Thursday, September 10, 2026
24 C
Odisha

    ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା

    ଆଗକୁ ପଢନ୍ତୁ

    ଆଜି ଠାରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ (ମାଟ୍ରିକ୍) ପରୀକ୍ଷା। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇଛି। ଏଥିଲାଗି ସକାଳ ସାଢ଼େ ୭ଟା ବେଳୁ ପରୀକ୍ଷାକେନ୍ଦ୍ର ସମ୍ମୁଖରେ ଅଭିଭାବକ, ଛାତ୍ରଛାତ୍ରୀ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ମାଟ୍ରିକ୍ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ମିନିଟରେ ସରିବ। କେବଳ ଗଣିତ ପାଇଁ ଅତିରିକ୍ତ ୧୫ମିନିଟ୍ ମିଳିବ ଓ ଗଣିତ ପରୀକ୍ଷା ୧୧ଟା ୪୫ ମିନିଟରେ ସରିବ।

    ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫେବ୍ରୁଆରି ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହେବ। ପ୍ରତିଦିନ ସିଙ୍ଗିଲ ସିଟିଂରେ ବା ଗୋଟିଏ ଦିନରେ ଗୋଟିଏ ପରୀକ୍ଷା ହେବ। ସକାଳ ସାଢ଼େ ୭ଟାରେ ପରୀକ୍ଷା କେନ୍ଦ୍ର ଗେଟ୍ ଖୋଲାଯିବ, ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ। ତେବେ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ। ନୋଡାଲ୍ ସେଣ୍ଟରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ସ୍ଥାନାନ୍ତର କରାଯାଇ ସକାଳ ୮ଟା ମଧ୍ୟରେ କେନ୍ଦ୍ରରେ ପହଞ୍ଚିବ। ଚଳିତ ବର୍ଷ ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ ୫,୨୨,୩୩୬ ଜଣ ଫର୍ମପୂରଣ କରିଥିବା ବେଳେ ତିନିଟିଯାକ ପରୀକ୍ଷା ପାଇଁ ୩୧୩୩ ଟି ପରୀକ୍ଷାକେନ୍ଦ୍ର ଚୟନ ହୋଇଛି। ସେହିପରି ପ୍ରଶ୍ନପତ୍ର ରଖିବା ପାଇଁ ୨୧ଟି ଥାନା, ଗୋଟିଏ ବିଟ୍ ହାଉସକୁ ମିଶାଇ ମୋଟ ୩୧୪ଟି ନୋଡାଲ୍ ସେଣ୍ଟର ସ୍ଥିର ହୋଇଛି। ମାଟ୍ରିକ ପରୀକ୍ଷାରେ ୫,୧୦,୭୭୮ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ଏଥି ପାଇଁ ୨୯୭୯ଟି ପରୀକ୍ଷା କେନ୍ଦ୍ର ରହିଛି। ସେହିପରି ମଧ୍ୟମାରେ ୭୭୬୬ ପରୀକ୍ଷାର୍ଥୀଙ୍କ ପାଇଁ ୧୦୨ଟି ପରୀକ୍ଷା କେନ୍ଦ୍ର ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୩୭୫୨ ଜଣ ପରୀକ୍ଷାର୍ଥୀ ଓ ୫୨ଟି ପରୀକ୍ଷା କେନ୍ଦ୍ର ରହିଛି।
    ଅନ୍ୟପଟେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବୋର୍ଡ ପକ୍ଷରୁ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍ ରୋକିବା ପାଇଁ କ୍ୟୁଆର୍ କୋଡ୍ ବ୍ୟବସ୍ଥା କରାଯାଇଛି। ପ୍ରଶ୍ନପତ୍ରର ସବୁ ପୃଷ୍ଠାରେ, ଏପରିକି ପ୍ରତି ପ୍ରଶ୍ନରେ ଏହି କ୍ୟୁଆର୍ କୋଡ୍ ରହିଛି। ଯଦି କୌଣସି ବ୍ୟକ୍ତି ମୋବାଇଲ୍ ବା ଅନ୍ୟ କୌଣସି ଉପକରଣ ସହାୟତାରେ ପ୍ରଶ୍ନପତ୍ରର ଫଟୋ ଉତ୍ତୋଳନ କରି ଭାଇରାଲ୍ କରିବାକୁ ଉଦ୍ୟମ କରନ୍ତି, ତେବେ ଏହା କେଉଁ ସେଣ୍ଟରରୁ ଆଉ କେଉଁ ପରୀକ୍ଷା ପ୍ରକୋଷ୍ଠରୁ ଭାଇରାଲ୍ କରାଯାଇଛି, ତାହା ସହଜରେ ଜାଣି ହେବ। ପ୍ରଶ୍ନପତ୍ରଟି ଏଭଳି ପ୍ରସ୍ତୁତି ହୋଇଛି ଯେ, କ୍ୟୁଆର୍ କୋଡକୁ ଲିଭାଇବାକୁ ଚେଷ୍ଟା କଲେ, ପ୍ରଶ୍ନ ଲିଭିଯିବ। ଏହା ବ୍ୟତୀତ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ର ସମେତ ନୋଡାଲ୍ ସେଣ୍ଟରରେ ସିସି କ୍ୟାମେରା ଖଞ୍ଜାଯାଇଛି। ୩୧୪ ନୋଡାଲ ସେଣ୍ଟର ସମେତ ୬ଶହ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଇଭ୍ ଭିଡିଓ ବ୍ୟବସ୍ଥା କରାଯାଉଛି। ଏସବୁ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ନିୟନ୍ତ୍ରଣରେ ରହିବ। ପରୀକ୍ଷା ଚାଲିଥିବା ସମୟରେ କେନ୍ଦ୍ରର ସମସ୍ତ ଗତିବିଧିକୁ ବୋର୍ଡ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟାଳୟ କଣ୍ଟ୍ରୋଲ ରୁମରେ ବସି ଜାଣିପାରିବେ।

    ସେହିଭଳି ପରୀକ୍ଷାରେ କପି ରୋକିବା ପାଇଁ ୪ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୭୦ଟି ଫ୍ଲାଇଙ୍ଗ୍ ସ୍କ୍ବାଡ୍, ବୋର୍ଡ ପକ୍ଷରୁ ୪୨ଟି ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ ହୋଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କ୍ବାଡ୍ ବ୍ୟବସ୍ଥା ଓ ଜିଲ୍ଲାପାଳଙ୍କ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍ ପରୀକ୍ଷା ଉପରେ ନଜର ରଖିବେ। ପରୀକ୍ଷା ସରିବା ପରେ ମାର୍ଚ୍ଚ ୧୯ ତାରିଖରୁ ଖାତାଦେଖା ଆରମ୍ଭ ହେବ ଓ ଏହା ସର୍ବାଧିକ ୧୩ ଦିନରେ ସରିବ। ରାଜ୍ୟର ମୋଟ ୫୧ଟି କେନ୍ଦ୍ରରେ ପରୀକ୍ଷା ଖାତା ମୂଲ୍ୟାୟନ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    94 %
    1.6kmh
    100 %
    Thu
    27 °
    Fri
    28 °
    Sat
    29 °
    Sun
    28 °
    Mon
    30 °

    ସମ୍ବନ୍ଧିତ