Sunday, October 4, 2026
24.3 C
Odisha

    ଉଷାରାଣୀଙ୍କ ପାଇଁ ୨୫୦ ମହିଳା ସ୍ୱାବଲମ୍ବୀ: ଫ୍ଲିପ୍‌କାର୍ଟ ଓ ଆମାଜନ୍‌ରେ ଉପଲବ୍ଧ ହେଉଛି

    ଆଗକୁ ପଢନ୍ତୁ

    ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ୍‌ ବଡ଼ଯୋଡ଼ ପଞ୍ଚାୟତ ଗୁହାଳଡିହି ଗ୍ରାମର ଉଷାରାଣୀ ନାୟକ। ଗ୍ରାମରେ ‘ସବାଇ ଉତ୍ପାଦନକାରୀ ଗୋଷ୍ଠୀ’ ଗଢ଼ି ନିଜେ ସ୍ବାବଲମ୍ବୀ ହେବା ସହ ଆଖପାଖ ଅଞ୍ଚଳର ୨୫୦ ଜଣ ମହିଳାଙ୍କୁ ସ୍ବାବଲମ୍ବୀ କରି ପାରିଛନ୍ତି। ୨୦୧୧ ମସିହାରେ ଉଷାରାଣୀ ଗୁହାଳଡିହିରେ ‘ସବାଇ ଉତ୍ପାଦନକାରୀ ଗୋଷ୍ଠୀ’ ଗଠନ କରିଥିଲେ। ମାତ୍ର ୧୧ ସଦସ୍ୟାଙ୍କୁ ନେଇ ଗଠିତ ଏହି ଗୋଷ୍ଠୀ ବ୍ୟାଙ୍କରୁ ଋଣ ଆଣି ସବାଇ ଘାସରୁ ବିଭିନ୍ନ ଘରକରଣା ସାମଗ୍ରୀ ପ୍ରସ୍ତୁତ କରି ବ୍ୟବସାୟ ଆରମ୍ଭ କରିଥିଲା। ୨୦୧୩ ମସିହାରେ ଓର୍‌ମାସ୍‌ ସହଯୋଗର ହାତ ବଢ଼ାଇବା ସହ ଉତ୍ପାଦିତ ବିଭିନ୍ନ ସାମଗ୍ରୀର ବିକ୍ରିରେ ସହାୟକ ହୋଇଥିଲା। ଏବେ ମଧ୍ୟ ଓର୍‌ମାସ୍‌ ପକ୍ଷରୁ ମହିଳାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଫଳରେ ମହିଳାମାନେ ହାତ ସହ ମେସିନ୍‌ରେ ବିଭିନ୍ନ ସାମଗ୍ରୀ ତିଆରି କରିବାରେ ପାରଙ୍ଗମ ହୋଇ ପାରିଛନ୍ତି। ଏହି ଗୋଷ୍ଠୀ ସହ ପଞ୍ଚାୟତର ୧୨ଟି ଗ୍ରାମର ୧୫ଟି ମହିଳା ସ୍ବୟଂସହାୟିକା ଗୋଷ୍ଠୀର ୨୫୦ ସଦସ୍ୟା ଯୋଡ଼ି ହୋଇଛନ୍ତି। ଜଣେ ଜଣେ ମହିଳା ମାସକୁ ୧୦ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରୁଛନ୍ତି। ନିଜେ ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିବାରେ ସକ୍ଷମ ହେଉଥିବା ଏଲ୍‌ଏସ୍‌ପି ଜୟନ୍ତୀ ମହାନ୍ତ, ମଙ୍ଗୁଳି ନାଏକ, ମିଥୁନ ଦେହୁରୀ ପ୍ରମୁଖ କହିଛନ୍ତି।

    ସବାଇ ଘାସରେ ପ୍ରସ୍ତୁତ ଫୁଲ ଚାଙ୍ଗୁଡ଼ି, ପାଛିଆ, ବ୍ୟାଗ୍ ସହ ବିଭିନ୍ନ ଉପକରଣ ରାଜ୍ୟର ବିଭିନ୍ନ ମେଳା ଓ ମହୋତ୍ସବରେ ବିକ୍ରି ହେଉଛି। ଏପରିକି ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀ, ପୁଣେ, ଅହମଦାବାଦ, ବେଙ୍ଗାଲୁରୁ ଓ କୋଲକାତାର ବିଭିନ୍ନ ଷ୍ଟଲ୍‌ରେ ମଧ୍ୟ ଉପଲବ୍ଧ ହୋଇପାରୁଛି। ଏହାସହ ଫ୍ଲିପ୍‌କାର୍ଟ ଓ ଆମାଜନ୍‌ ପରି ଇ-କମର୍ସ ସାଇଟ୍‌ରେ ଉପଲବ୍ଧ ରହୁଛି। ମହିଳାମାନେ ଏହି ସଫଳତାର ଶ୍ରେୟ ଉଷାରାଣୀ ନାୟକଙ୍କୁ ଦେଇଛନ୍ତି। ‘ସବାଇ ଉତ୍ପାଦନକାରୀ ଗୋଷ୍ଠୀ’ର ସମ୍ପାଦିକା ଉଷାରାଣୀ କହନ୍ତି, ଘର କାମ ସାରି ମହିଳାମାନେ ସକାଳ ୧୦ଟାରୁ କେନ୍ଦ୍ରକୁ ଆସୁଛନ୍ତି। ଏହି କାମ ସେମାନଙ୍କୁ ରୋଜଗାରକ୍ଷମ କରିପାରିଛି। ଜିଲ୍ଲା ଓରମାସ୍‌ର ଡେପୁଟି ସିଇଓ ବିମାନ ମଲ୍ଲ କହନ୍ତି, ୨୦୧୩ରେ ଗୋଷ୍ଠୀକୁ ସହାୟତା ପ୍ରଦାନ କରାଯାଇଥିଲା। ମହିଳାମାନଙ୍କୁ ଋଣ ସହ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା। ଏବେ ମହିଳାମାନେ ଆର୍ଥିକସ୍ତରରେ ସ୍ବାବଲମ୍ବୀ ହେବା ସହ ନିଜର ସ୍ବତନ୍ତ୍ର ପରିଚୟ ମଧ୍ୟ ତିଆରି କରି ପାରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ