Tuesday, August 25, 2026
25.6 C
Odisha

    ୱକଫ୍‌ ବୋର୍ଡ ଜେପିସି ବୈଠକରେ ହଟ୍ଟଗୋଳ: ୧୦ ସାଂସଦ ନିଲମ୍ବିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୱକଫ୍‌ ସଂଶୋଧନ ବିଲ୍‌ ୨୦୨୪ ନେଇ ଆଜି ଅନୁଷ୍ଠିତ ଯୁଗ୍ମ ସଂସଦୀୟ କମିଟି ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଛି। ଚରମ ବିଶୃଙ୍ଖଳା ପାଇଁ ୧୦ ବିରୋଧୀ ଦଳ ସାଂସଦ ବୈଠକରୁ ଦିନକ ପାଇଁ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ସାଂସଦମାନେ ହେଉଛନ୍ତି କଲ୍ୟାଣ ବାନାର୍ଜୀ, ଏମ୍‌ଡି ଜାୱେଦ, ଏ ରାଜା, ଅସଉଦ୍ଦିନ ଅୱେସି, ନସିର ହୁସେନ, ମୋହିବୁଲ୍ଲା, ଏମ୍‌ ଅବଦୁଲ୍ଲା, ଅରବିନ୍ଦ ସାୱନ୍ତ, ନଦିମୁଲ ହକ୍‌ ଏବଂ ଇମ୍ରାନ ମସୁଦ। ବୈଠକରୁ ବାହାରି ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି, ବୈଠକରେ ଅ ଘୋଷିତ ଇମର୍ଜେନ୍ସି ଭଳି ସ୍ଥିତି ଉପୁଜୁଛି। ଅଧ୍ୟକ୍ଷ ବୈଠକ କରୁଛନ୍ତି ଏବଂ ସେ କାହା କଥା କିଛି ଶୁଣୁନାହାନ୍ତି।
    ଆମକୁ କୁହାଯାଇଥିଲା ଯେ ଜାନୁଆରି ୨୪ ଏବଂ ୨୫ରେ ବୈଠକ ହେବ। କିନ୍ତୁ ଆଜିର ବୈଠକରେ ଏଜେଣ୍ଡା ବଦଳିଯାଇଛି।

    ବିଲ୍‌ର ପ୍ରତ୍ୟେକଟି ନିୟମାବଳୀ ଉପରେ ଆଲୋଚନା କରିବାପାଇଁ ପୂର୍ବରୁ ସ୍ଥିର ହୋଇଥିଲେ ସୁଦ୍ଧା ତାହା ହୋଇନାହିଁ ବୋଲି ନିଲମ୍ବିତ ସାଂସଦମାନେ ଦର୍ଶାଇବା ସହ ଆଜି ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପତ୍ର ଲେଖିଛନ୍ତି। ବୈଠକରେ କେବଳ ଏକପାଖିଆ ଓ ଏକଚାଟିଆ ନିଷ୍ପତ୍ତି ନିଆଯାଇଥିବା ‌ସେମାନେ କହିଛନ୍ତି। ବୈଠକ ନ୍ୟାୟୋଚିତ ଭାବେ ହେବା ଉଚିତ୍‌ ବୋଲି ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ବିରୋଧୀ ଦଳ ସଦସ୍ୟଙ୍କ ଆଚରଣ ଅତ୍ୟନ୍ତ ନୈରାଶ୍ୟଜନକ ଓ ବିଶୃଙ୍ଖଳିତ ଥିଲା। କେବଳ ହଟ୍ଟ‌ଗୋଳ କରି ବୈଠକ ଭଣ୍ଡୁର କରିବା ସେମାନଙ୍କ ଲକ୍ଷ୍ୟ ଥିଲା ବୋଲି ସାଂସଦ ଷଡ଼ଙ୍ଗୀ କହିଛନ୍ତି।

    ଉଲ୍ଲେଖଯୋଗ୍ୟ, ୱକଫ୍‌ ସଂଶୋଧନ ବିଲ୍‌ ୨୦୨୪କୁ ନେଇ ବିରୋଧୀ ସାଂସଦ ଏବଂ ଶାସକ ଦଳର ନେତାମାନଙ୍କ ମଧ୍ୟରେ ଆଜି ହୋହଲ୍ଲା ହୋଇଥିଲା। ମିରୱେଜ ଉମର ଫାରୁକ୍‌ କମିଟି ନିକଟରେ ଫେରାଦ ହୋଇ ଆପତ୍ତି ଉଠାଇଥିଲେ ଏବଂ ଭାରତୀୟ ସମ୍ବିଧାନର ବିଭିନ୍ନ ଧାରା ଉଲ୍ଲଂଘନ ହୋଇଛି ବୋଲି କହିଥିଲେ। ସେ କହିଛନ୍ତି, ଆମେ ଗୁରୁତ୍ବପୂର୍ଣ୍ଣ ପକ୍ଷ ଏବଂ ଆମକୁ ବିଲ୍‌ ପ୍ରସ୍ତୁତ କରିବା ଆଗରୁ ଯୋଗାଯୋଗ କରିବା ଆବଶ୍ୟକ ଥିଲା। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଏନ୍‌ସି ନେତା ଫାରୁକ୍‌ ଅବଦୁଲ୍ଲାଙ୍କୁ କଟାକ୍ଷ କରି ଆଜି ଶାସକ ଦଳର ନେତାମାନେ କହିଛନ୍ତି, ଶେଷ‌ରେ ସେ ବୁଝିପାରିଲେ ଯେ ସମ୍ବିଧାନ ସବୁଠାରୁ ଗୁରୁ୍ତ୍ବପୂର୍ଣ୍ଣ। ଆଜିର ହଟ୍ଟଗୋଳ ପ୍ରସଙ୍ଗରେ ଅଧ୍ୟକ୍ଷ ଜଗଦମ୍ବିକା ପାଲ୍‌ କହିଛନ୍ତି, ଆମେ ଗୃହକୁ ୨ ଥର ମୁଲତବୀ କଲୁଣି। କଲ୍ୟାଣ ବାନାର୍ଜୀ ମୋ ବିରୋଧରେ ଅସଂସଦୀୟ ଭାଷା ବ୍ୟବହାର କରି ମୋତେ ଅପମାନିତ କରିଛନ୍ତି। ସୂଚନାଯୋଗ୍ୟ, ୱକଫ୍‌ ସଂକ୍ରାନ୍ତ ଯୁଗ୍ମ ସଂସଦୀୟ କମିଟି ରିପୋର୍ଟ ସଂସଦର ବଜେଟ୍‌ ଅଧିବେଶନରେ ଦାଖଲ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.6 ° C
    25.6 °
    25.6 °
    93 %
    2.7kmh
    100 %
    Tue
    26 °
    Wed
    30 °
    Thu
    29 °
    Fri
    28 °
    Sat
    28 °

    ସମ୍ବନ୍ଧିତ