Friday, June 12, 2026
39 C
Odisha

    ଓଡ଼ିଶାରେ ହିତାଧିକାରୀଙ୍କ ପାଖରେ ପହଞ୍ଚୁନି ୨୪.୭% ମାଗଣା ଚାଉଳ, ଗହମ: ବର୍ଷକୁ ୭ ଲକ୍ଷ ଟନ୍ ବାଟମାରଣା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସରକାର ଗରିବ ଲୋକଙ୍କୁ ପ୍ରତି ମାସରେ ମାଗଣାରେ ଚାଉଳ ଓ ଗହମ ଦେଉଛନ୍ତି। କିନ୍ତୁ ଚିନ୍ତାର ବିଷୟ ହେଉଛି ସେହି ସବୁ ଶସ୍ୟର ଏକ ବଡ଼ ଭାଗ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବାଟମାରଣା ହୋଇଯାଉଛି। ଜାତୀୟ ସ୍ତରରେ ୨୮ ପ୍ରତିଶତ ମାଗଣା ଶସ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚୁନାହିଁ। ଓଡ଼ିଶାରେ ସ୍ଥିତି ସାମାନ୍ୟ ଉନ୍ନତ ରହିଥିଲେ ମଧ୍ୟ ଚିନ୍ତାଜନକ ରହିଛି। ରାଜ୍ୟରେ ୨୪.୭ ପ୍ରତିଶତ ମାଗଣା ଚାଉଳ ଓ ଗହମ ହିତାଧିକାରୀଙ୍କ ପାଖରେ ପହଞ୍ଚୁନାହିଁ। ସେହି ଶସ୍ୟକୁ ଖୋଲା ବଜାରରେ ବିକ୍ରି କରାଯାଉଛି କିମ୍ବା ରପ୍ତାନି କରାଯାଉଥିବା ସନ୍ଦେହ କରାଯାଉଛି।
    ଏହି ସାଂଘାତିକ କାରବାର ଉପରୁ ପରଦା ଉଠାଇଛି ଇଣ୍ଡିଆନ୍ କାଉନ୍‌ସିଲ୍‌ ଫର୍ ରିସର୍ଚ୍ଚ ଅନ୍ ଇଣ୍ଟରନ୍ୟାସନାଲ୍ ଇକୋନମିକ୍ ରିଲେସନ୍ସ (ଆଇସିଆର୍‌ଆଇଇଆର୍‌)। ଏହା ଜାରି କରିଥିବା ରିପୋର୍ଟରେ ଜଣାଇଛି ଯେ ଲୋକମାନଙ୍କୁ ମାଗଣାରେ ଦେବା ଲାଗି ୨୦୨୨-୨୩ରେ ଓଡ଼ିଶା ଭାଗରେ ୨.୮୨ ନିୟୁତ ଟନ୍ ଚାଉଳ ଓ ଗହମ ପଡ଼ିଥିଲା। ସେଥିରୁ ୨.୧୩ ନିୟୁତ ଟନ୍ ଶସ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିଥିଲା। ଅବଶିଷ୍ଟ ୭ ଲକ୍ଷ ଟନ୍ ଗହମ ଓ ଚାଉଳର ବାଟମାରଣା ହୋଇଯାଇଥିଲା। ଅର୍ଥାତ ଆବଣ୍ଟିତ ଶସ୍ୟର ୨୪.୭ ପ୍ରତିଶତ ବାଟମାରଣା ହୋଇଯାଇଛି।

    ବର୍ଷକୁ ୬୯ ହଜାର କୋଟି ବରବାଦ, ଜାତୀୟ ହାର ୨୮%

    ରିପୋର୍ଟରୁ ଜଣାପଡ଼ିଛି ଯେ ‌ଅରୁଣାଚଳପ୍ରଦେଶରେ ସର୍ବାଧିକ ୬୩.୨ ପ୍ରତିଶତ ଶସ୍ୟର ବାଟମାରଣା ହେଉଛି। ଏହା ପଛକୁ ରହିଛନ୍ତି ନାଗାଲ୍ୟାଣ୍ଡ (୬୦.୪%), ଗୁଜରାଟ (୪୩%), ହିମାଚଳପ୍ରଦେଶ (୩୬.୩%), ଉତ୍ତରାଖଣ୍ଡ (୩୫.୭%) ଓ ମହାରାଷ୍ଟ୍ର (୩୫.୭%)। ସର୍ବଭାରତୀୟ ସ୍ତରରେ ମାଗଣା ଶସ୍ୟ ବାଟମାରଣା ହାର ୨୮ ପ୍ରତିଶତ ରହିଛି। ସେଥିପାଇଁ ବର୍ଷକୁ ଦେଶର ୬୯ ହଜାର କୋଟି ଟଙ୍କାର କ୍ଷତି ହେଉଛି। ୨୦୨୨ ଅଗଷ୍ଟରୁ ୨୦୨୩ ଜୁଲାଇ ପର୍ଯ୍ୟନ୍ତ ସମୟର ପାରିବାରିକ ଉପଯୋଗିତା ବ୍ୟୟ ସର୍ବେକ୍ଷଣ ଓ ଭାରତୀୟ ଖାଦ୍ୟ ନିଗମ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୨୦୧୧-୧୨ ‌ବେଳକୁ ୪୬ ପ୍ରତିଶତ ଖାଦ୍ୟଶସ୍ୟ ନଷ୍ଟ ହେଉଥିଲା। ସେହି ତୁଳନାରେ ବର୍ତ୍ତମାନ ସମୟର ବାର୍ଷିକ ବାଟମାରମା ବେଶ୍ ହ୍ରାସ ପାଇଛି। କିନ୍ତୁ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଖାଦ୍ୟଶସ୍ୟର ବାଟମାରଣା ଚିନ୍ତାର ବିଷୟ ହୋଇରହିଛି। ଏହି ସମସ୍ୟାର ସମାଧାନ ଲାଗି ୨୦୧୬ରେ ରାସନ ଦୋକାନଗୁଡ଼ିକରେ ପଏଣ୍ଟ ଅଫ୍ ସେଲ୍‌ (ପିଓଏସ୍‌) ମେସିନ୍ ବ୍ୟବହାର ଆରମ୍ଭ ହୋଇଥିଲା। ସେଥିପାଇଁ ଯଦିଓ ବାଟମାରଣା କମିଛି, କିନ୍ତୁ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇପାରିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39 ° C
    39 °
    39 °
    30 %
    1.9kmh
    30 %
    Fri
    40 °
    Sat
    41 °
    Sun
    41 °
    Mon
    42 °
    Tue
    41 °

    ସମ୍ବନ୍ଧିତ