଝୁରି ଆଖି ବୁଜିଦେଲେ । ଗ୍ରାମବାସୀ ଓ ପରିବାର ଲୋକ ଶେଷରେ ସବୁ ଆଶା ଛାଡିଦେଇଥିଲେ । କିନ୍ତୁ ହଠାତ ଗତ ଫେବ୍ରୁଆରୀ ୧୧ ତାରିଖ ଦିନ ମୁନା ଗାଁକୁ ଫେରିଛନ୍ତି । ଭଉଣୀ ଯଶୋଦା ଦାସ ମୁନାଙ୍କୁ ଚିହ୍ନି ପାରିଥିଲେ । ତା’ପରେ ଆରମ୍ଭ ହୋଇଥିଲା ଖୁସିର ଲୁହ । ଏତେଦିନ ପରେ ସାନ ଭାଇକୁ ପାଇ ଭଉଣୀ ଗାଁ ଲୋକଙ୍କୁ ମିଠା ବାଣ୍ଟି ଥିଲେ ।
ମୁନା ମୁମ୍ବାଇରେ କିଛି ଦିନ ରହିବା ପରେ ଓଡିଶା ଫେରି ଆସିଥିଲେ ସତ । କିନ୍ତୁ ବଡ଼ ଭାଇ ସହିତ ଝଗଡା ହୋଇଥିବାରୁ ସେ ଆଉ ପରିବାର ସହିତ ଯୋଗାଯୋଗ ରଖିନଥିଲେ । ମୁମ୍ବାଇରୁ ଆସି ତାଳଚେରରେ ରହି ଡ୍ରାଇଭର ଭାବେ କାମ କରୁଥିଲେ । ସେଠାକାର ଏକ ଝିଅ ସହିତ ବିବାହ କରିଥିଲେ । କିନ୍ତୁ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଛନ୍ତି ମୁନା । ମୁନାଙ୍କର ଦୁଇଟି ପୁଅ ଥିବା ସେ ପ୍ରକାଶ କରିଛନ୍ତି । ସେପଟେ ସବୁବେଳେ ଘର କଥା ମନେପଡ଼େ କିନ୍ତୁ, କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଘରକୁ ଆସିପାରୁନଥିଲେ ବୋଲି କହିଛନ୍ତି । ଏବେ ଭୋଟର ଲିଷ୍ଟ ସଂଶୋଧନ ପାଇଁ ଗାଁକୁ ଆସିବାକୁ ପଡିଲା । ତେବେ ଘରକୁ ଆସିବା ପରେ ଜାଣିବାକୁ ପାଇଲେ ଯେ ତାଙ୍କର ବାପା ମା’ ଓ ବଡ଼ ଭାଇଙ୍କର ମୃତ୍ୟୁ ହୋଇଛି ।
ଏପଟେ ମୁନା ଗାଁକୁ ଆସିବା ଖବର ଜାଣିବା ପରେ ଗାଁ ଲୋକମାନେ ମୁନାଙ୍କୁ ଦେଖିବା ପାଇଁ ଭିଡ ଜମାଇଥିଲେ । ଘରେ ପହଞ୍ଚିବା ସମସ୍ତଙ୍କୁ ଦେଖି ଭାବବିହ୍ବଳ ହୋଇପଡ଼ିଥିଲେ ମୁନା । ହେଲେ ବାପା ମା’ ଭାଇ ଆରପାରିକୁ ଚାଲିଯାଇଥିବା ଜାଣି ମୁନା ଦୁଃଖ କରିଥିଲେ ।

